Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୭.୮% ଜିଡିପିକୁ ନେଇ ବିରୋଧୀ ଉଠାଇଲେ ପ୍ରଶ୍ନ

    Share on :
    ajab-Image
    Date: Sep 3, 2026    Views: 3042

    ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ଭାରତର ଜିଡିପି ଅଭିବୃଦ୍ଧି ୭.୮% ରହିବା ନେଇ ବିରୋଧୀ ଦଳ ଓ ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗଙ୍କ ପ୍ରଶ୍ନ ଉଠାଇଛନ୍ତି। ବିରୋଧୀଙ୍କ ଏପରି ପ୍ରଶ୍ନ ପରେ କେନ୍ଦ୍ର ସରକାର ଏକ ଏଫଏକ୍ୟୁ ଜାରି କରି ସ୍ପଷ୍ଟୀକରଣ ଦେଇଛନ୍ତି। ପୂର୍ବତନ ଅର୍ଥ ସଚିବ ଗର୍ଗ ଓ ବିରୋଧୀ କଂଗ୍ରେସ ଦଳ ଦାବି କରିଥିଲେ ଯେ ଚଳିତ ବର୍ଷର ଜିଡିପି ଅଭିବୃଦ୍ଧିକୁ ଅଧିକ ଦେଖାଇବା ପାଇଁ ଗତବର୍ଷର ପ୍ରଥମ ତିନିମାସର ଜିଡିପି ଆକଳନକୁ ୮୬ ଲକ୍ଷ କୋଟି ଟଙ୍କାରୁ ହ୍ରାସ କରି ୮୦ ଲକ୍ଷ କୋଟି ଟଙ୍କା କରାଯାଇଛି। ଯଦି ପୁରୁଣା ତଥ୍ୟ ଆଧାରରେ ଗଣନା କରାଯାଏ, ତେବେ ପ୍ରକୃତ ଅଭିବୃଦ୍ଧି ହାର ମାତ୍ର ୨.୬% ହେବ। ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ କହିଛି ଯେ ତଥ୍ୟକୁ କମ୍ ଦେଖାଇବା ପାଇଁ କୌଣସି ହେରଫେର କରାଯାଇନାହିଁ। ୨୦୨୨-୨୩ ବର୍ଷକୁ ଆଧାର କରି ନୂତନ ଆଇଆଇପି ଓ ପିପିଆଇ ତଥ୍ୟ ସାମିଲ ହେବା ଏବଂ ଗଣନା ପ୍ରଣାଳୀରେ ସୁଧାର ଆସିବା ଯୋଗୁଁ ଏହି ସଂଶୋଧନ ହୋଇଛି। ସରକାର ସ୍ପଷ୍ଟ କରିଛନ୍ତି ଯେ ପୁରୁଣା ଆଧାର ବର୍ଷ (୨୦୧୧-୧୨)ର ୮୬ ଲକ୍ଷ କୋଟି ଟଙ୍କା ସହ ନୂଆ ଆଧାର ବର୍ଷ (୨୦୨୨-୨୩)ର ୮୮.୨୭ ଲକ୍ଷ କୋଟି ଟଙ୍କାକୁ ତୁଳନା କରିବା ନିୟମ ସଙ୍ଗତ ନୁହେଁ। ନୂତନ ସିରିଜ୍‌ର ୮୦.୩୨ ଲକ୍ଷ କୋଟି ଟଙ୍କା ସହ ହିଁ ତୁଳନା କରାଯିବା ଉଚିତ୍। ନିର୍ମାଣ କ୍ଷେତ୍ରରେ ‘ନେଗେଟିଭ୍ ଡିଫ୍ଲେଟର (-୧.୫%)’କୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତରରେ ସରକାର କହିଛନ୍ତି ଯେ ‘ଡବଲ୍ ଡିଫ୍ଲେସନ୍’ ପ୍ରଣାଳୀ ଯୋଗୁଁ ଏପରି ହୋଇଛି, ଯାହାର ଅର୍ଥ ଜିନିଷର ଦାମ୍ କମିଯିବା ନୁହେଁ। ସରକାରଙ୍କ କହିବା ଅନୁଯାୟୀ ଜିଡିପି ଡିଫ୍ଲେଟର, ସିପିଆଇ (ଖାଉଟି ମୁଦ୍ରାସ୍ଫୀତି)ଓ ଡବ୍ଲ୍ୟୁପିଆଇ (ପାଇକାରୀ ମୁଦ୍ରାସ୍ଫୀତି)ର କାର୍ଯ୍ୟକ୍ଷେତ୍ର ଅଲଗା ଅଲଗା। ଜିଡିପି ଡିଫ୍ଲେଟର ସମଗ୍ର ଅର୍ଥବ୍ୟବସ୍ଥାର ନିବେଶ, ସରକାରୀ ଖର୍ଚ୍ଚ ଓ ସେବା କ୍ଷେତ୍ରକୁ ସାମିଲ କରିଥାଏ।
    ଜିଡିପି ଅଭିବୃଦ୍ଧି ୭.୮% ଦର୍ଶାଯିବାକୁ ସୁଭାଷ ଚନ୍ଦ୍ର ଗର୍ଗ ବିରୋଧ କରିଛନ୍ତି। ସେ କହିଛନ୍ତି ବେସ୍ ଇଅର୍ ବଦଳିବା ଓ ଆଧାର ମୂଲ୍ୟରେ ସଂଶୋଧନ କରାଯାଇଥିବାରୁ ଜିଡିପି ଅଭିବୃଦ୍ଧି ଅଧିକ ହୋଇଛି। ନୂତନ ସିରିଜ୍‌ ଆସିବା ପରେ ପୂର୍ବ ବର୍ଷର ଆଧାରିତ ତଥ୍ୟକୁ ବହୁତ କମ୍‌ ଦେଖାଯାଇଛି, ଯାହାଫଳରେ ଚଳିତ ବର୍ଷର ଅଭିବୃଦ୍ଧି ଅଧିକ ଜଣାପଡ଼ୁଛି। ମାତ୍ର ବାସ୍ତବିକ ଅଭିବୃଦ୍ଧି ବହୁତ କମ୍ ରହିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook