Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସିଟି ଗ୍ୟାସ ବିତରଣ ନୀତି ବିଜ୍ଞପ୍ତି ଜାରି

    Share on :
    ajab-Image
    Date: May 8, 2026    Views: 2299

    ଭୁବନେଶ୍ୱର : ପାଇପ ଯୋଗେ ରନ୍ଧନ ଗ୍ୟାସ ପହଞ୍ଚିବ ଘରେ । ରାଜ୍ୟର ବିଭିନ୍ନ ସହରରେ ସ୍ଥାପନ ସିଏନଜି ଷ୍ଟେସନ । ଏ ଦିଗରେ ପ୍ରକ୍ରିୟା ଆଗେଇଛନ୍ତି ରାଜ୍ୟ ସରକାର । କ୍ୟାବିନେଟ ଅନୁମୋଦନ ପରେ ରାଜ୍ୟ ନଗର ଉନ୍ନୟନ ବିଭାଗ ଆଣିଛି ସିଟି ଗ୍ୟାସ ବିତରଣ ନୀତି ବିଜ୍ଞପ୍ତି । ଏହି ପ୍ରକଳ୍ପରେ ପ୍ରାୟ ୫୧୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ୯ ଲକ୍ଷ ୯ ହଜାର ୬୮୨ଟି ପରିବାରକୁ ପାଇପ ଯୋଗେ ଘରୋଇ ରନ୍ଧନ ଗ୍ୟାସ (ପିଏନଜି) ସଂଯୋଗ ହେବ । ଏହାସହିତ ୨୭୧ଟି ସିଏନଜି ଷ୍ଟେସନ ସ୍ଥାପନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ନଗର ଉନ୍ନୟନ ବିଭାଗକୁ ନୋଡାଲ୍‌ ଏଜେନ୍ସି ନିଯୁକ୍ତ କରାଯାଇଛି । 
    ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଶୀର୍ଷ କମିଟି ଓ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅନୁଧ୍ୟାନ କମିଟି ଗଠନ ହୋଇଛି । ଜିଲ୍ଲାସ୍ତର କମିଟିଗୁଡ଼ିକୁ ସିଙ୍ଗଲ୍‌ ୱିଣ୍ଡୋ ଅନୁମୋଦନ ବ୍ୟବସ୍ଥା ଭାବେ କାର୍ଯ୍ୟ କରିବାର ଅଧିକାର ଦିଆଯାଇଛି । ଫଳରେ ଗ୍ୟାସ୍‌ ପାଇପ୍‌ଲାଇନ୍‌ ବିଛାଇବା ଏବଂ ଭିତ୍ତିଭୂମି ଛିଡ଼ା କରିବା ସମ୍ପର୍କିତ ଅନୁମତି ପ୍ରକ୍ରିୟାକୁ ଅଧିକ ସରଳ ତ୍ୱରିତ ହେବ । ସିଟି ଗ୍ୟାସ ବିତରଣ କ୍ଷେତ୍ରର ଦ୍ରୁତ ସମ୍ପ୍ରସାରଣକୁ ପ୍ରୋତ୍ସାହନ ଦେବାକୁ ସମସ୍ତ ଅନୁମତି ଏବଂ ତଦାରଖ ଶୁଳ୍କ ୨୦୧୭ ମସିହା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଛାଡ଼ କରାଯାଇଛି । ନୀତିର ବ୍ୟବସ୍ଥା ଅନୁସାରେ ପ୍ରକଳ୍ପ ପାଇଁ ଆବେଦନ ମିଳିବାର ୭ଟି କାର୍ଯ୍ୟଦିବସ ମଧ୍ୟରେ ଅନୁମତି ଦିଆଯିବ । ୩୦ ଦିନ ମଧ୍ୟରେ କୌଣସି ନିଷ୍ପତ୍ତି ନ ହେଲେ ଏହାକୁ ସ୍ୱତଃ ଅନୁମୋଦିତ ଭାବେ ଗ୍ରହଣ କରାଯିବ ।
    ରାଜ୍ୟରେ ସିଟି ଗ୍ୟାସ ବିରତଣ ଭିତ୍ତିଭୂମି ବିକାଶ ପାଇଁ ଗେଲ୍‌, ଗେଲ୍‌ ଗ୍ୟାସ, ବିପିସିଏଲ୍‌, ଆଦାନୀ ଟୋଟାଲ୍‌, ମେଘା ଗ୍ୟାସ ଭଳି ୫ଟି ପ୍ରମୁଖ ସଂସ୍ଥା ଦ୍ୱାରା ପ୍ରାୟ ୫୧୦୦ କୋଟି ଟଙ୍କାର ନିବେଶ ସମ୍ଭାବନା ରହିଛି । ଏହା ମାଧ୍ୟମରେ ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସହରୀ ଭିତ୍ତିଭୂମି ବିକାଶକୁ ନୂଆ ଗତି ମିଳିବ । ସିଟି ଗେଟ୍‌ ଷ୍ଟେସନ୍‌ ଏବଂ ସିଏନଜି ଷ୍ଟେସନ୍‌ ସ୍ଥାପନ ପାଇଁ ସରକାରୀ ଜମିକୁ ୩୦ ବର୍ଷ ପାଇଁ ଦୀର୍ଘମିଆଦୀ ଲିଜ୍‌ ଭିତ୍ତିରେ ଅଗ୍ରାଧିକାର ଦେବାର ବ୍ୟବସ୍ଥା ରହିଛି । ୫ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ଶିକ୍ଷାନୁଷ୍ଠାନ ଓ ବେସରକାରୀ ବସ୍‌ଗୁଡ଼ିକୁ ଆଗାମୀ ଦୁଇ ବର୍ଷ ମଧ୍ୟରେ ସିଏନଜି ବ୍ୟବହାର କରିବାକୁ ପଡ଼ିବ । ଫଳରେ ସହରରେ ପ୍ରଦୂଷଣ ହ୍ରାସ ସହ ପରିବେଶ ସୁରକ୍ଷିତ ହେବ ।

    ପିଏନଜି ଓ ସିଏନଜି ଅତ୍ୟାବଶ୍ୟକ ସେବା ହୋଇଥିବାରୁ ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଏହାର ଯୋଗାଣ ଓ ପରିବହନ ବାଧାପ୍ରାପ୍ତ ହେବ ନାହିଁ। ଆଗକୁ ସମସ୍ତ ସରକାରୀ କ୍ୱାର୍ଟର୍ସ ଓ ଅଫିସ ବିଲ୍ଡିଂରେ ପିଏନଜି ସଂଯୋଗ ରହିବ। ଆବାସିକ ଓ ବାଣିଜ୍ୟିକ କୋଠାବାଡ଼ି ପ୍ଲାନ ଅନୁମୋଦନ ସମୟରେ ପିଏନଜି ପାଇପ ଲାଇନ ପାଇଁ ସ୍ଥାନ ରଖିବାକୁ ଆଗାମୀଦିନରେ ନିୟମରେ ସଂଶୋଧନ ଅଣାଯିବ । ନୀତିର ବ୍ୟବସ୍ଥା ଅନୁସାରେ ଗ୍ୟାସ ପାଇପଲାଇନ ବିଛାଇବାବେଳେ ‘ଖୋଳନ୍ତୁ ଓ ପୂର୍ବ ସ୍ଥିତିକୁ ଫେରାନ୍ତୁ’ ପଦ୍ଧତି ଆପଣାଯିବ । ପାଇପଲାଇନ ବିଛାଇବାବେଳେ ରାସ୍ତା କିମ୍ବା ଅନ୍ୟାନ୍ୟ ସମ୍ପତ୍ତିର କ୍ଷୟକ୍ଷତି ହେଲେ ସଂପୃକ୍ତ ସଂସ୍ଥା ନିଜ ଖର୍ଚ୍ଚରେ ତାହାର ମରାମତି କରିବେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook