ମୁଖ୍ୟ ଖବର
ଲର୍ଡସ: ଲର୍ଡସର ଐତିହାସିକ ମଇଦାନରେ ରବିବାର ଏଭଳି ଏକ ମ୍ୟାଚ୍ ଦେଖିବାକୁ ମିଳିଥିଲା, ଯେଉଁଥିରେ ରନ୍ ର ବର୍ଷା ହୋଇଥିଲା, ନୂତନ ରେକର୍ଡ ସୃଷ୍ଟି ହୋଇଥିଲା ଏବଂ ଶେଷରେ ଇଂଲଣ୍ଡ ବିଜୟୀ ହୋଇଥିଲା। ରୋହିତ ଶର୍ମାଙ୍କ ଚମତ୍କାର ୧୩୮ ରନ୍, ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ଏବଂ ଶୁବମନ ଗିଲ୍ଙ୍କ ଦର୍ଶନୀୟ ପାଳି ସତ୍ତ୍ୱେ ଭାରତ ପରାଜୟରୁ ବଞ୍ଚିପାରି ନଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩୮୭ ରନ୍ର ବିଶାଳ ସ୍କୋର ଛିଡ଼ା କରିବା ପରେ ଭାରତକୁ ୩୬୦ ରେ ଅଟକାଇ ମ୍ୟାଚ୍କୁ ୨୭ ରନ୍ରେ ଜିତି ନେଇଥିଲା। ଏହି ବିଜୟ ସହ ଇଂଲଣ୍ଡ ୨୦୧୮ ପରେ ପ୍ରଥମ ଥର ପାଇଁ ଭାରତ ବିପକ୍ଷ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ ନିଜ ନାମରେ କରିନେଇଛି।
ରେକର୍ଡ ଦୃଷ୍ଟିରୁ ମଧ୍ୟ ଏହି ମ୍ୟାଚ୍ ଐତିହାସିକ ପାଲଟିଯାଇଛି। ଉଭୟ ଦଳ ମିଶି ମୋଟ ୭୪୭ ରନ୍ ସଂଗ୍ରହ କରିଥିଲେ। ଯାହା ଲର୍ଡସରେ ଖେଳାଯାଇଥିବା ଯେକୌଣସି ଦିନିକିଆ ମ୍ୟାଚ୍ରେ ଉଭୟ ଦଳ ଦ୍ୱାରା ହୋଇଥିବା ସର୍ବାଧିକ ରନ୍ର ରେକର୍ଡ। ଏହା ପୂର୍ବରୁ ଲର୍ଡସରେ ସର୍ବାଧିକ ମୋଟ ରନ୍ର ରେକର୍ଡ ୬୫୫ ଥିଲା, ଯାହା ଗତବର୍ଷ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ସ୍ଥାପିତ ହୋଇଥିଲା।
ଅନ୍ୟପଟେ ଇଂଲଣ୍ଡ ମାଟିରେ ଖେଳାଯାଇଥିବା ଦିନିକିଆ ମ୍ୟାଚ୍ଗୁଡ଼ିକ ମଧ୍ୟରେ ଏହା ଦ୍ୱିତୀୟ ସର୍ବବୃହତ ସ୍କୋର। ଏହି ତାଲିକାର ଶୀର୍ଷରେ ୨୦୧୫ ରେ 'ଦ ଓଭାଲ୍'ଠାରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ହୋଇଥିବା ୭୬୩ ରନ୍ର ରେକର୍ଡ ରହିଛି। ଭାରତର ୩୬୦/୭ ସ୍କୋର ମଧ୍ୟ ରେକର୍ଡ ବୁକ୍ରେ ସ୍ଥାନ ପାଇଛି। ଏହା ସମେତ ଇଂଲଣ୍ଡ ମାଟିରେ ଏହା ଭାରତର ଦ୍ୱିତୀୟ ସର୍ବବୃହତ ଦିନିକିଆ ସ୍କୋର। ଏହା ପୂର୍ବରୁ ୧୯୯୯ ରେ ଟଣ୍ଟନଠାରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ୩୭୩/୬ ରନ୍ କରିଥିଲା।
ମ୍ୟାଚ୍ ବିଷୟରେ କହିଲେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡର ଆରମ୍ଭ ଚମତ୍କାର ରହିଥିଲା। ଜ୍ୟାକବ୍ ବେଥେଲ୍ ଏବଂ ବେନ୍ ଡକେଟ୍ ପ୍ରଥମ ୱିକେଟ୍ ପାଇଁ ଏକ ମଜଭୁତ ଭିତ୍ତିଭୂମି ସ୍ଥାପନ କରିଥିଲେ। ବେଥେଲ୍ ୯୧ ରନ୍ କରିଥିବା ବେଳେ ଡକେଟ୍ ୧୪୧ ରନ୍ର ଏକ ଆକର୍ଷଣୀୟ ପାଳି ଖେଳିଥିଲେ। ଏହାପରେ ଜୋ ରୁଟ୍ ମାତ୍ର ୪୮ ବଲ୍ରୁ ଅପରାଜିତ ୭୪ ରନ୍ ଏବଂ ଅଧିନାୟକ ଜୋସ୍ ବଟଲର ୧୩ ବଲ୍ରୁ ଅପରାଜିତ ୪୧ ରନ୍ କରି ଶେଷ ଓଭରଗୁଡ଼ିକରେ ଭାରତୀୟ ବୋଲରଙ୍କ ଉପରେ ଜୋରଦାର ଆକ୍ରମଣ କରିଥିଲେ। ଫଳସ୍ୱରୂପ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୩୮୭ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ଭାରତୀୟ ବୋଲରମାନେ ଏହି ମ୍ୟାଚ୍ରେ ପ୍ରଭାବହୀନ ରହିଥିଲେ। ପ୍ରସିଦ୍ଧ କ୍ରିଷ୍ଣା ସର୍ବାଧିକ ଦୁଇଟି ୱିକେଟ୍ ନେଇଥିବା ବେଳେ ପ୍ରିନ୍ସ ଯାଦବଙ୍କୁ ଗୋଟିଏ ସଫଳତା ମିଳିଥିଲା। ବାକି ବୋଲରମାନେ ଇଂଲିଶ୍ ବ୍ୟାଟରଙ୍କୁ ରନ୍ କରିବାରୁ ରୋକିବାରେ ବିଫଳ ହୋଇଥିଲେ।
୩୮୮ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ଭାରତୀୟ ଦଳକୁ ରୋହିତ ଶର୍ମା ଏବଂ ଶୁଭମନ ଗିଲ୍ ଏକ ଦମଦାର ଆରମ୍ଭ ଦେଇଥିଲେ। ରୋହିତ ସମାଲୋଚକଙ୍କୁ କଡ଼ା ଜବାବ ଦେଇ ୧୧୦ ବଲ୍ରୁ ୧୩୮ ରନ୍ର ଏକ ବିସ୍ଫୋରକ ପାଳି ଖେଳିଥିବା ବେଳେ ଗିଲ୍ ୮୪ ବଲ୍ରୁ ୭୭ ରନ୍ କରିଥିଲେ। ବିରାଟ କୋହଲି ମଧ୍ୟ ୬୦ ବଲ୍ରୁ ୭୪ ରନ୍ କରି ବିଜୟର ଆଶା ଜଗାଇଥିଲେ। ତେବେ ଭାରତର ପରାଜୟର ମୁଖ୍ୟ କାରଣ ସାଜିଥିଲା ମିଡିଲ୍ ଅର୍ଡରର ବିଫଳତା। ଶ୍ରେୟସ ଆୟର ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ। ଇଶାନ କିଶନ ମାତ୍ର ୧୪ ରନ୍ କରିଥିବା ବେଳେ କେଏଲ୍ ରାହୁଲ୍ ୧୨ ରନ୍ର ଯୋଗଦାନ ଦେଇଥିଲେ। ଲୋୟର ଅର୍ଡରରେ ଗୁରନୁର ବ୍ରାର୍ ୧୮ ରନ୍ କରି ଅପରାଜିତ ରହିଥିଲେ ମଧ୍ୟ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୬୦ ରନ୍ କରିବାରେ ସକ୍ଷମ ହୋଇଥିଲା।
Comments ସମସ୍ତ ମତାମତ