ମୁଖ୍ୟ ଖବର
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ନିଜର କୋଟି କୋଟି ଖାତାଧାରୀଙ୍କୁ ବଡ଼ ଆଶ୍ବସ୍ତି ଦେଇଛି। ନିୟମ ଓ ସୁବିଧାକୁ ଅଧିକ ସରଳ କରିଦେଇଛି। ଇପିଏଫଓର ୭୪ତମ ପ୍ରତିଷ୍ଠା ଦିବସ ଅବସରରେ ରବିବାର କେନ୍ଦ୍ର ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଦୁଇଟି ବଡ଼ ସୁବିଧାର ଶୁଭାରମ୍ଭ କରିଛନ୍ତି। ଆଜିଠାରୁ ଇପିଏଫଓର ହ୍ବାଟସଆପ ସେବା ଆରମ୍ଭ ହୋଇଛି। ସେହିପରି ବନ୍ଦ କିମ୍ବା ନିଷ୍କ୍ରିୟ ପଡ଼ିଥିବା ପିଏଫ ଖାତାଗୁଡ଼ିକର ଅଟୋମେଟିକ ସେଟେଲମେଣ୍ଟ ତଥା ସ୍ବୟଂକ୍ରିୟ ଟଙ୍କା ଟ୍ରାନ୍ସଫର ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି।
ଇପିଏଫଓର ଭେରିଫାଏଡ ହ୍ବାଟ୍ସଆପ୍ ନମ୍ବର ମାଧ୍ୟମରେ ଏବେ କର୍ମଚାରୀ ଭବିଷ୍ୟନିଧି (ଇପିଏଫ) ଖାତାଧାରୀମାନେ ନିଜ ମୋବାଇଲ୍ରେ ଅନେକ ସୁବିଧା ପାଇପାରିବେ। ଏହା ଅଧୀନରେ ପିଏଫ୍ ବାଲାନ୍ସ ଯାଞ୍ଚ, ଗତ ୫ଟି କାରବାରର ସୂଚନା ଓ ପାସ୍ବୁକ୍ ସମ୍ବନ୍ଧୀୟ ସୂଚନା ପାଇପାରିବେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା (ପିଏମଭିବିଆରୱାଇ) ସହ ଜଡ଼ିତ ଆବଶ୍ୟକତା ପୂରଣ ପାଇଁ ବ୍ୟକ୍ତିଗତ ମାର୍ଗଦର୍ଶନ ଓ ସହାୟତା ମଧ୍ୟ ହ୍ୱାଟ୍ସଆପ୍ରେ ଉପଲବ୍ଧ ହେବ। ଶ୍ରମ ମନ୍ତ୍ରଣାଳୟର ବିବୃତି ଅନୁଯାୟୀ, ମୋବାଇଲ୍ ପ୍ଲାଟଫର୍ମ ମାଧ୍ୟମରେ ଦୈନନ୍ଦିନ ଓ ନିୟମିତ ସେବାଗୁଡ଼ିକୁ ସହଜରେ ଉପଲବ୍ଧ କରାଇବା ହେଉଛି ଏହି ସେବାର ଉଦ୍ଦେଶ୍ୟ। ଏହା ଦ୍ବାରା ପିଏଫ୍ ଖାତାଧାରୀମାନେ ଉପକୃତ ହେବେ। ସାଧାରଣ ତଥ୍ୟ ଜାଣିବା ପାଇଁ ଇପିଏଫ୍ଓ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ। ସେହିପରି ଅଟୋମେଟିକ ସେଟେଲମେଣ୍ଟ ବ୍ୟବସ୍ଥା ନିଷ୍କ୍ରିୟ ହୋଇପଡ଼ିଥିବା ଖାତା ପାଇଁ ଉଦ୍ଦିଷ୍ଟ। ଯେଉଁ ପିଏଫ ଖାତାରେ ହଜାର ଟଙ୍କା ଜମା ହୋଇଛି ଓ ଆଧାର ଯାଞ୍ଚ ସରିଛି, ସେହି ଖାତା ପାଇଁ ଆଉ ଦାବି ଫର୍ମ ପୂରଣ କରିବାକୁ ପଡ଼ିବ ନାହିଁ। ଇପିଏଫଓର ନିର୍ଦ୍ଧାରିତ ପରିଚୟ ଓ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପରେ ଆପେ ଆପେ ଏହି ଖାତାର ସେଟେଲମେଣ୍ଟ ପ୍ରକ୍ରିୟା ଆରମ୍ଭ ହେବ। ଏହା ଦ୍ବାରା ପ୍ରକୃତ ହିତାଧିକାରୀଙ୍କୁ ବକେୟା ଅର୍ଥ ପଠାଇ ଦିଆଯିବ।
ଏହି ବ୍ୟବସ୍ଥା ଦ୍ବାରା ପ୍ରାୟ ଲକ୍ଷେ ପିଏଫ ଖାତାଧାରୀଙ୍କୁ ଲାଭ ମିଳିବ। ଏହା ମାଧ୍ୟମରେ ମୋଟ ୫ କୋଟି ଟଙ୍କା ଟ୍ରାନ୍ସଫର ହେବ। କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ସୂଚନା ଅନୁଯାୟୀ, ଇପିଏଫ୍ଓ ନିଜର ୭୪ ବର୍ଷର ଯାତ୍ରା ମଧ୍ୟରେ ଦେଶର କର୍ମଚାରୀ ବର୍ଗ ପାଇଁ ଏକ ବିଶ୍ବସନୀୟ ଅନୁଷ୍ଠାନ ଭାବେ ଉଭା ହୋଇଛି। ବର୍ତ୍ତମାନ ୮ କୋଟିରୁ ଅଧିକ ସଦସ୍ୟଙ୍କ ଅବଦାନରେ ଇପିଏଫ୍ଓ ପାଖରେ ମୋଟ ୩୨ ଲକ୍ଷ କୋଟି ଟଙ୍କାର ପାଣ୍ଠି ରହିଛି। ଇପିଏଫ୍ଓ ଖୁବ୍ଶୀଘ୍ର ନିଜର ୭୫ତମ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ତେଣୁ କର୍ମଚାରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅଧିକାରୀମାନେ ନୂତନ ଜ୍ଞାନକୌଶଳ ଓ ନବସୃଜନ ଉପରେ ଗୁରୁତ୍ୱ ଦେବା ଉଚିତ, ଏହା ଦ୍ୱାରା ପରିବର୍ତ୍ତିତ ସମୟ ସହ ଲୋକମାନେ ଆହୁରି ସହଜରେ ସେବା ପାଇପାରିବେ। ସୂଚନାଯୋଗ୍ୟ ଯେ କୌଣସି ପିଏଫ୍ ଖାତାରେ କ୍ରମାଗତ ୩୬ ମାସ ପର୍ଯ୍ୟନ୍ତ କୌଣସି ଅର୍ଥ ଜମା ନ ହେଲେ କିମ୍ବା କର୍ମଚାରୀ ଅବସର ଗ୍ରହଣ କରିବା ପରେ ନିଜ ଜମା ଟଙ୍କା ଉଠାଇଲେ ଖାତାଗୁଡ଼ିକୁ ‘ନିଷ୍କ୍ରିୟ’ ଧରାଯାଏ।
Comments ସମସ୍ତ ମତାମତ