Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଅନ୍‌ଲାଇନ୍‌ରେ ଗଞ୍ଜେଇ ଡିଲ୍‌

    Share on :
    ajab-Image
    Date: Sep 3, 2026    Views: 2629

    ବଲାଙ୍ଗିର:ଅନ୍‌ଲାଇନ୍‌ରେ ସମ୍ବଲପୁରୀ  ଶାଢ଼ି ଏବଂ ଘରକରଣା ସାମଗ୍ରୀ  ବିକ୍ରି ପାଇଁ ଅଭିଯୁକ୍ତ ଖୋଲିଥିଲେ  ‘ସମ୍ବଲପୁରୀ ଶାଢ଼ି ସେଲର’  ନାମକ ଏକ ପ୍ଲାଟଫର୍ମ । ଏହା  ମାଧ୍ୟମରେ ପାର୍ସଲରେ ଗଞ୍ଜେଇ  ପଠାଉଥିଲେ । ସିଣ୍ଡିକେଟ୍‌ ଚେର କଳାହାଣ୍ଡି ଜିଲ୍ଲା ମ.ରାମପୁରରୁ ଆରମ୍ଭ ହୋଇ ଦିଲ୍ଲୀ ଗାଜିଆବାଦ  ପର୍ଯ୍ୟନ୍ତ ଲମ୍ବିଛି ଯେଉଁଥିରେ  ବଲାଙ୍ଗିର ଥିଲା ଟ୍ରାନ୍‌ଜିଟ୍‌ ହବ୍‌ ।  ଏହି ମାମଲାରେ ପୁଲିସ୍‌ ୭ଜଣ  ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୧୩ କେଜି  ଗଞ୍ଜେଇ ଓ ଦୁଇଟି କାର ଜବତ  କରିଛି । ପାର୍ସଲ ଯାଞ୍ଚ ବ୍ୟବସ୍ଥାରେ  ଥିବା ସମସ୍ୟା ପାଇଁ ଇ-କମର୍ସ  ପ୍ଲାଟଫର୍ମରେ ଗଞ୍ଜେଇ ଚାଲାଣ  ହେଉଛି ।  ଏହାକୁ ରୋକିବାକୁ  ସମ୍ପୃକ୍ତ ଇ-କମର୍ସ ପ୍ଲାଟ୍‌ଫର୍ମର  ରାଜ୍ୟ ମୁଖ୍ୟଙ୍କୁ ତାଗିଦ୍‌  କରାଯାଇଥିବା ଏସ୍‌ପି ଅଭିଳାଷ  ଜି କହିଛନ୍ତି ।

     ଇ-କମର୍ସ ପ୍ଲାଟଫର୍ମଗୁଡ଼ିକ  କ୍ଷୁଦ୍ର ଓ ମଧ୍ୟମ ଧରଣର  ବ୍ୟବସାୟୀଙ୍କୁ ବିଶ୍ୱ ବଜାରରେ  ନିଜ ସାମଗ୍ରୀ ବିକ୍ରି ପାଇଁ ସୁଯୋଗ  ଦେଉଛି । କୌଣସି ବ୍ୟବସାୟୀ ସେଠାରେ ନିଜ ଆକାଉଣ୍ଟ ଖୋଲି ସାମଗ୍ରୀ ବିକ୍ରି କରିପାରିବ । ଏହାକୁ ନିଶା ଚାଲାଣର ସୁରକ୍ଷିତ ବାଟ କରିଥିଲେ  ମାଫିଆ । ଏଭଳି ଅନ୍‌ଲାଇନ୍‌ ନିଶା କାରବାର ସମ୍ପର୍କରେ ପୁଲିସକୁ  ଖବର ମିଳିଥିଲା । ହେଲେ ସବୁ ଅର୍ଡର ଅନ୍‌ଲାଇନ ଏବଂ  ଇ-କମର୍ସରେ ଚାଲୁଥିବାରୁ ଚିହ୍ନଟ ସହଜ ନ ଥିଲା । ଗୁଇନ୍ଦା  ସୂଚନା ଆଧାରରେ ପୁଲିସ୍‌ ସମ୍ପୃକ୍ତ ସମ୍ବଲପୁରୀ ଶାଢ଼ି ନାମକ  ଇ-କମର୍ସ ପ୍ଲାଟଫର୍ମ କମ୍ପାନିକୁ ସ୍କାନରକୁ ନେଇଥିଲା। ତାହାର ସମସ୍ତ  ପରିଚାଳନା ଟିମ, ଅର୍ଡର, ଡେଲିଭରି ନେଟୱର୍କ, ସାମଗ୍ରୀ ତଥ୍ୟ ଏବଂ  ସମସ୍ତ ଦେଣନେଣ ଯାଞ୍ଚ ପରେ ସତ୍ୟ ପଦାକୁ ଆସିଥିଲା । ଏଥିରେ  ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଉଠାଇ ଆଣି ପଚରାଉଚରା କରିବା ପରେ ନିଶା  କାରବାରର ଗୁମର ଖୋଲିଥିଲା । ସେମାନେ ସ୍ୱତନ୍ତ୍ର ବାରକୋଡ୍‌  ପ୍ରସ୍ତୁତ କରି ଗଞ୍ଜେଇ ଚାଲାଣ କରୁଥିବା ସ୍ପଷ୍ଟ ହୋଇଥିଲା ।

    ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ମ.ରାମପୁର ଥାନା ଅଞ୍ଚଳର ଚନ୍ଦ୍ରକାନ୍ତ  ତାଣ୍ଡି, ବିମଳ ତାଣ୍ଡି, ଜଗତରାମ ତାଣ୍ଡି, ଛବିଲାଲ ଧରୁଆ, ତାରାଚାନ୍ଦ  ତାଣ୍ଡି, ରତ୍ନ ଭୋଇ ଏବଂ ତୁଷୁରା ଥାନା ମାଧପୁର ଗାଁର ପ୍ରଦୀପ ସୁନାକୁ  ଗିରଫ କରାଯାଇଛି । ସେମାନଙ୍କ ପାଖରୁ ୧୦ଟି ପ୍ୟାକେଟରେ ଥିବା ୧୧୦  କେଜି ଗଞ୍ଜେଇ ଏବଂ ଦୁଇଟି କାର ଜବତ କରାଯାଇଛି । ଅଭିଯୁକ୍ତମାନେ  କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଆଣିବା ସହ ମ.ରାମପୁରସ୍ଥିତ ଜଙ୍ଗଲ  ଭିତରେ ପ୍ୟାକିଂ କରୁଥିଲେ । ସେଥିରେ ଅନଲାଇନ ଜେନେରେଟଡ୍‌  ଲୋଗୋ ଏବଂ ସ୍କାନର ଲଗାଇ ବଲାଙ୍ଗିର ଆଣୁଥିଲେ । ବଲାଙ୍ଗିରସ୍ଥିତ  ଇ-ପ୍ଲାଟଫର୍ମ କମ୍ପାନି ଟ୍ରାଞ୍ଜିଟ୍‌ ପଏଣ୍ଟରୁ ଦିଲ୍ଲୀ ପହଞ୍ଚାଉଥିଲେ । ଦିଲ୍ଲୀରେ  ବସି ଗଞ୍ଜେଇ ଅର୍ଡର କରୁଥିବା ମାଫିଆମାନେ ଏହାକୁ ସହଜରେ ପାଇ  ଯାଉଥିଲେ । ପୂର୍ବରୁ ପ୍ରାୟ ୪ଥର ଏଭଳି ଅର୍ଡର ଯାଇଥିବା ପୁଲିସ୍‌  କହିଛି । ତଦନ୍ତ ବେଳେ ପୁଲିସ୍‌ ଅନଲାଇନ କମ୍ପାନିର ରାଜ୍ୟ ମୁଖ୍ୟଙ୍କ  ସହ ଆଲୋଚନା କରି ଏହାର ଯାଞ୍ଚ ସ୍ଥିତିକୁ କଡ଼ାକଡି କରିବା ପାଇଁ  ନିର୍ଦ୍ଦେଶ ଦେଇଛି । ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସମେତ ସଦର  ଏସଡିପିଓ, ଟାଉନଥାନା ଅଧିକାରୀ, ଲକ୍ଷ୍ମୀଯୋର ଥାନାଧିକାରୀ ପ୍ରମୁଖ  ଉପସ୍ଥିତ ଥିଲେ । ପୂର୍ବରୁ ପାର୍ସଲ ବୋମା ପାଇଁ ଚର୍ଚ୍ଚିତ ଥିଲା ବଲାଙ୍ଗିର ।  ଏବେ କୋରିୟରରେ ଗଞ୍ଜେଇ ଚାଲାଣ ଆଲୋଚନାର ପ୍ରସଙ୍ଗ ପାଲଟିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook