ମୁଖ୍ୟ ଖବର
ଜଳେଶ୍ବର: ସତର୍କ ସଙ୍କେତ ଅତିକ୍ରମ କରି କ୍ରମଶଃ ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ରାଜଘାଟ ନିକଟରେ ବିପଦ ସଙ୍କେତ ୧୦.୩୬ ମିଟର ରହିଥିବା ବେଳେ ସତର୍କ ସଙ୍କେତ ରହିଛି ୯.୪୫ ମିଟର । ଶୁକ୍ରବାର ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦.୦୭ ମିଟରରେ ପ୍ରବାହିତ ହେଉଛି । ଯାହା ଫଳରେ ସୁବର୍ଣ୍ଣରେଖା ନଦୀରେ ଚଳିତ ବର୍ଷ ତୃତୀୟ ଥର ବନ୍ୟା ଦେଖାଦେଇଛି । ଗତ କିଛି ଦିନ ଭିତରେ ସୁବର୍ଣ୍ଣରେଖା ନଦୀରେ ଦୁଇ ଥର ବନ୍ୟା ଆସିବା ଫଳରେ ବାଲିପାଳ ବ୍ଲକର ଶତାଧିକ ୩୦ରୁ ଅଧିକ ଗାଁ ଜଳମଗ୍ନ ହୋଇଥିବା ବେଳେ ହଜାର ହଜାର ହେକ୍ଟର ଚାଷ ଜମିରେ ଫସଲ ଉଜୁଡି ଯାଇଥିଲା । ବନ୍ୟାପାଣି ଚାଷ ଜମିରୁ ସମ୍ପୂର୍ଣ୍ଣ ନଛାଡୁଣୁ ପୁଣି ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ବାଲିଆପାଳ ବ୍ଲକର ଅନେକ ତଳିଆ ଅଞ୍ଚଳରେ ବନ୍ୟା ପ୍ରବେଶ କରିଥିବା ବେଳେ ଚାଷ ଜମି ସମ୍ପୂର୍ଣ୍ଣ ଭାବରେ ବୁଡି ରହିଛି, ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ୩ରୁ ୪ଫୁଟର ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଯାତାୟତ ପାଇଁ ବୋଟ୍ ଉପରେ ନିର୍ଭର କରୁଛନ୍ତି । ବର୍ତ୍ତମାନ ସମୟରେ ପରିବା ଚାଷ, ଲଳିତା, ଧାନ ତଳି ପଚି ନଷ୍ଟ ହେବାକୁ ବସିଲାଣି ଯାହାକି ଚାଷୀର ମେରୁଦଣ୍ଡ ଭାଙ୍ଗିଯାଇଛି । ଖୁବ୍ଶୀଘ୍ର ସରକାରୀ ସାହାଯ୍ୟ ଯୋଗେଇ ଦେବାକୁ ଦାବି କରିଛନ୍ତି ବନ୍ୟା ପ୍ରଭାବିତ ଲୋକ ।
Comments ସମସ୍ତ ମତାମତ