ମୁଖ୍ୟ ଖବର
ନୂଆଦିଲ୍ଲୀ: ଇଭିଏମ୍ରେ ଏବେ ପ୍ରାର୍ଥୀଙ୍କ ନାଁ ଓ ନିର୍ବାଚନୀ ଚିହ୍ନ ସହ ରହିବ ତାଙ୍କର କଲର ଫଟୋ। ବିହାର ବିଧାନସଭା ନିର୍ବାଚନରେ ଏହାର ଆରମ୍ଭ ହେବାକୁ ଯାଉଛି। ନିର୍ବାଚନ କମିଶନ ବୁଧବାର ଏହି ସୂଚନା ଦେଇଛନ୍ତି। କମିଶନ କହିଛନ୍ତି, ସମାନ ନାଁ ଥିବା ପ୍ରାର୍ଥୀଙ୍କ କାରଣରୁ ସବୁବେଳେ ମତଦାତା ବୁଝିପାରିନଥାନ୍ତି। ଏହାର ସମାଧାନ ପାଇଁ ଏବେ ଇଭିଏମ୍ରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ ଲଗାଯିବ, ଫଳରେ ମତଦାତା ନିଜର ପସନ୍ଦଯୋଗ୍ୟ ପ୍ରାର୍ଥୀଙ୍କୁ ଠିକ୍ ଭାବରେ ଚିହ୍ନଟ କରି ତାଙ୍କୁ ଭୋଟ ଦେି ପାରିବେ। ବିହାର ବିଧାନସଭା ନିର୍ବାଚନର ତାରିଖର ଘୋଷଣା ଆଗାମୀ ମାସ (ଅକ୍ଟୋବର)ରେ ଯେ କୌଣସି ସମୟରେ ଆରମ୍ଭ ହୋଇପାରେ।ଭାରତୀୟ ନିର୍ବାଚନ କମିଶନ୍ ବୁଧବାର ପ୍ରେସ୍ ରିଲିଜ୍ ଜାରି କରି କହିଛନ୍ତି, ଇଭିଏମ୍ ବାଲାଟ୍ ପେପର ଉପରେ ଏବେ ପ୍ରାର୍ଥୀଙ୍କ କଲର ଫଟୋ ଛପାଯିବ। ଏହାଦ୍ବାରା ତାଙ୍କର ପରିଚୟ ଆହୁରି ଅଧିକ ସ୍ପଷ୍ଟ ହେବ। ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ଚେହେରା ଫଟୋ ସ୍ପେସ୍ର ତିନି ଚତୁର୍ଥାଶଂ ଅଂଶରେ ରହିବ, ଫଳରେ ତାଙ୍କ ମୁହଁ ଭଲ ଭାବରେ ଦେଖାଯିବ। ଏହାଛଡା ପ୍ରତ୍ୟେକ ପ୍ରାର୍ଥୀ ଓ ନୋଟାର କ୍ରମାଙ୍କକୁ ମଧ୍ୟ ଇଭିଏମ୍ରେ ବୋଲ୍ଡ ଫଣ୍ଟରେ ଛପାଯିବ। ଏହାର ଫଣ୍ଟ ସାଇଜ୍ ୩୦ ରହିବ। ସବୁ ପ୍ରାର୍ଥୀଙ୍କ ନାଁ ଓ ନୋଟାର ଗୋଟିଏ ଫଣ୍ଟ ଓ ଫଣ୍ଟ ସାଇଜ୍ରେ ପ୍ରିଣ୍ଟ କରାଯିବ। ଫଳରେ ମତଦାତାଙ୍କୁ ପଢିବାରେ ସହଜ ହେବ।
ଇଭିଏମ୍ ବାଲାଟ ପେପରର ଓଜନର ମାନକ ମଧ୍ୟ ନିର୍ବାଚନ କମିଶନ୍ ଧାର୍ଯ୍ୟ କରିଛନ୍ତି। ଏହି ପେପର ୭୦ଜିଏସ୍ଏମ୍ରେ ହେବ। ବିଧାନସଭା ନିର୍ବାଚନ ପାଇଁ ଗୋଲାପୀ ରଙ୍ଗର ସ୍ବତନ୍ତ୍ର ପେପପର ବ୍ୟବହାର କରାଯିବ। ନିର୍ବାଚନ କମିଶନ ଏହି ପରିବର୍ତ୍ତନର ଆରମ୍ଭ ଆଗାମୀ ବିହାର ନିର୍ବାଚନରୁ କରିବାକୁ ଯାଉଛନ୍ତି। ଏହାପରେ ସବୁ ନିର୍ବାଚନରେ ଏହି ସମାନ ପକ୍ରିୟା ଗ୍ରହଣ କରାଯିବ। ଉଲ୍ଲେଖନୀୟ ଯେ, ଆସନ୍ତା ମାସ ବିହାରରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ରାଜ୍ୟର ସମସ୍ତ ୨୪୩ ବିଧାନସଭା ଆସନରେ ନିର୍ବାଚନ ପ୍ରସ୍ତୁତି ଚାଲିଛି। ନିର୍ବାଚନ କମିଶନ୍ଙ୍କ ପକ୍ଷରୁ ଭୋଟର ଲିଷ୍ଟର ସ୍ପେଶାଲ ଇନଟେନସିଭ ରିଭିଜନ୍ ବା ଏସଆଇଆର କରାଯିବା ପରେ ଫାଇନାଲ ଲିଷ୍ଟ ପ୍ରସ୍ତୁତ କରାଯିବ । ୩୦ ସେପ୍ଟେମ୍ବରରେ ଏହା ପ୍ରକାଶ ପାଇବା ପରେ ଯେ, କୌଣସି ସମୟରେ ନିର୍ବାଚନ ତାରିଖ ଘୋଷଣା କରାଯିବ। ବିହାର ପରେ ୨୦୨୬ ରେ ପଶ୍ଚିମବଙ୍ଗର, ଆସାମ, କେରଳ, ପୁଡୁଚେରୀ ଓ ତାମିଲନାଡୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।
Comments ସମସ୍ତ ମତାମତ