ମୁଖ୍ୟ ଖବର
ବାରିପଦା: ପୁଣି ଲଗାଣ ବର୍ଷାର ପ୍ରକୋପରେ ମୟୂରଭଞ୍ଜରେ ବନ୍ୟା ଆଶଙ୍କା ଦେଖାଦେଇଛି । ଆଇଏମଡି ପକ୍ଷରୁ ମୟୂରଭଞ୍ଜକୁ ରେଡ ଆଲର୍ଟ ଜାରି କରାଯାଇଥିବା ବେଳେ ୧୬ ରୁ ୧୯ ପର୍ଯ୍ୟନ୍ତ ୭୨ ଘଣ୍ଟା ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସତର୍କ କରାଯାଇଛି । ଗୋଟିଏ ସପ୍ତାହ ନ ହେଉଣୁ ପୁଣି ଥରେ ପ୍ରବଳ ବର୍ଷା ଯୋଗୁଁ ମୟୂରଭଞ୍ଜରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପ୍ରଶାସନର ଚିନ୍ତାର କାରଣ ପାଲଟିଥିବା ବେଳେ ନଦୀକୂଳ, ତଳିଆ ଅଞ୍ଚଳ ଅଧିବାସୀଙ୍କ ମନରେ ଛନକା ସୃଷ୍ଟି ହୋଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଆଧାରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦ କ୍ଷେପ ସ୍ୱରୂପ ସୋମବାର ଦିନ ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ ପାଞ୍ଚପୀଢ଼ ଉପଖଣ୍ଡ ଅଧିବାସୀଙ୍କ ନିମନ୍ତେ ସୋମବାର କରଞ୍ଜିଆ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହେବାକୁ ଥିବା ଯୁଗ୍ମ ଜନ ଶୁଣାଣିକୁ ସ୍ଥଗିତ ରଖାଯାଇଛି ।
ସେପଟେ ସମ୍ଭାବ୍ୟ ବନ୍ୟା ସ୍ଥିତି ପାଇଁ ସଜାଗ ରହିବାକୁ ଜିଲ୍ଲାସ୍ତରରୁ ଆରମ୍ଭ କରି ଉପଖଣ୍ଡସ୍ତରୀୟ ଏବଂ ବ୍ଲକ ସ୍ତରୀୟ ସମସ୍ତ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସମସ୍ତଙ୍କର ଛୁଟିକୁ ବାତିଲ କରିବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ସୟ ଚିଠି ନଂ ୨୪୭ରେ ନିର୍ଦ୍ଦେଶ ଦେଇଛନ୍ତି । ୧୬ ତାରିଖ ଅପରାହ୍ନରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ସଂଧ୍ୟା ପରଠାରୁ ବର୍ଷାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବରେ ବାରିପଦାରେ ଘନ ଘନ ବିଦ୍ୟୁତ କାଟ ଭଳି ସମସ୍ୟା ଉପୁଜୁଥିବା ବେଳେ ଜିଲ୍ଲା ସାରା ଏହି ସମସ୍ୟା ବଳବତ୍ତର ରହିଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଅପରାହ୍ନ ୩ ଟାରୁ ସଂଧ୍ୟା ୬ ଟା ମଧ୍ୟରେ ବାରିପଦାରେ ୧୪.୯୮୬ ମିଲି ମିଟର ବର୍ଷା ହୋଇଥିବା ବେଳେ ଡୁକୁରାରେ ସର୍ବାଧିକ ୧୬. ୭୬୪ ମିମି ବର୍ଷା ରେକର୍ଡ କରାଯାଇଛି ।
ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୦ ମିମି ରୁ କମ୍ ବର୍ଷା ହୋଇଥିବା ସୂଚନା ମିଳିଥିବା ବେଳେ ସଂଧ୍ୟା ୬ ରୁ ବର୍ଷାର ପରିମାଣ ବୃଦ୍ଧି ପାଇବାରେ ଲାଗିଛି । ସାରା ରାତି ବର୍ଷା ଲାଗି ରହିଲେ ପୁଣି ଥରେ ବୁଢାବଳଙ୍ଗ ସମେତ ସୋନ, ଗଙ୍ଗାହାର, ଜମ୍ଭୀରା, ଖଇରୀ, ଭଣ୍ଡନ, ଖଡଖାଇ, କାଳ ଓ ଅନ୍ୟାନ୍ୟ ନଦୀରେ ବନ୍ୟା ଜଳ ଆସିବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୧୩ ତାରିଖରେ ଦ୍ୱିତୀୟ ଥର ପାଇଁ ଆସିଥିବା ବନ୍ୟା ପ୍ରଭାବରେ ଜିଲ୍ଲାର ସମୁଦାୟ ୨୨ ଟି ବ୍ଲକର ୫୪ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୨୬ଟି ଗାଁ ସମେତ ବାରିପଦାର ୮ ଟି ୱାର୍ଡ ପ୍ରଭାବିତ ହୋଇଥିଲା ।
ଏହି ସମସ୍ତ ସ୍ଥାନରେ ବନ୍ୟାଜଳ ଯୋଗୁଁ ଲୋକଙ୍କର ଘରଦ୍ୱାର, ଖେତ ବାଡି ପ୍ରଭାବିତ ହୋଇଥିବା ବେଳେ ଜୀବନ ଜୀବିକା ପ୍ରଭାବିତ ହୋଇଥିଲା । ସୂଚନା ମୁତାବକ ବନ୍ୟା ଯୋଗୁଁ ୫୩୨ ଟି ଘର ୨୨ ଟି ଝୁପୁଡି ଏବଂ ୨୫ଟି ଗୁହାଳ ଘର ନଷ୍ଟ ହୋଇଛି । ସେପଟେ ବନ୍ୟା ପ୍ରପୀଡିତ ଅଞ୍ଚଳର ୪ଟି ସ୍ଥାନରେ ୫୯୦ ଜଣଙ୍କୁ ରବିବାର ମଧ୍ୟ ରନ୍ଧାଖାଦ୍ୟ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ରବିବାର ସଂଧ୍ୟା ପରଠାରୁ ଖୁବ୍ ଜୋରରେ ଆକାଶରୁ ବର୍ଷା ଝରିବାର ଆରମ୍ଭ ହୋଇଯାଇଥିବା ବେଳେ ଥମିବାର ନାଁ ନେଉ ନ ଥିବାରୁ ରାତି ତମାମ ଏଭଳି ବର୍ଷାର ପ୍ରକୋପ ଲାଗି ରହିଲେ ସୋମବାର ପୁଣି ଥରେ ବନ୍ୟା ସ୍ଥିତି ଜିଲ୍ଲାବାସୀଙ୍କୁ ଉବୁଟୁବୁ କରାଇପାରେ ବୋଲି ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି ।
Comments ସମସ୍ତ ମତାମତ