Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଗଗନଯାନ ପାରାଶୁଟ ପରୀକ୍ଷଣ ସଫଳ

    Share on :
    ajab-Image
    Date: Feb 20, 2026    Views: 2817

    ନୂଆଦିଲ୍ଲୀ: ଭାରତର ପ୍ରଥମ ମାନବ ମହାକାଶ ମିଶନ ଗଗନଯାନ ପାଇଁ ଡ୍ରୋଗ୍ ପାରାଶୁଟ୍ର ଯୋଗ୍ୟତା ପରୀକ୍ଷଣ ସଫଳତା ପୂର୍ବକ ଶେଷ ହୋଇଛି । କ୍ୱାଲିଫିକେସନ୍ ଲେଭଲ୍ ଲୋଡ୍ ଟେଷ୍ଟ୍ ନାମରେ ଏହା ପରିଚିତ । ଏଥିରେ ସର୍ବାଧିକ ଉଡ଼ାଣ ଭାରଠୁ ଅଧିକ ଓଜନ ରଖି ପାରାଶୁଟ୍ର କ୍ଷମତା ଓ ସୁରକ୍ଷା ଯାଞ୍ଚ କରାଯାଇଛି । ପରୀକ୍ଷଣ ପରେ ସ୍ପଷ୍ଟ ହୋଇଛି ଯେ ଭାରତ ମଜଭୁତ ଓ ବଡ଼ କ୍ଷମତା ସମ୍ପନ୍ନ ରିବନ୍ ପାରାଶୁଟ୍ର ଡିଜାଇନ୍ ଓ ନିର୍ମାଣରେ ପୂର୍ଣ୍ଣ ସକ୍ଷମ । ଏହି ପାରାଶୁଟ୍ ବାସ୍ତବ ମିଶନରେ ମଧ୍ୟ ସୁରକ୍ଷିତ ଓ ସଠିକ୍ କାମ କରିବ । ଡିଆର୍‌ଡିଓ ପକ୍ଷରୁ ଗତ ବୁଧବାର ଚଣ୍ଡୀଗଡ଼ ସ୍ଥିତ ଟର୍ମିନାଲ ବାଲିଷ୍ଟିକ୍ସ ରିସର୍ଚ୍ଚ ଲାବୋରେଟୋରୀର ରେଳ ଟ୍ରାକ୍ ରକେଟ୍ ସ୍ଲେଡ୍ (ଆର୍‌ଟିଆର୍‌ଏସ)ରେ ଏହି ପରୀକ୍ଷଣ ହୋଇଥିଲା ।

    ପରୀକ୍ଷଣରେ ଇସ୍ରୋର ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର, ଡିଆର୍‌ଡିଓର ଏରିୟଲ ଡେଲିଭରୀ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ ଏଷ୍ଟାବ୍ଲିମେଣ୍ଟ ଓ ଟିବିଆର୍‌ଏଲ୍‌ର ଟିମ୍ ଭାଗ ନେଇଥିଲେ । ଗଗନଯାନ ମିଶନରେ ମହାକାଶଯାତ୍ରୀଙ୍କୁ ସୁରକ୍ଷିତ ପୃଥିବୀକୁ ଫେରାଇ ଆଣିବା ପାଇଁ ଡ୍ରୋଗ୍ ପାରାଶୁଟ୍ ଅତ୍ୟନ୍ତ ଜରୁରି । କ୍ୟାପ୍‌ସୁଲ ଯେତେବେଳେ ପୃଥିବୀ ବାୟୁମଣ୍ଡଳକୁ ଫେରେ, ଏହି ପାରାଶୁଟ୍ ତା’ର ଦ୍ରୁତ ଗତିକୁ ହ୍ରାସ କରିବାରେ ସାହାଯ୍ୟ କରେ ।

    ଇସ୍ରୋର ଗଗନଯାନ ଭାରତର ପ୍ରଥମ ମାନବ ମହାକାଶ ମିଶନ । ଭାରତୀୟ ମହାକାଶଚାରୀଙ୍କୁ ସ୍ୱଦେଶୀ ଟେକ୍ନୋଲୋଜିରେ ମହାକାଶକୁ ପଠାଇ ସୁରକ୍ଷିତ ପୃଥିବୀ ପ୍ରତ୍ୟାବର୍ତ୍ତନ କରାଇବା ଏହାର ଉଦ୍ଦେଶ୍ୟ । ଏଥିରେ ଭାରତରେ ବିକଶିତ କ୍ରୁ ମଡ୍ୟୁଲ, ସର୍ଭିସ ମଡ୍ୟୁଲ ଓ ଜୀବନ ରକ୍ଷାକାରୀ ପ୍ରଣାଳୀଗୁଡ଼ିକର ଉପଯୋଗ ହେବ । ମିଶନରେ ମହାକାଶଚାରୀ ପୃଥିବୀର ନିମ୍ନ କକ୍ଷରେ କିଛି ସମୟ ବିତାଇବା ପରେ ସୁରକ୍ଷିତ ଫେରିବେ । ଗଗନଯାନ ସଫଳ ହେବା ପରେ ଭାରତ ମାନବ ମହାକାଶ ଯାତ୍ରା ଜରିଆରେ କ୍ଷମତାସମ୍ପନ୍ନ ହାତଗଣତି ଦେଶଙ୍କ ମଧ୍ୟରେ ସାମିଲ ହେବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook