Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ‘ଉଠିବକି ଜାତିର କଙ୍କାଳ’ କବିତା ସଂକଳନ ଉନ୍ମୋଚନ କଲେ ରାଜ୍ୟପାଳ

    Share on :
    ajab-Image
    Date: Sep 27, 2026    Views: 2849

    ଭୁବନେଶ୍ୱର: ଓଡ଼ିଆ ଭାଷାକୁ ଜ୍ଞାନ, ଦକ୍ଷତା, ନବସୃଜନ ଓ ସୁଯୋଗର ଭାଷା ଭାବେ ବିକଶିତ କରିବା ପାଇଁ ସମସ୍ତଙ୍କ ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି। କେବଳ ଓଡ଼ିଆ କହିବା ନୁହେଁ, ଏହି ଭାଷାରେ ଜ୍ଞାନ ହାସଲ, ଦକ୍ଷତା ବିକାଶ ଓ ନୂଆ ସୁଯୋଗ ସୃଷ୍ଟି କରିବା ହିଁ ଭାଷାର ପ୍ରକୃତ ସଶକ୍ତୀକରଣ ବୋଲି ସେ କହିଛନ୍ତି।

    ଶନିବାର ଦିନ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ସାମାଜିକ-ସାଂସ୍କୃତିକ ଓ ସାହିତ୍ୟିକ ଅନୁଷ୍ଠାନ ‘ବିଶ୍ୱମୁକ୍ତି’ ପକ୍ଷରୁ ଆୟୋଜିତ 'ଆମ ଭାଷା- ଆମ ଗର୍ବ ଓ ବିକଶିତ ଓଡ଼ିଶା@୨୦୩୬ ପାଇଁ ଦୃଷ୍ଟିଭଙ୍ଗୀ’ ଶୀର୍ଷକ ରାଜ୍ୟସ୍ତରୀୟ ସେମିନାରରେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି।

    ଏହି ଅବସରରେ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ରଚିତ କବିତା ସଂକଳନ ‘ଉଠିବକି ଜାତିର କଙ୍କାଳ’ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। କବିତା ସଂକଳନ ପ୍ରକାଶ ପାଇଁ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ରାଜ୍ୟପାଳ ଅଭିନନ୍ଦନ ଜଣାଇଥିଲେ।

    ରାଜ୍ୟପାଳ କହିଥିଲେ ଯେ ଓଡ଼ିଆରେ ଗୁଣାତ୍ମକ ଶିକ୍ଷା ସାମଗ୍ରୀ, ବିଶେଷକରି ବୈଷୟିକ, ବୈଜ୍ଞାନିକ ଓ ବୃତ୍ତିଗତ ବିଷୟର ପୁସ୍ତକ ଉପଲବ୍ଧ ହେବା ଆବଶ୍ୟକ। ଆଇନ, ସରକାରୀ ଯୋଜନା ଓ ଜରୁରୀ ସରକାରୀ ଦସ୍ତାବିଜକୁ ମଧ୍ୟ ସରଳ ଓ ସହଜ ଓଡ଼ିଆରେ ଅନୁବାଦ କରାଯିବା ଦରକାର। ଏହା ଦ୍ୱାରା ବିଶେଷକରି ଓଡ଼ିଆ ମାଧ୍ୟମର ଛାତ୍ରଛାତ୍ରୀମାନେ ସହଜରେ ବୁଝିବା, ଶିଖିବା ଓ ଆଗକୁ ବଢ଼ିବାର ସୁଯୋଗ ପାଇବେ।

    ଭାଷା କେବଳ ଯୋଗାଯୋଗର ମାଧ୍ୟମ ନୁହେଁ ବୋଲି ମତ ଦେଇ ରାଜ୍ୟପାଳ କହିଥିଲେ ଯେ ମାତୃଭାଷା ଏକ ଜାତିର କଳ୍ପନା, ମୂଲ୍ୟବୋଧ ଓ ସାମୂହିକ ଆକାଂକ୍ଷାକୁ ପ୍ରତିଫଳିତ କରେ। ଏହା ଶିଶୁମାନଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ସମାଜରେ ଜ୍ଞାନ ବିନିମୟ ଓ ସାମାଜିକ-ଆର୍ଥିକ ଜୀବନରେ ସଫଳ ଭାବେ ଅଂଶଗ୍ରହଣରେ ସହାୟକ ହୁଏ।

    ଓଡ଼ିଶାର ସମୃଦ୍ଧ ଭାଷା ଓ ସାହିତ୍ୟ ପରମ୍ପରା ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟପାଳ ଜୟଦେବ, ସାରଳା ଦାସ ଓ ଉପେନ୍ଦ୍ର ଭଞ୍ଜଙ୍କ ଅବଦାନକୁ ସ୍ମରଣ କରିଥିଲେ। ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାର ଗଠନ ଏକ ଐତିହାସିକ ସଫଳତା ଥିଲା ବୋଲି ସେ କହିବା ସହ ଭାଷା, ଐତିହ୍ୟକୁ ସୁରକ୍ଷିତ, ସମୃଦ୍ଧ କରିବା ଓ ଆଗକୁ ନେବାରେ ପ୍ରତ୍ୟେକ ପିଢ଼ିର ଦାୟିତ୍ୱ ରହିଛି ବୋଲି ସେ କହିଥିଲେ।

    ବିକଶିତ ଓଡ଼ିଶା@୨୦୩୬ ଲକ୍ଷ୍ୟ ଦିଗରେ ଆଗକୁ ବଢ଼ିବା ସମୟରେ ଓଡ଼ିଆକୁ ଜ୍ଞାନ ଓ ନବସୃଜନର ଏକ ଗତିଶୀଳ ଭାଷାରେ ପରିଣତ କରିବାକୁ ସେ ଆହ୍ୱାନ ଦେଇଥିଲେ। ଆଧୁନିକ ପ୍ରଯୁକ୍ତି, ଡିଜିଟାଲ ପ୍ଲାଟଫର୍ମ ଓ କୃତ୍ରିମ ବୁଦ୍ଧିମତ୍ତା ଓଡ଼ିଆ ଭାଷାକୁ ଯୁବପିଢ଼ି ପାଇଁ ଅଧିକ ପ୍ରାସଙ୍ଗିକ ଓ ସହଜଲଭ୍ୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ ବୋଲି ସେ କହିଥିଲେ।

    ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା, ବୃତ୍ତିଗତ କ୍ଷେତ୍ର ଓ ଉଦୀୟମାନ ପ୍ରଯୁକ୍ତିରେ ସମାନ ସୁଯୋଗ ମିଳିବା ଉଚିତ ବୋଲି ରାଜ୍ୟପାଳ କହିଥିଲେ। ଜାତୀୟ ଶିକ୍ଷା ନୀତି-୨୦୨୦ରେ ମାତୃଭାଷାଭିତ୍ତିକ ଶିକ୍ଷା ଉପରେ ଦିଆଯାଇଥିବା ଗୁରୁତ୍ୱକୁ ସେ ପ୍ରଶଂସା କରିଥିଲେ। ଓଡ଼ିଆରେ ମଜଭୁତ ଭିତ୍ତି ସହ ଇଂରାଜୀ ଓ ଅନ୍ୟ ଭାଷାରେ ଦକ୍ଷତା ଯୁବପିଢ଼ିର ଦୃଷ୍ଟିକୋଣକୁ ବ୍ୟାପକ କରିବା ସହ ରାଜ୍ୟର ବିକାଶରେ ସହାୟକ ହେବ ବୋଲି ସେ କହିଥିଲେ।

    ଗ୍ରାମୀଣ ଓ ସହରାଞ୍ଚଳର ଯୁବକ-ଯୁବତୀ, ମହିଳା, ଶ୍ରମଜୀବୀ ଓ ବିଭିନ୍ନ ଗୋଷ୍ଠୀ ପାଇଁ ଜ୍ଞାନ, ଦକ୍ଷତା, ପ୍ରଯୁକ୍ତି ଓ ସୁଯୋଗ ଉପଲବଧ  କରାଇବାକୁ ମଧ୍ୟ ସେ ଆହ୍ୱାନ ଦେଇଥିଲେ।

    ଏହି ଅବସରରେ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ମାନ୍ୟବର ଭୁବନେଶ୍ୱର (ଏକାମ୍ର) ବିଧାୟକ ଶ୍ରୀ ବାବୁ ସିଂହ, ବିଶିଷ୍ଟ ଲେଖିକା ଓ ବକ୍ତା ପ୍ରଫେସର ଅର୍ଚ୍ଚନା ନାୟକ ଏବଂ ବିଶିଷ୍ଟ ଲେଖକ ଅଧ୍ୟାପକ ବିଶ୍ୱରଞ୍ଜନ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ‘ବିଶ୍ୱମୁକ୍ତି’ର ସମ୍ପାଦକ ପ୍ରଫେସର ଶଶାଙ୍କ ଚୂଡ଼ାମଣି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook