Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବନ୍ୟା ମୁକାବିଲା ଓ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର

    Share on :
    ajab-Image
    Date: Nov 22, 2026    Views: 4044

    ଭୁବନେଶ୍ୱର: ଗଞ୍ଜାମରେ ଆସିଥିବା ଭୟାନକ ବନ୍ୟା ପରେ ଚେତା ପଶିଲା । ବନ୍ୟା ମୁକାବିଲା ଓ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ୮ଟି ପ୍ରମୁଖ ନଦୀ ଅବବାହିକାରେ ଏମିତି ଭିତ୍ତିଭୂମି ଛିଡ଼ା କରାଯିବ, ଯାହା ବନ୍ୟା ଓ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ କରିବ । ଏ ନେଇ ଶୀଘ୍ର ପ୍ରସ୍ତୁତ ହେବ ମେଗା ରୋଡ୍ ମ୍ୟାପ । ଫୋକସରେ ରହିବ ମହାନଦୀ, ଋଷିକୂଲ୍ୟା, ରେଙ୍ଗାଲି ଜଳଭଣ୍ଡାର, ବ୍ରାହ୍ମଣୀ, ବୈତରଣୀ ନଦୀ ଅବବାହିକା । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଗଞ୍ଜାମ ଆଦି ଜିଲ୍ଲାରେ ବନ୍ୟା ଓ ନଦୀ ସହ ଜଡ଼ିତ ଅନ୍ୟାନ୍ୟ ସମସ୍ୟାର ସ୍ଥାୟୀ ସମାଧାନ ବାଟ କାଢ଼ିବେ ସରକାର । ଗଞ୍ଜାମ ଜିଲ୍ଲାରେ ଆସିଥିବା ଭୟାନକ ବନ୍ୟା ଓ ବିଭିନ୍ନ ନଦୀ ଅବବାହିକାରେ ବନ୍ୟାଜନିତ ସମସ୍ୟାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ଭବିଷ୍ୟତରେ ଏଭଳି ପ୍ରାକୃତିକ ବିପର୍ଯ୍ୟୟକୁ ଦୃଢ଼ତାର ସହ ମୁକାବିଲା ପାଇଁ ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଓସଡମା) ପ୍ରସ୍ତୁତି ଆରମ୍ଭ କରିଛି । ଜନଜୀବନ, କୃଷି ଓ ଭିତ୍ତିଭୂମିର କ୍ଷତି ଯେମିତି କମ୍ ରହିବ, ସେଥିପାଇଁ ରାଜ୍ୟର ୮ଟି ପ୍ରମୁଖ ନଦୀ ସିଷ୍ଟମକୁ ନେଇ ଖୁବ୍ ଶୀଘ୍ର ସ୍ୱତନ୍ତ୍ର ସମୀକ୍ଷା ବୈଠକ ଆୟୋଜନ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଏହି ବୈଠକଗୁଡ଼ିକରେ ଜଳ ସମ୍ପଦ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଏବଂ ବିଭିନ୍ନ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଯୋଗ ଦେବେ । ବିଗତ ବର୍ଷଗୁଡ଼ିକର ବନ୍ୟା ଓ ବାତ୍ୟାର ଅନୁଭୂତି, ଉପଲବ୍ଧ ତଥ୍ୟ ଓ ଡାଟାବେସ୍କୁ ଆଧାର କରି ଏକ ଦୀର୍ଘମିଆଦୀ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯିବ । ନଦୀ ବନ୍ଧ, ତତ୍ ସମ୍ପକି ର୍ତ ଭିତ୍ତିଭୂମି ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ନେଇ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ କରାଯିବ । ୧୦୦ ବର୍ଷକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ କରାଯିବ । 

    ଶ୍ରୀ ପୂଜାରୀ କହିଛନ୍ତି, ଏହି ପ୍ରକ୍ରିୟାରେ ଆବଶ୍ୟକସ୍ଥଳେ ଆଇଆଇଟି ସମେତ ବିଭିନ୍ନ ପ୍ରତିଷ୍ଠିତ ବୈଷୟିକ ଓ ଗବେଷଣା ପ୍ରତିଷ୍ଠାନଗୁଡ଼ିକର ସହଯୋଗ ନିଆଯିବ । ପ୍ରକୃତିର ପରିବତ୍ତିର୍ତ ଆଚରଣ ଓ ବଢ଼ୁଥିବା ପ୍ରାକୃତିକ ବିପର୍ଯ୍ୟୟ ଆହ୍ୱାନର ସାମ୍ନା କରିବା ପାଇଁ ଅଧିକ ସୁଦୃଢ଼, ବୈଜ୍ଞାନିକ ଓ ଦୀର୍ଘସ୍ଥାୟୀ ବ୍ୟବସ୍ଥା ଗଢ଼ାଯିବ । ରାଜ୍ୟ ସରକାର ଏ ଦିଗରେ ଏକ ସମନ୍ୱିତ ଓ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବେ । ମନ୍ତ୍ରୀ ସୂଚନା ଦେଇଛନ୍ତି, ବାତ୍ୟା ‘ଅକଭାନ’ପ୍ରଭାବ ହ୍ରାସ ପାଇବା ସହ ରାଜ୍ୟରେ ପରିସ୍ଥିତି କ୍ରମଶଃ ସ୍ୱାଭାବିକ ହେଉଛି । ରାଜ୍ୟ ସରକାରଙ୍କ ସୁଦୃଢ଼ ପ୍ରସ୍ତୁତି, ସମନ୍ୱିତ ପଦକ୍ଷେପ ଏବଂ ସମସ୍ତ ବିଭାଗର ନିଷ୍ଠାପର ଉଦ୍ୟମ ଯୋଗୁଁ ବାତ୍ୟାର ସଫଳ ମୁକାବିଲା ସମ୍ଭବ ହୋଇପାରିଛି । ଏହି ବିପର୍ଯ୍ୟୟରେ ଜିରୋ କାଜୁଆଲଟି ହାସଲ କରିବା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଉପଲବ୍ଧି । ନିଜେ ମୁଖ୍ୟମନ୍ତ୍ରୀ କଣ୍ଟ୍ରୋଲ ରୁମ୍ରେ ଉପସ୍ଥିତ ରହି ବାତ୍ୟା ସମୟରେ ସମସ୍ତ ବ୍ୟବସ୍ଥା ଏବଂ ପରିଚାଳନାର ତଦାରଖ କରିଥିଲେ । 

    ମନ୍ତ୍ରୀ ଶ୍ରୀ ପୂଜାରୀ ଆହୁରି କହିଛନ୍ତି, ବାତ୍ୟା ଓ ବର୍ଷା ଯୋଗୁ କେତେକ ଅଞ୍ଚଳରେ ଫସଲ କ୍ଷତି ହୋଇଛି । ଧାନ ଓଦା ହୋଇଯାଇଥିବା ଘଟଣା ନଜରକୁ ଆସିଛି । ଏଥିପାଇଁ ଚାଷୀମାନେ ଆଦୌ ବିଚଳିତ ହୁଅନ୍ତୁ ନାହିଁ । କ୍ଷୟକ୍ଷତିର ଠିକ୍ ଆକଳନ କରିବା ପାଇଁ ଆବଶ୍ୟକସ୍ଥଳେ ବରିଷ୍ଠ ଅଧିକାରୀମାନଙ୍କୁ କ୍ଷେତ୍ର ପରିଦର୍ଶନରେ ପଠାଯିବ । ଆସନ୍ତାକାଲି (ରବିବାର)ଠାରୁ କ୍ଷୟକ୍ଷତି ଆକଳନ ଆରମ୍ଭ ହେବ । ଏସଡିଆରଏଫ ଓ ଏନଡିଆରଏଫ୍ର ପ୍ରଚଳିତ ନିୟମାବଳୀ ଅନୁଯାୟୀ ଫସଲ କ୍ଷତି ପାଇଁ ଇନପୁଟ୍ ସବସିଡି ପ୍ରଦାନ କରାଯିବ । ଫସଲ ବୀମାଭୁକ୍ତ କୃଷକଙ୍କୁ ବୀମା କ୍ଷତିପୂରଣ ଯଥାଶୀଘ୍ର ପ୍ରଦାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ । ଓଦା ହୋଇଥିବା ଧାନକୁ ଶୁଖାଇବା ତଥା ଏହାର ସୁରକ୍ଷା ପାଇଁ ମଧ୍ୟ ସରକାର ଆବଶ୍ୟକ ବ୍ୟବସ୍ଥା କରିବେ । କୌଣସି ଚାଷୀ ଯେପରି ଅସୁବିଧାରେ ନ ପଡ଼ନ୍ତି, ସେଥିପାଇଁ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ । ଏସଆରସି ରାଜେଶ ପ୍ରଭାକର ପାଟିଲ କହିଛନ୍ତି, ଜମିରେ ଫସଲ ନଷ୍ଟ ହୋଇଥିବା ଅଞ୍ଚଳରେ କ୍ଷୟକ୍ଷତି ଆକଳନ କାମ ଶୀଘ୍ର କରାଯିବ । ପ୍ରଭାବିତଙ୍କୁ ସରକାରୀ ନିୟମ ଅନୁସାରେ ସହାୟତା ଦିଆଯିବ । ଭୂସ୍ଖଳନ ଓ ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାର ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରୁଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook