ମୁଖ୍ୟ ଖବର
ନୂଆଦିଲ୍ଲୀ: ହଂକଂର ତାଇ ପେ ଜିଲ୍ଲାରେ ବୁଧବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଆଉ ଚାହୁଁଚାହୁଁ ହୁତୁହୁତୁ ହୋଇ ଜଳିଲା ୭ ବଡ଼ ଅଟ୍ଟାଳିକା । ତାଇ ପୋ ଜିଲ୍ଲାରେ ଥିବା ଓ୍ବାଙ୍ଗ ଫୁକ୍ କୋର୍ଟ ହାଇସିଂ କଂମ୍ଲେକ୍ସରେ ନିଆଁ ଲାଗି ୪୪ ଜଣଙ୍କର ଜୀବନ ଯାଇଥିବା ବେଳେ ପ୍ରାୟ ତିନିଶହ ଲୋକ ନିଖୋଜ ଥିବା କୁହାଯାଉଛି । ଅନେକ ଲୋକ ଏବେ ବି ବିଲ୍ଡିଂ ଭିତରେ ଫସି ରହିଥିବା ନେଇ ଅଗ୍ନିଶମ ବିଭାଗ ସ୍ପଷ୍ଟ କରିଛି ।ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଛି । ତେବେ ମୃତକଙ୍କ ମଧ୍ୟରେ ଅଗ୍ନିଶମ ବାହିନୀର ଯବାନ ମଧ୍ୟ ଅଛନ୍ତି । ଅନେକ ଲୋକ ନିଆଁରେ ପୋଡ଼ି ଗୁରୁତର ହୋଇଥିବା ବେଳେ ଅନେକ ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି । ୩୧ ମହଲା ବିଲ୍ଡିଂରେ ନିଆଁ ଲାଗିଥିବା ବେଳେ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଛି । ଘଟଣାସ୍ଥଳରେ ୭୦୦ ଅଧିକ ଫାୟାର ଫାଇଟର୍ସ ନିଆଁ ଲିଭାଇବା ଏବଂ ଲୋକଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ ଜାରି ରଖିଛନ୍ତି ।
ସୂଚନା ଅନୁସାରେ, ଏହି ଅଗ୍ନିକାଣ୍ଡ ଓ୍ବାଙ୍ଗ ଫୁକ୍ କୋର୍ଟ ନାମକ ଏକ ହାଇସିଂ କଂମ୍ଲେକ୍ସରେ ଅପରାହ୍ମ ୨.୫୧ରେ ଘଟିଛି । ଏଠାରେ ୨୦୦୦ ଫ୍ଲାଟରେ ପ୍ରାୟ ୪୬୦୦ ଲୋକ ରୁହନ୍ତି । ତେବେ ନିଆଁଟି ଗୋଟିଏ ଆର୍ପାଟମେଣ୍ଟରେ ଲାଗିବା ପରେ ଚାହୁଁଚାହୁଁ ଅନ୍ୟ କୋଠାକୁ ବ୍ୟାପି ଯାଇଥିଲା । ନିଆଁ ଲାଗିବା ପରେ ଲୋକମାନେ ପ୍ରାଣ ବିକଳରେ ତଳକୁ ଧାଇଁଥିଲେ । କିନ୍ତୁ ନିଆଁରେ ପ୍ରକୋପ ଏତେ ଥିଲା ଯେ ପ୍ରାୟ ୪୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି ଶତାଧିକ ଲୋକଙ୍କ ପତ୍ତା ମିଳୁନଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ଅନୁମାନ କରାଯାଉଛି ।
ତେବେ ଏହି ଅଗ୍ନିକାଣ୍ଡକୁ 'କ୍ଲାସ୍-୫' ଭାବେ ଶ୍ରେଣୀଭୁକ୍ତ କରାଯାଇଛି । ହଂକଂରେ ଏହାକୁ ସବୁଠୁ ଭୀଷଣ ଅଗ୍ନିକାଣ୍ଡ ବୋଲି ବିବେଚନା କରାଯାଏ ।ଘଟଣାସ୍ଥଳରେ ୭୦୦ ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇ ଲୋକଙ୍କୁ ଉଦ୍ଧାର କରୁଛନ୍ତି । ଅନେକ ସ୍ଥାନରେ ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ହାଇଡ୍ରୋଲିକ୍ ସିଡି ବ୍ୟବହାର କରୁଛି । ଲାଇଭ୍ ଫୁଟେଜରେ ଦେଖିବାକୁ ମିଳୁଛି ଯେ, ଉଦ୍ଧାରକାରୀ ଟିମ୍ ତୀବ୍ର ନିଆଁ ଓ ଘନ ଧୂଆଁ ସତ୍ତ୍ବେ ଆପାର୍ଟମେଣ୍ଟ ଭିତରକୁ ପ୍ରବେଶ କରି ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ଉଦ୍ଧାର କରୁଛନ୍ତି ।
Comments ସମସ୍ତ ମତାମତ