ମୁଖ୍ୟ ଖବର
ଗୌହାଟୀ: ଆସାମରେ ବନ୍ୟାସ୍ଥିତି ଭୟଙ୍କର ହୋଇଛି । ଗତ ୨୪ ଘଣ୍ଟାରେ ଆଉ ୭ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁସଂଖ୍ୟା ୭୫କୁ ବୃଦ୍ଧି ପାଇଛି । ପ୍ରାୟ ସାଢ଼େ ୩ ଲକ୍ଷ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି । ୭ ଜିଲ୍ଲା ଜଳମଗ୍ନ ରହିଛି । ସେଠାରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆସାମ ସରକାର ମୃତକଙ୍କ ପରିବାରକୁ ଦିଆଯିବାକୁ ଥିବା ଅନୁକମ୍ପା ରାଶିକୁ ୪ ଲକ୍ଷ ଟଙ୍କାରୁ ୯ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏଥିସହ ସହାୟତା ରାଶି ପାଇବା ନିୟମ ମଧ୍ୟ କୋହଳ କରିଛନ୍ତି । ଏଥିସହ ୪ ଜିଲ୍ଲାର ସର୍ବାଧିକ ପ୍ରଭାବିତ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ।
ଆସାମ ଅଧିକାରୀଙ୍କ ସୂଚନା ଅନୁସାରେ, ରାଜ୍ୟର ଶିବସାଗର, ଗୋଲାଘାଟ, ଜୋରହାଟ, ଚରାଇଦେବ, ନଙ୍ଗାବ, ସୋନିତପୁର, କାମରୁମ ମେଟ୍ରୋପଲିଟାନ ସମେତ ୭ ଜିଲ୍ଲା ବନ୍ୟାର ଶିକାର ହୋଇଛି । ଏହି ଜିଲ୍ଲାଗୁଡ଼ିକରେ ୬୨୨ ଗ୍ରାମ ପାଣିରେ ବୁଡ଼ିରହିଛି । ଚରାଇଦେବରେ ସର୍ବାଧିକ ୧.୪୨ ଲକ୍ଷ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି । ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୪୫ ହଜାର ୩୪୧ ହେକ୍ଟର ଜମିରେ ଲାଗିଥିବା ଫସଲ ବନ୍ୟା ପାଣିରେ ବୁଡ଼ିଛି । ପ୍ରଭାବିତ ଅଞ୍ଚଳରେ ୮୧ କ୍ୟାମ୍ପ୍ ବନାଯାଇଛି । ସେଠାରେ ୩୨ ହଜାର ୪୭୭ ଲୋକ ଆଶ୍ରୟ ନେଇଛନ୍ତି । ଭାରତୀୟ ବାୟୁସେନା, ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ସମେତ ବିଭିନ୍ନ ଏଜେନ୍ସି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।
Comments ସମସ୍ତ ମତାମତ