ମୁଖ୍ୟ ଖବର
ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୬-୨୭ରେ ଭାରତର ଜିଡିପି ଅଭିବୃଦ୍ଧି ହାର ୭% ରହିବ। ଭାରତ ପୂର୍ବଭଳି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଆଗକୁ ବଢ଼ିବ। ଏଭଳି ଆକଳନ କରିିଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ)। ବୈଶ୍ୱିକ ଅର୍ଥନୀତିରେ ମନ୍ଥରତା ଏବଂ ଅସ୍ଥିରତା ରହିଥିଲେ ମଧ୍ୟ ଦୃଢ଼ ଆଭ୍ୟନ୍ତରୀଣ ଚାହିଦା ଏବଂ ସେବା କ୍ଷେତ୍ରର ଦ୍ରୁତ ଅଗ୍ରଗତି ଓ କ୍ରମାଗତ ଗଠନମୂଳକ ସଂସ୍କାର ଯୋଗୁ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ଅଗ୍ରସର ହେଉଥିବା ପ୍ରମୁଖ ଅର୍ଥନୀତି ରାଷ୍ଟ୍ର ମଧ୍ୟରେ ସ୍ଥାନ ବଜାୟ ରଖିଛି ବୋଲି ଆଇଏମ୍ଏଫ ତରଫରୁ ଦର୍ଶାଯାଇଛି। ଅନ୍ୟପକ୍ଷରେ ବର୍ଦ୍ଧିତ ତୈଳ ଦର ଓ ଖାଦ୍ୟ ସାମଗ୍ରୀ ଦାମ୍ ତଥା ଭୂ-ରାଜନୈତିକ ଅସ୍ଥିରତା ବିଶ୍ବ ଅର୍ଥନୀତି ସହ ଭାରତୀୟ ଅର୍ଥନୀତି ପାଇଁ ଆହ୍ବାନ ସୃଷ୍ଟି କରିପାରେ ବୋଲି ଆଇଏମ୍ଏଫ ରିପୋର୍ଟରେ ଉଲ୍ଲେଖ ରହିଛି।
ସୂଚନାଥାଉ କି ବିଭିନ୍ନ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଚଳିତ ଆର୍ଥିକ ବର୍ଷରେ ଏପ୍ରିଲରୁ ଜୁନ୍ ମଧ୍ୟରେ ଭାରତର ଜିଡିପି ଅଭିବୃଦ୍ଧି ୭.୮% ରହିଥିଲା। ନିଜ ରିପୋର୍ଟରେ ଆଇଏମ୍ଏଫ ଦର୍ଶାଇଛି ଯେ ବିଶ୍ବର ବିଭିନ୍ନ ସ୍ଥାନରେ ଯୁଦ୍ଧ ଯୋଗୁଁ ଉତ୍ପନ୍ନ ସ୍ଥିତି କାରଣରୁ ତୈଳ ପରିବହନ ବାଧାପ୍ରାପ୍ତ ହୋଇଛି। ତେବେ ଏହାର ବିଶେଷ ପ୍ରଭାବ ଭାରତର ଜିଡିପି ଉପରେ ଅନୁଭୂତ ହେଉନାହିଁ। ଦୃଢ଼ ଆଭ୍ୟନ୍ତରୀଣ ଚାହିଦା ଓ ପ୍ରତିରକ୍ଷା କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ଯୋଗୁଁ ଭାରତର ଜିଡିପି ଅଭିବୃଦ୍ଧି ଆଗାମୀଦିନରେ ଅତିକମ୍ରେ ୭% ରହିବ ବୋଲି ଆଶା କରାଯାଉଛି। ଆଇଏମ୍ଏଫ ବ୍ୟତୀତ ବିଶ୍ବ ବ୍ୟାଙ୍କ, ଓଡିସିଡି, ମୁଡିସ୍ ରେଟିଂ, ଫିଟ୍ଚ ରେଟିଂ, ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ ଆଦି ନିଜ ରିପୋର୍ଟରେ ଭାରତର ଜିଡିପି ଅଭିବୃଦ୍ଧି ନେଇ ସକାରାତ୍ମକ ମନ୍ତବ୍ୟ େଦଇଛନ୍ତି।
Comments ସମସ୍ତ ମତାମତ