ମୁଖ୍ୟ ଖବର
ସାଂସ୍କୃତିକ ସମୃଦ୍ଧି ଓ ଜୈବ ବିବିଧତା ପାଇଁ ଖ୍ୟାତ ଭାରତରେ ଚିତାବାଘ ପରି ଏକ ବୃହତ ବନ୍ୟ ସ୍ତନ୍ୟପାୟୀ ପ୍ରାଣୀର ଅର୍ନ୍ତର୍ଦ୍ଧାନ ଗଭୀର ଚିନ୍ତାର ବିଷୟ ହୋଇଛି । ଆମେ ପ୍ରାୟତଃ ସେଭଳି ପ୍ରାଣୀମାନଙ୍କୁ ଅଣଦେଖା କରି ଚାଲିଛନ୍ତି, ଯେଉଁମାନେ ମାନବ-ପ୍ରଧାନ ଭୂଭାଗରେ ନିରବରେ ବଞ୍ଚିବା ପାଇଁ ସଂଘର୍ଷ କରିଥା’ନ୍ତି । ସେମାନଙ୍କ ଭିତରେ ଭାରତୀୟ ଧୂସର ଗଧିଆ ( କାନିସ ଲୁପୁସ ପାଲିପସ) ଅନ୍ୟତମ । ସମ୍ପ୍ରତି ଭାରତୀୟ ଜଙ୍ଗଲମାନଙ୍କରେ ମୋଟ ୩,୦୦୦ରୁ କମ ଗଧିଆ ରହିଥିବା ଆକଳନ କରାଯାଇଛି ।
ଭାରତୀୟ ଜନମାନସରେ ଗଧିଆ ଏକ ବିରୋଧାଭାସୀ ସ୍ଥାନ ଅଧିକାର କରିଛି । ଶ୍ରେଷ୍ଠ ଶିକାରୀ ଭାବରେ ଏହା ପରିବେଶଗତ ସନ୍ତୁଳନ ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ତଥାପି ମାନବ ବସତି ସହ ଏହାର ନିକଟତରତା ଏବଂ ବେଳେବେଳେ ପଶୁ ଶିକାର ଯୋଗୁଁ ଏହାକୁ ପ୍ରାୟତଃ ନକରାତ୍ମକ ଭାବେ ଗ୍ରହଣ କରାଯାଇଥାଏ । ଏହା କ୍ୱଚିତ ଜନସାଧାରଣଙ୍କର ସହାନୁଭୂତି ହାସଲ କରିଥାଏ । ଗଧିଆମାନଙ୍କୁ କେବଳ ବିପଦ ଭାବରେ ଚିତ୍ରଣ କରାଯାଇଥାଏ । ତେବେ ଏଭଳି ଭୟଙ୍କର ବାସ୍ତବତା ଭିତରେ ଝାଡ଼ଖଣ୍ଡର ଲତାହାର ଜିଲ୍ଲା ଅଧୀନ ଆଦିବାସୀ ପ୍ରଧାନ ଅଞ୍ଚଳ ମହୁଆଦାନ ଠାରେ ଗଧିଆମାନଙ୍କ ପାଇଁ ଏକ ଅଭୟାରଣ୍ୟ ସର୍ମପିତ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପାରମ୍ପାରିକ ଆଦିବାସୀ ବିଶ୍ୱାସ କିଭଳ ଏହି ପ୍ରଜାତି ପାଇଁ ଭାରତର ଏକମାତ୍ର ଉତ୍ସର୍ଗୀକୃତ ଅଭୟାରଣ୍ୟରେ ଗଧିଆମାନଙ୍କ ଚଳପ୍ରଚଳଗତ ଆଚରଣକୁ ପ୍ରଭାବିତ କରେ, ତାହା ହିଁ ଆଲୋଚ୍ୟର ବିଷୟ ପାଲଟିଛି । ଏହି ଅଞ୍ଚଳର ଆଦିବାସୀମାନେ ମୁଖ୍ୟତଃ ‘ଶରଣ ଧର୍ମ’ ପରି ପ୍ରକୃତି ପୂଜା ଅନୁସରଣ କରୁଥିବାବେଳେ ଶୀତଦିନେ ସେମାନେ ଶାଳ ଜଙ୍ଗଲକୁ ପରିହାର କରିଥା’ନ୍ତି । ସଂଯୋଗବଶତଃ ଏହି ସମୟ ହେଉଛି ଧୂସର ଗଧିଆ ମାନଙ୍କ ପ୍ରଜନନ ଋତୁ । ମହୁଆଦାନରର ଏହି ଗଧିଆ ସଂରକ୍ଷଣ କାହାଣୀ ଏକ ବିରଳ ତଥା ଆଶାଜନକ ଉଦାହରଣ ପ୍ରଦାନ କରେ ଯେ ସାଂସ୍କୃତିକ ମୂଲ୍ୟବୋଧ କେତେ ଗଭୀର ଭାବରେ ଏକ ବିପଦଗ୍ରସ୍ତ ପ୍ରଜାତିର ପରିବେଶଗତ ଆବଶ୍ୟକତା ସହିତ ସମନ୍ୱିତ ହୋଇପାରେ ।
Comments ସମସ୍ତ ମତାମତ