ମୁଖ୍ୟ ଖବର
ନୂଆଦିଲ୍ଲୀ ଗୌତମ ଗମ୍ଭୀର ହେଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ବିସିସିଆଇ ସଂପାଦକ ଜୟ ଶାହ ଏହି ଘୋଷଣା କରିଛନ୍ତି। ଆଇପିଏଲ୍ ୨୦୨୪ ଶେଷ ପରଠାରୁ ଗୌତମ ଗମ୍ଭୀର ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ୍ ହେବେ ବୋଲି ଜୋର ଚର୍ଚ୍ଚା ଧରିଥିଲା। କାରଣ ଚଳିତ ବର୍ଷ କୋଲକାତା ନାଇଟ ରାଇଡର୍ସ ଆଇପିଏଲରେ ଚାମ୍ପିୟନ ହୋଇଥିଲା। ଆଉ ଏହାର ମେଣ୍ଟର ଥିଲେ ଗୌତମ ଗମ୍ଭୀର। ତାଙ୍କ ମାର୍ଗ ଦର୍ଶନରେ କୋଲକାତା ନାଇଟ ରାଇଡର୍ସକୁ ଏହି ସଫଳତା ମିଳିଥିଲା। ସେହିପରି ରାହୁଲ ଡ୍ରାଭିଡ ମଧ୍ୟ ଆଉ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରହିବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ। ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଶେଷ ହେବା ସହିତ ତାଙ୍କ କାର୍ୟ୍ୟକାଳ ଶେଷ ହୋଇଯାଇଛି। ସେ ଏକ ମଧୁର ସ୍ମୃତି ନେଇ ମୁଖ୍ୟ କୋଚ୍ ପଦରୁ ଅବସର ନେଇଛନ୍ତି। କାରଣ ଟିମ୍ ଇଣ୍ଟିଆ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଛି।
ଗମ୍ଭୀର ପ୍ରଥମେ ଲକ୍ଷ୍ମୌ ସୁପର ଜାଏଣ୍ଟସର ମେଣ୍ଟର ଥିଲେ। ୨୦୨୨ରେ ସେ ଦଳ ସହିତ ଯୋଗ ଦେଇଥିଲେ। ସେ ଦୁଇଟି ଟର୍ମ ଦଳର ମେଣ୍ଟର ଥିବା ବେଳେ ଦଳ ପ୍ଲେଅଫ୍ ରାଉଣ୍ଡକୁ ଯାଇଥିଲା। ତା’ପରେ ସେ ଚଳିତ ବର୍ଷ କୋଲକାତା ନାଇଟ ରାଇଡର୍ସକୁ ଆସିଥିଲେ। ସେ ପ୍ରଥମେ ଏହି ଦଳର ଖେଳାଳି ଥିଲେ। ୨୦୧୭ରେ ସେ ଏହି ଦଳ ଛାଡ଼ିଥିଲେ। ତାଙ୍କ ନେତୃତ୍ୱରେ କୋଲକାତା ନାଇଟ ରାଇଡର୍ସ ଦୁଇ ଥର- ୨୦୧୨ ଓ ୨୦୧୪ରେ ଆଇପିଏଲ୍ ଚାମ୍ପିୟନ ହୋଇଥିଲା। ଆଉ ଚଳିତ ବର୍ଷ ତାଙ୍କ ମାର୍ଗ ଦର୍ଶନରେ ଦଳ ତୃତୀୟ ଥର ପାଇଁ ଚାମ୍ପିୟନ ହୋଇଥିଲା। ମେଣ୍ଟର ଭାବରେ ତାଙ୍କ ଦୃଷ୍ଟିକୋଣ ପୂରା ସ୍ପଷ୍ଟ ଥିଲା। ସେଥିପାଇଁ ଦଳ ଚାମ୍ପିୟନ ହେଲା। ଗୌତମ ଗମ୍ଭୀର ଭାରତ ପାଇଁ ୧୪୭ଟି ଦିନିକିଆ ମ୍ୟାଚ୍ ଖେଳି ୫,୨୩୮ ରନ୍ କରିଥିଲେ।
Comments ସମସ୍ତ ମତାମତ