ମୁଖ୍ୟ ଖବର
ବ୍ରହ୍ମପୁର : ବ୍ରହ୍ମପୁରରେ ଗୋଟିଏ ଦିନରେ ତିନୋଟି ଏନକାଉଣ୍ଟର । ରବିବାର ରାତିରେ ବଡ଼ବଜାର ଥାନାଞ୍ଚଳରେ ଜଣେ ଯୁବକଙ୍କୁ କେତେକ ଦୁର୍ବୃତ୍ତ ହାଣୁଥିବାର ଭିଡିଓ ଭାଇରଲ ହୋଇଥିଲା । ଘଟଣାର ୫ ଘଣ୍ଟା ମଧ୍ୟରେ ଅର୍ଥାତ ସୋମବାର ଭୋର ସମୟରେ ଜଗନ୍ନାଥ ସାହୁ ଓରଫ ଜଗାକୁ ପୁଲିସ ଏନକାଉଣ୍ଟର କରିଥିଲା । ପୁଣି କେଇ ଘଣ୍ଟା ପରେ ଅର୍ଥାତ ସୋମବାର ରାତି ୧୨ଟାରେ ଅଉ ଦୁଇ ଜଣଙ୍କୁ ହୋଇଛି ଏନକାଉଣ୍ଟର । ଏମାନେ ଥିଲେ ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାର ଅଭିଯୁକ୍ତ।
ବ୍ରହ୍ମପୁର ବଡ଼ବଜାର ଥାନା ଅମ୍ବିକା ନଗର ଛକ ବିଚ୍ ରାସ୍ତାରେ ମଙ୍ଗଳା ବେହେରା ନାମକ ଜଣେ ଯୁବକକୁ ହାଣିଥିଲେ ଦୁର୍ବୃତ୍ତ । ଅପରାଧ ଘଟିବାର ମାତ୍ର ୫ ଘଣ୍ଟା ଭିତରେ ଅଭିଯୁକ୍ତ ଜଗନ୍ନାଥ ସାହୁ ଓରଫ ଜଗାକୁ ଏନ୍କାଉଣ୍ଟର କରିଛି ପୁଲିସ୍ । ରାତିରେ ପୁଲିସ ଟିମ୍ ଜଗାକୁ କାବୁ କରିଥିଲା । ତାକୁ ସାଙ୍ଗରେ ନେଇ ବାଉରି ସୁକୁଣ୍ଡା ଅଞ୍ଚଳକୁ ଅନ୍ୟ ଅଭିଯୁକ୍ତକୁ ଧରିବାକୁ ଯାଇଥିଲା ପୁଲିସ । ରାତି ପ୍ରାୟ ୨ଟା ୩୦ରେ ଜଗା ପୁଲିସକୁ ଚକ୍ମା ଦେଇ ଖସିଯିବା ସହ ବୋମା ଫିଙ୍ଗିଥିଲା । ଆତ୍ମରକ୍ଷା ପାଇଁ ପାଲଟା ଜବାବ୍ ଦେଇଥିଲା ପୁଲିସ ଟିମ୍ । ଜଗାର ଦୁଇ ଆଣ୍ଠୁରେ ବାଜିଛି ଗୁଳି । ଜଗାକୁ ଗୁରୁତର ଅବସ୍ଥାରେ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କହିଛନ୍ତି ବ୍ରହ୍ମପୁର ଏସ୍ପି ଡା.ସରବଣା ବିବେକ ଏମ୍ । ରାତିରେ ଏଏସ୍ପି ଆଲୋକ କୁମାର ଜେନା, ଏସ୍ଡିପିଓ ପ୍ରିୟସ ରଞ୍ଜନ ଛୋଟରାୟ ଓ ବଡ଼ବଜାର ଥାନା ଆଇଆଇସି ଆଶିଷ କୁମାର ସ୍ୱାଇଁ ଏମ୍କେସିଜିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ।
ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ପୁଲିସ ସୋମବାର ରାତି ୧୨ ଟାରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି । ସେମାନେ ହେଲେ ହେଲେ ବଡ଼ଗଡ଼ ଥାନା ନୂଆଗାଁର ରଞ୍ଜନ ମଲ୍ଲିକ(୨୭) ଓ ଗୁଜରାଟ ସୁରତ ଜିଲ୍ଲା ମୋଦି ମହଲା ଏକେ ରୋଡ୍ର ସରୋଜ ପଣ୍ଡା(୩୫) । ବ୍ରହ୍ମପୁର ଏସପି ଡ. ସରବଣା ବିବେକ ଏମ୍ କହିଛନ୍ତି ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ଏହି ଦୁଇ ଅଭିଯୁକ୍ତଙ୍କ ପ୍ରମୁଖ ଭୂମିକା ରହିଛି । ସୁଧୀରଙ୍କ ହତ୍ୟା ପରେ ଏହି ଦୁଇ ଜଣ ଦୀର୍ଘଦିନରୁ ଫେରାର ଥିଲେ । ପୁଲିସ ଏମାନଙ୍କୁ ଖୋଜୁଥିଲା ।
Comments ସମସ୍ତ ମତାମତ