Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମୟୂରଭଞ୍ଜରୁ ଆବିଷ୍କାର ହେଲା ପ୍ରାୟ ୧.୫ କୋଟି ବର୍ଷ ପୂର୍ବ ଜୀବାଶ୍ମ

    Share on :
    ajab-Image
    Date: Jun 19, 2026    Views: 3279

    ରାଇରଙ୍ଗପୁର(ମୟୂରଭଞ୍ଜ): ମୟୂରଭଞ୍ଜ ଜିଲ୍ଲାରୁ ଆବିଷ୍କାର ହେଲା ପ୍ରାୟ ୧.୫ କୋଟି ବର୍ଷ ପୂର୍ବ ଜୀବାଶ୍ମ । ଏହି ଜୀବାଶ୍ମ ମାୟୋସିନ୍ ଯୁଗର ବୋଲି ଅନୁମାନ କରାଯାଉଛି । ମହୁଲିଆ ଗ୍ରାମ ନିକଟସ୍ଥ 'ଅସୁର ହାଡ଼' ନଦୀରୁ ଠାବ କରାଯାଇଛି ଏହି ଜୀବାଶ୍ମ ।

    ମୟୂରଭଞ୍ଜ ଜିଲ୍ଲାର ବାରିପଦା ସଦରମହକୁମା ଠାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂର ପ୍ରତାପପୁର ଯିବା ରାସ୍ତାରେ ପଡ଼େ ମହୁଲିଆ ଗ୍ରାମ । ଉକ୍ତ ଗ୍ରାମ ପାଖରେ ଏକ ନଦୀ ରହିଛି । ନଦୀରେ ବହୁତ ପରିମାଣରେ ହାଡ଼ ସଦୃଶ କିଛି ଜିନିଷ କାହିଁ କେଉଁ ଅମଳରୁ ପଡ଼ି ରହିଛି । ତେଣୁ ସେହି ସ୍ଥାନକୁ 'ଅସୁର ହାଡ଼' ବୋଲି କହିଥାନ୍ତି, ସ୍ଥାନୀୟ ଲୋକେ । ସେଗୁଡ଼ିକ ଜୀବାଶ୍ମ ବୋଲି ଜଣା ପଡ଼ିବା ପରେ ଏବେ ନାନା ପ୍ରକାର ଚର୍ଚ୍ଚା ହେବାରେ ଲାଗିଛି ।

    ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପିଜି ରିମୋଟ୍ ସେନ୍ସିଂ ଏବଂ ଜିଆଇଏସ୍ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଦେବବ୍ରତ ନନ୍ଦୀ ଛାତ୍ରଛାତ୍ରୀଙ୍କୁ ନେଇ ଉକ୍ତ ସ୍ଥାନ ଯାଇଥିବା ବେଳେ ବହୁତ ପରିମାଣରେ ଜୀବାଶ୍ମ ପଡିଥିବାର ଦେଖିବାକୁ ପାଇଥିଲେ । ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ ସେହି ସ୍ଥାନରେ ଜୀବାଶ୍ମ ଠାବ କରିଥିଲେ ସହକାରୀ ପ୍ରଫେସର ଡ. ନନ୍ଦୀ । ସାର୍କ ଦାନ୍ତ ଏବଂ ସାର୍କ କଟିବନ୍ଧ ଭଳି ମାଇକ୍ରୋଫସିଲ୍ ଏବଂ ଅନ୍ୟ କିଛି ଉପାଦାନ ରହିଥିବା ଜଣାପଡିଛି, ହେଲେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଗାଁ ଲୋକେ ଏହି ଜୀବାଶ୍ମକୁ 'ଅସୁର ହାଡ଼' ବୋଲି କହିଥାନ୍ତି ।

    ଯାହା ଅନୁମାନ କରାଯାଉଛି ପୂର୍ବରୁ ଉକ୍ତ ଅଞ୍ଚଳ ସହିତ ଆଖପାଖ ଅଞ୍ଚଳ ଗଭୀର ସମୁଦ୍ର ମଧ୍ୟରେ ବୁଡ଼ି ରହିଥିଲା । ସମୁଦ୍ର ଏବେ ବାରିପଦାରୁ ୬୦ କିଲୋମିଟର ଦୂର ହ୍ରାସ ପାଇଛି । ସେ ସମୟରେ ସାମୁଦ୍ରିକ ବଳୟ ଯୋଗୁଁ କୌଣସି ସାମୁଦ୍ରିକ ପ୍ରାଣୀଙ୍କ ଜୀବାଶ୍ମ ବୋଲି ଜଣାପଡ଼ିଛି । ସହକାରୀ ପ୍ରଫେସର ଡ. ନନ୍ଦୀ ଏହି ଜୀବାଶ୍ମ ଠାବ କରିବା ପରେ ଗବେଷଣା ଜାରି ରଖିଛନ୍ତି । ହେଲେ ଏ ପର୍ଯ୍ୟନ୍ତ ଜୀବାଶ୍ମ ଗୁଡ଼ିକ ଚିହ୍ନଟ ହୋଇ ପାରିନାହିଁ । ଉକ୍ତ ଜୀବାଶ୍ମ ଗୁଡ଼ିକ ଉପରେ ଅଧିକ ଗବେଷଣା କରାଯାଇ ଚିହ୍ନଟ କରାଗଲେ ମୟୂରଭଞ୍ଜ ଜିଲ୍ଲା ଏକ ଭୂ-ଐତିହ୍ୟ ସ୍ଥାନର ମାନ୍ୟତା ପାଇ ପାରିବ ବୋଲି ଆଶା କରାଯାଉଛି । ଜୀବାଶ୍ମ ମିଳିବା ତଥ୍ୟ ପ୍ରଚାରିତ ହେବା ଘଟଣା ଏବେ ରାଜ୍ୟବାସୀଙ୍କୁ ଚକିତ କରିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook