ମୁଖ୍ୟ ଖବର
ନୂଆଦିଲ୍ଲୀ: ବନ୍ୟାରେ ବୁଡ଼ିଛି ଭିଏତନାମ । ପ୍ରକୃତି ଦେଖାଇଛି ତାର କରାଳ ରୂପ। ଲଗାଣ ବର୍ଷା ପରେ ଉପୁଜିଛି ବନ୍ୟା ପରିସ୍ଥିତି । ଚାରିଆଡେ ଖାଲି ପାଣି ଆଉ ପାଣି । ରାସ୍ତା ବୁଡିଛି, ଘର ବୁଡିଛି, ଗାଡ଼ି ଭାସୁଛି । ପୂରା ସହରରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଦୂରଦୂର ଯାଏଁ ଯେଉଁଠି ବି ଦେଖିଲେ ଖାଲି ପାଣି ଆଉ ପାଣି ହିଁ ଦିଶୁଛି । ଏମିତି ଲାଗୁଛି ରାସ୍ତା ତ ନୁହେଁ ସହରିଆ ରାସ୍ତା ସତେକି ନଈ ପାଲଟିଯାଇଛି । ଭିଏତନାମରେ ଲଗାଣବର୍ଷା ପରେ ବନ୍ୟା ପରିସ୍ଥିତିରେ ବେହାଲ୍ ହୋଇଛି ଜନଜୀବନ । ମିଳିଥିବା ସୂଚନା ଅନୁସାରେ ବନ୍ୟା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୨ ହଜାର ଲୋକ ବେଘର ହୋଇଛନ୍ତି । ବର୍ଷା ପରେ ଖାଲି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନି ବରଂ ଭୂସ୍ଖଳନର ବି ଖବର ଆସୁଛି । ଭିଏତନାମର ପରିବେଶ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ- ୬ଟି ପ୍ରଦେଶରେ ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଇଛି। ନିଖୋଜ ହୋଇଥିବା ୯ ଜଣଙ୍କ ସନ୍ଧାନ ଜାରି ରହିଛି । ଭିଏତନାମର କେନ୍ଦ୍ରୀୟ ଉପକୂଳ ଅଞ୍ଚଳରେ ଗତ ତିନି ଦିନ ଭିତରେ ବର୍ଷାର ମାତ୍ରା ବଢିଛି । ପ୍ରାୟ ୧୦ ଲକ୍ଷ ପରିବାର ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି । ଅନେକ ଲୋକ ଜଳବନ୍ଦୀ ଥିବାରୁ ଛାତ ଉପରେ ଫସି ରହିଛନ୍ତି। ବନ୍ୟାବିପ୍ନଙ୍କୁ ସହାୟତା ପାଇଁ ଯୁଧ୍ୟକାଳୀନ ଭିତ୍ତିରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଜରୁରୀକାଳୀନ ଆଶ୍ରୟସ୍ଥଳ ସ୍ଥାପନ କରିବା ପାଇଁ ସାମରିକ ବାହିନୀ ଏବଂ ପୋଲିସ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି। ଲଗାତାର ବର୍ଷା ହେବା ଫଳରେ ଅନେକ ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଫଳରେ ସବୁ ରାସ୍ତା ବନ୍ଦ। ଅତ୍ୟଧିକ ବର୍ଷା ଫଳରେ ପାଖାପାଖି ୫୨,୦୦୦ ପରିବାରର ଲୋକେ ଜଳବନ୍ଦୀ ରହିଥିବା ବେଳେ ୬୨, ୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।
Comments ସମସ୍ତ ମତାମତ