ମୁଖ୍ୟ ଖବର
ଶ୍ରୀନଗର: ଜମ୍ମୁ-କାଶ୍ମୀରର ଶ୍ରୀନଗର ସ୍ଥିତ ବେମିନା ଅଞ୍ଚଳର ଦୁର୍ବଳ ବସ୍ତିରେ ଏକ ମର୍ମନ୍ତୁଦ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ କାଠ ଓ ତାରପାଲରେ ନିର୍ମିତ ପ୍ରାୟ ୮୦ଟି ଅସ୍ଥାୟୀ ଝମ୍ପୁଡ଼ି ଘର ଜଳି ପାଉଁଶ ହୋଇଯାଇଥିବାବେଳେ ଦୁଇ ଜଣ କବାଡ଼ିଆଙ୍କ ଜୀବନ ଚାଲିଯାଇଛି । ଗତକାଲି ରାତି ପ୍ରାୟ ୧୨ ଟା ୨୩ ମିନିଟ୍ ସମୟରେ ଏହି ନିଆଁ ଲାଗିଥିଲା । ଝୁମ୍ପୁଡ଼ି ଘରଗୁଡ଼ିକରେ ଜ୍ୱଳନଶୀଳ ସାମଗ୍ରୀ ଥିବାରୁ ନିଆଁ ମାତ୍ର କିଛି ସମୟ ଭିତରେ ଚାରିଆଡ଼େ ବ୍ୟାପିଯାଇଥିଲା ।
ନିଆଁ ଆୟତ୍ତ ହେବା ପରେ ଉଦ୍ଧାରକାରୀ ଦଳ ମଝିରୁ ଦୁଇଟି ଶବ ଉଦ୍ଧାର କରିଥିଲେ । ଏହି ଦୁଇଟି ଶବ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା । ମୃତକମାନେ ହେଲେ ଦିଲ୍ଲୀର ୨୭ ବର୍ଷୀୟ ମହମ୍ମଦ ନୁର ଆଲମ ଏବଂ ୧୬ ବର୍ଷୀୟ ଅଲ୍ ଅମିନ୍ । ଉଭୟେ କବାଡ଼ିଆ କାମ କରୁଥିଲେ । ଖବର ପାଇ JVC ଏବଂ ରାୱଲପୋରା ଫାୟାର ଷ୍ଟେସନର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ବଟାମାଲୁ ମୁଖ୍ୟାଳୟରୁ ଅଧିକ ଦମକଳ ଗାଡ଼ି ଆସି ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିଆଁକୁ ଆୟତ୍ତ କରିଥିଲେ । ଆଇନଗତ ପ୍ରକ୍ରିୟା ଏବଂ ଫରେନସିକ୍ ଯାଞ୍ଚ ପରେ ଶବଗୁଡ଼ିକୁ ପୁଲିସକୁ ହସ୍ତାନ୍ତର କରାଯାଇଛି । ପୋଷ୍ଟମର୍ଟମ ସରିବା ପରେ ମୃତକଙ୍କ ପରିବାରବର୍ଗଙ୍କୁ ଶବଗୁଡ଼ିକ ହସ୍ତାନ୍ତର କରାଯିବ । ପ୍ରଶାସନ ପକ୍ଷରୁ ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଛି ।
Comments ସମସ୍ତ ମତାମତ