ଭୁବନେଶ୍ୱର : ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଜିଲ୍ଲାପାଳ ଓ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ପ୍ରତି ପଞ୍ଚାୟତର ୱାର୍ଡରେ ରହୁଥିବା ଯୋଗ୍ୟ ଭୋଟରଙ୍କୁ ତାଲିକାରେ ରଖ । ବିଧାନସଭା ଭୋଟର ତାଲିକାରୁ ୱାର୍ଡୱାରୀ ଭୋଟର ତାଲିକା ପ୍ରସ୍ତୁତି ବେଳେ ଯେଭଳି କୌଣସି ଭୋଟର ବାଦ୍ ନପଡ଼ିବେ ଏହାକୁ ଜଗ । ଜଣଙ୍କ ନାମ ଯେମିତି ଏକାଧିକ ଅଞ୍ଚଳର ଭୋଟର ତାଲିକାରେ ନରୁହେ କଡ଼ା ଯାଞ୍ଚ କର । ଜିଲ୍ଲାପାଳ ଓ ବିଡିଓଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ।
ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସମସ୍ତ ଜିଲ୍ଲାପାଳ ଓ ବିଡିଓଙ୍କ ସହ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି । ଶୃଙ୍ଖଳିତ ନିର୍ବାଚନ ପାଇଁ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ ଜରୁରି ବୋଲି ସେ କହିଥିଲେ । ଆସନ୍ତା ନଭେମ୍ବର ୧୫ ତାରିଖ ସୁଦ୍ଧା ଜିଲ୍ଲାପାଳମାନେ ଭୋଟଦାନ କେନ୍ଦ୍ରର ସ୍ଥିତି ସମ୍ପର୍କରେ ଜଣାଇବା ସହ କମିଶନରଙ୍କୁ ଏହାର ତାଲିକା ଦେବେ । ସେହିଭଳି ଭୋଟ୍ ବାକ୍ସ ମରାମତି ଓ ରଙ୍ଗ କରିବା, ଭୋଟଗ୍ରହଣ କେନ୍ଦ୍ର ଚିହ୍ନଟ, ଅସ୍ଥାୟୀ କେନ୍ଦ୍ର ଚିହ୍ନଟ ସମ୍ପର୍କରେ ଆଲୋଚନା ହୋଇଥିଲା । ଭିଡିଓ କନଫରେନ୍ସିଂରେ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ, ସ୍ୱତନ୍ତ୍ର ସଚିବ ରଘୁରାମ ଆର୍ ଆୟାର ଓ ଉପସଚିବ ଆଜାଦହିନ୍ଦ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
Comments ସମସ୍ତ ମତାମତ