Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀରେ ଭାସୁଛି ମଲା ମାଛ

    Share on :
    ajab-Image
    Date: Jul 22, 2026    Views: 2790

    ସାକ୍ଷୀଗୋପାଳ: ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର, ବାଳିଆ ଆଦି ବଡ଼ ଛୋଟ ମାଛ ପୋଖରୀ ମଧ୍ୟରେ ମରି ଭାସୁଥିବା ଦେଖିବାକୁ ମିଳିଛି। ପଚିସଢ଼ି ଯାଇଥିବା ମାଛଗୁଡ଼ିକର ଦୁର୍ଗନ୍ଧ ଅତିଷ୍ଠ ହେଲାଣି। ତୁରନ୍ତ ପୋଖରୀ ମଧ୍ୟରୁ ଭାସୁଥିବା ମଲା ମାଛଗୁଡ଼ିକ ବାହାର କରିବା ନେଇ ସ୍ଥାନୀୟ ଲୋକେ ଦାବି ଜଣାଇଛନ୍ତି। ପୋଖରୀ ମଧ୍ୟକୁ ସଂଯୋଗ ହୋଇଥିବା ନାଳରେ ଆବର୍ଜନା ଜଳ ପୋଖରୀକୁ ପାଣି ପଶୁଛି କିନ୍ତୁ ପୋଖରୀ ପାଣି ନିଷ୍କାସନ ଠିକ୍‌ ଭାବେ ହୋଇପାରୁ ନ ଥିବାରୁ ପାଣିରୁ ଦୁର୍ଗନ୍ଧ ବାହାରିବା ସହିତ ମାଛଗୁଡ଼ିକ ମରି ଭାସୁଛନ୍ତି। ପ୍ରତିବର୍ଷ ବର୍ଷାଋତୁ ଆରମ୍ଭରେ ଏହି ସମସ୍ୟା ଦେଖାଯାଉଥିବା ବେଳେ ଏଦିଗରେ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବା ଜଣାପଡ଼ିଛି। ପୋଖରୀକୁ ମାଛଚାଷ ପାଇଁ ନିଲାମ ଦେଇ ମନ୍ଦିର ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପାଇଁ ପ୍ରତିଦିନ ରାଜ୍ୟ ବାହାରରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ସହିତ ଆଖପାଖର ବ୍ୟବସାୟୀ ଓ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
    ସୂଚନାଯୋଗ୍ୟ, ପରମ୍ପରା କ୍ରମେ ଠାକୁରଙ୍କ ୨୧ ଦିନ ବ୍ୟାପୀ ଚନ୍ଦନ ଯାତ୍ରାରେ ଏହି ପୁଷ୍କରିଣୀରେ ଠାକୁରଙ୍କ ଚାପଖେଳ ଅନୁଷ୍ଠିତ ହୁଏ। ଏବେ ଶ୍ରୀ ସିଦ୍ଧ ବଳରାମ ଦେବଙ୍କ ରଥଯାତ୍ରାରେ ଆସି ଚନ୍ଦନ ମଣ୍ଡପରେ ନବଦିନ ଅବସ୍ଥାନ କରିଛନ୍ତି। ସ୍ଥାନୀୟ ଶ୍ରଦ୍ଧାଳୁମାନେ ଏଭଳି ପୁତିଗନ୍ଧମୟ ପରିବେଶରେ ଠାକୁରଙ୍କ ଆଡ଼ପ ଭୋଗ ପ୍ରସ୍ତୁତ କରୁଛନ୍ତି। ପୋଖରୀ ମଧ୍ୟରୁ ମଲାମାଛଗୁଡ଼ିକ ବାହାର କରିବା ନିମନ୍ତେ ତୁରନ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସତ୍ୟବାଦୀ ତହସିଲଦାର ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ପାଣିଗ୍ରାହୀ କହିଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook