ମୁଖ୍ୟ ଖବର
ଇସଲାମାବାଦ: ପାକିସ୍ତାନର ଇସଲାମାବାଦରେ ଥିବା ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ ହସପିଟାଲରେ ବୁଧବାର ନିଆଁ ଲାଗି ୧୫ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଡାକ୍ତରଖାନାର ମହିଳା ଓ ପ୍ରସୂତୀ ବିଭାଗର ଏକ ୱାର୍ଡରେ ଏହି ଘଟଣା ଘଟିଛି। ନିଆଁ ଲାଗିବା ବେଳେ ସେହି ୱାର୍ଡରେ ୧୬ ଜଣ ନବଜାତ ଶିଶୁ ଥିଲେ। ସେମାନଙ୍କ ମଧ୍ୟରୁ କେବଳ ଜଣଙ୍କୁ ଉଦ୍ଧାର କରାଯାଇଛି। ୧୫ ମୃତକଙ୍କ ମଧ୍ୟରୁ ୧୪ ଜଣ ସଂପୂର୍ଣ୍ଣ ଜଳି ଯାଇଥିବା ଜଣାପଡ଼ିଛି।
ସେହି ୱାର୍ଡରେ ଥିବା ଏକ ଏସିର କମ୍ପ୍ରେସରରେ ବିସ୍ଫୋରଣ ଘଟିବା ଯୋଗୁ ନିଆଁ ଲାଗିଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ୬ଟି ଦମକଳକୁ ନିଆଁଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।
ଏହି ଘଟଣାର ତଦନ୍ତ କରିବା ପାଇଁ ଜଣେ ଅତିରିକ୍ତ ଉପ କମିଶନଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି ଡାକ୍ତରଖାନାରେ ନିଆଁ ଲାଗିବାର କାରଣ ଜାଣିବା ପାଇଁ ଅନୁସନ୍ଧାନ କରିବ। ଏହି ଘଟଣା ପାଇଁ କେଉଁମାନେ ଦାୟୀ, ତାହା ବି ଉଲ୍ଲେଖ କରିବାକୁ ତଦନ୍ତ କମିଟିକୁ ନିର୍ଦ୍ଦେଶ ଦିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।
Comments ସମସ୍ତ ମତାମତ