ମୁଖ୍ୟ ଖବର
କେରଳ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୯ ତାରିଖରେ ଭୋଟ୍ ଗ୍ରହଣ କରାଯାଇଥିବା ବେଳେ ବୁଧବାର ଆସିଛି ବୁଥ୍ ବାହୁଡ଼ା ମତ ବା ଏକ୍ଜିଟ୍ ପୋଲ (Exit Poll) ଫଳାଫଳ। ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍ଜିଟ୍ ପୋଲ୍ ଫଳାଫଳ କଂଗ୍ରେସ ପାଇଁ ଖୁସି ଖବର ଆଣିଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ମେଣ୍ଟ ଏଥର ବାଜିମାରିବ। ୧୦ ବର୍ଷ ପରେ ପୁଣି ଶାସନ କରିବ କଂଗ୍ରେସ ମେଣ୍ଟ। ଲଗାତାର ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଲକ୍ଷ୍ୟ ରଖିଥିବା ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ସିପିଆଇ (ଏମ୍) ନେତୃତ୍ୱାଧୀନ ମେଣ୍ଟ ଏଲଡିଏଫକୁ ନିରାଶ ହେବାକୁ ପଡ଼ିବ।
କେରଳରେ ସରକାର ଗଢ଼ିବା ପାଇଁ ୭୦ଟି ଆସନ ଦରକାର ହେଉଥିବା ବେଳେ ଆକ୍ସିସ ମାଇଁ ଇଣ୍ଡିଆର ଏକଜିଟ୍ ପୋଲ୍ ଅନୁଯାୟୀ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ୭୮ରୁ ୯୦ଟି ଆସନ ଜିତିବ। ଅନ୍ୟପକ୍ଷରେ ସରକାରରେ ଥିବା ସିପିଆଇ(ଏମ୍) ନେତୃତ୍ୱାଧୀନ ଏଲଡିଏଫ ୪୯ରୁ ୬୨ଟି ଆସନ ପାଇବ। ବିଜେପି ମେଣ୍ଟକୁ ୩ଟି ଆସନ ମିଳିବ।
‘ମାଟ୍ରିଜ୍’ର ଏକଜିଟ୍ ପୋଲ ମଧ୍ୟ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ପାଇଁ ଖୁସି ଖବର ଆଣିଛି। ଏହି ମେଣ୍ଟ ୭୫ରୁ ୮୫ଟି ଆସନ ଜିତିପାରେ ବୋଲି ଏହି ସଂସ୍ଥା କହିଛି। ଅନ୍ୟପକ୍ଷରେ ଏଲଡିଏଫ ୬୦ରୁ ୬୫ଟି ଆସନ ଜିତିବ। ବିଜେପି ମେଣ୍ଟକୁ ୩ରୁ୫ଟି ଆସନ ମିଳିବ ବୋଲି କୁହାଯାଇଛି।
‘ପିପୁଲସ୍ ପଲ୍ସ’ର ବୁଥ୍ ବାହୁଡ଼ା ମତ ବା ଏକ୍ଜିଟ୍ ପୋଲ କହୁଛି, କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ୭୦ରୁ ୮୫ଟି ଆସନ ଜିତିବ। ଏଲ୍ଡିଏଫକୁ ୫୫ରୁ ୬୫ଟି ଆସନ ମିଳିବ। ବିଜେପି ମେଣ୍ଟକୁ ୩ଟି ଆସନ ମିଳିବ।
‘P-MARQ’ର ଏକଜିଟ୍ ପୋଲ ଫଳାଫଳ କହୁଛି ସିପିଆଇ (ଏମ୍) ନେତୃତ୍ୱାଧୀନ ଏଲ୍ଡିଏଫ ୬୨ରୁ ୬୯ଟି ଆସନ ପାଇବ। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ୭୧ରୁ ୭୯ଟି ଆସନ ଜିତିବ। ବିଜେପି ମେଣ୍ଟ ୧ରୁ ୪ଟି ଓ ଅନ୍ୟାନ୍ୟ ୩ଟି ଆସନ ପାଇବେ।
Poll Of Exit Polls କହୁଛି କେରଳରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ୭୭ଟି ଆସନ ଜିତିବ। ସିପିଆଇ (ଏମ୍) ନେତୃତ୍ୱାଧୀନ ଏଲଡିଏଫ ମେଣ୍ଟକୁ ୬୦ ଓ ବିଜେପି ମେଣ୍ଟକୁ ୨ଟି ଆସନ ମିଳିବ। ଅନ୍ୟାନ୍ୟ ଗୋଟିଏ ଆସନ ପାଇବେ।
କେରଳ ବିଧାନସଭା ଆସନରେ ୧୪୦ଟି ଆସନ ଅଛି। ୨୦୨୧ ବିଧାନସଭା ନିର୍ବାଚନରେ ଏଠାରେ ସିପିଆଇ (ଏମ୍) ନେତୃତ୍ୱାଧୀନ ଏଲ୍ଡିଏଫ (LDF) ମେଣ୍ଟ ବାଜି ମାରିଥିଲା ଓ ପି. ବିଜୟନ ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସରକାର ଗଠନ କରିବାକୁ ୭୦ଟି ଆସନ ଦରକାର ହେଉଥିବା ବେଳେ ଏଲ୍ଡିଏ ୯୫ଟି ଆସନ ପାଇଥିଲା। ସିପିଆଇ (ଏମ୍)କୁ ସର୍ବାଧିକ ୬୧ଟି ଆସନ ମିଳିଥିବା ବେଳେ ସିପିଆଇକୁ ୧୬, କେସି(ଏମ୍)କୁ ୫, ଆଇଏସ୍ଜେଡିକୁ ୨, ଏନ୍ସିପି-ଏସ୍ପିକୁ ୨ ଏବଂ କଂଗ୍ରେସ (ଏସ୍), ଆଇଏନ୍ଏଲ, କେସି (ବି), ଏନ୍ଏସ୍ସି, ଆରଚେଡି ଏବଂ ଆରଏସ୍ପି (ଏଲ୍)କୁ ଗୋଟିଏ ଲେଖାଏ ଆସନ ମିଳିଥିଲା। ୩ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ଏହି ମେଣ୍ଟରେ ଥିଲେ। ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍କୁ ୪୨ଟି ଆସନ ମିଳିଥିଲା। କଂଗ୍ରେସକୁ ସର୍ବାଧିକ ୨୧ଟି ଆସନ ମିଳିଥିବା ବେଳେ ଆଇୟୁଏମ୍ଏଲକୁ ୧୫, କେଇସିକୁ ୨, କେସି (ଜେ)କୁ ୧, କେଡିପିକୁ ୧ ଓ ଆରଏମପିଆଇକୁ ୧ଟି ଆସନ ମିଳିଥିଲା।
Comments ସମସ୍ତ ମତାମତ