ମୁଖ୍ୟ ଖବର
ଚେନ୍ନାଇ: ତାମିଲନାଡ଼ୁରେ କିଏ ଗଢ଼ିବ ସରକାର ? କାହା ଭାଗ୍ୟକୁ ଯିବ ସିଏମ୍ ସିଟ୍ ? ତାହା ଏବେ ସସପେନ୍ସ । କାରଣ ବିଧାନସଭା ନିର୍ବାଚନ ଫଳାଫଳ ବାହାରିବା ପରେ ତାମିଲନାଡୁ ରାଜନୀତି ସରଗରମ । ରାଜ୍ୟରେ ଥଲାପତି ବିଜୟଙ୍କ ଟିଭିକେ ବଡ଼ ଦଳ ହୋଇଥିଲେ ମଧ୍ୟ ସଂଖ୍ୟା ଗରିଷ୍ଠତା ନଥିବାରୁ ସରକାର ଗଠନ କରିବା ନେଇ ସମସ୍ୟା ସୃଷ୍ଟି ହୋଇଛି । ଟିଭିକେକୁ କଂଗ୍ରେସ ସମର୍ଥନ ଜଣାଇଥିଲେ ମଧ୍ୟ ମ୍ୟାଜିକ୍ ନମ୍ବର ଠାରୁ ଦଳ ୫ଟି ଆସନ କମ୍ ରହିଛି ।
ଟିଭିକେ ମୁଖ୍ୟ ଥଲାପତି ବିଜୟ ବୁଧବାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଥିଲେ । କଂଗ୍ରେସ ସମର୍ଥନରେ ୧୧୩ ବିଧାୟକଙ୍କ ଦସ୍ତଖତ ପତ୍ର ଦେଇଥିଲେ । ଗୁରୁବାର ଅର୍ଥାତ୍ ଆଜି ସରକାର ଶପଥ ଗ୍ରହଣ ପାଇଁ ଦାବି କରିଥିଲେ । ମାତ୍ର ରାଜ୍ୟପାଳ ସ୍ପଷ୍ଟ ବହୁମତ ଦେଖାଇବାକୁ କହିବାରୁ ଦଳ ଅଡ଼ୁଆରେ ପଡ଼ିଛି । ଟିଭିକେ ପାଖରେ ୧୦୮ ଆସନ ରହିଛି । କଂଗ୍ରେସ ବୁଧବାର ସମର୍ଥନ ଜଣାଇବା ପରେ ସଂଖ୍ୟା ୧୧୩କୁ ବଢ଼ିଛି । ଆଉ ୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ୨ଟି ଆସନ ଜିତିଥିବା ଭିସିକେ ସମର୍ଥନ ଯୋଗାଇବା ନେଇ ଅଧିକ ସମୟ ମାଗିଛି । ତାମିଲନାଡୁ ବିଧାନସଭା ଆସନ ସଂଖ୍ୟା ୨୩୪ ଥିବାରୁ ସରକାର ଗଢ଼ିବା ଲାଗି ୧୧୮ ବିଧାୟକଙ୍କ ସମର୍ଥନ ଆବଶ୍ୟକ ।
ରାଜ୍ୟପାଳ ନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ ବିଜୟଙ୍କ ପାଖରେ ସରକାର ଗଠନ ପାଇଁ ବିଧାୟକଙ୍କ ସମର୍ଥନ ଅଛି କି ନାହିଁ । ଜଣେ ଅଧିକାରୀ ନିଜ ଗୋପନ ରଖି କହିଛନ୍ତି, ରାଜ୍ୟପାଳ ବିଶ୍ୱନାଥ ଆର୍ଲେକର ମେ’ ୫ ତାରିଖରୁ ତାମିଲନାଡ଼ୁର ୧୬ତମ ବିଧାନସଭାକୁ ଭଙ୍ଗ କରିଛନ୍ତି । କିନ୍ତୁ ବିଜୟଙ୍କ ଟିଭିକେକୁ ସରକାର ଗଠନ ପାଇଁ କାହିଁକି ନିମନ୍ତ୍ରଣ କରାଯାଇନାହିଁ, ଏ ପ୍ରଶ୍ନର ଉତ୍ତର ଏଡ଼ାଇ ଯାଇଛନ୍ତି ଲୋକ ଭବନ ଅଧିକାରୀ ।
ସେପଟେ ଟିଭିକେ ପାଇଁ କଂଗ୍ରେସ ଦୁଇ ଦଶନ୍ଧିର ପୁରୁଣା ମେଣ୍ଟକୁ ପରିତ୍ୟାଗ କରିଥିବାରୁ ଡିଏମକେ ଖୁବ୍ ସମାଲୋଚନା କରିଛି । ଅନ୍ୟପଟେ ସାଂସଦ ରୀମା ରୋଜ୍ ମାର୍ଟିନ୍ ଟିଭିକେକୁ ସମର୍ଥନ କରିବା ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆଇଡିଏମକେ ବିଜୟଙ୍କୁ ସମର୍ଥନ ଦେବ ନାହିଁ । ସେହିପରି ସିପିଆଇ ଏବଂ ଇଣ୍ଡିଆନ୍ ୟୁନିୟନ ମୁସଲିମ୍ ଲିଗ୍ ବିଜୟଙ୍କୁ ନୁହେଁ ଡିଏମକେକୁ ସମର୍ଥନ କରିବାକୁ କହିଛନ୍ତି । ଯାହା ଥଲାପତି ବିଜୟଙ୍କୁ ସରକାର ଗଠନ ନେଇ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ଅନ୍ୟପଟେ ବୁଧବାର ସଂଧ୍ୟାରେ ଏକ ଗୁଜବ ଶୁଣିବାକୁ ମିଳିଥିଲା ଯେ ତାମିଲନାଡ଼ୁ ରାଜନୀତିରେ ଚିର ପ୍ରତିନ୍ଦ୍ବନ୍ଦ୍ବୀ ଡିଏମକେ ଓ ଏଆଇଡିଏମଏକ ଏକ ଅସମ୍ଭବ ମିଶ୍ରଣ କରିବାକୁ ଯାଉଛନ୍ତି । ହେଲେ ଏଭଳି ଗୁଜବକୁ ଡିଏମକେର ମୁଖପାତ୍ର ଏ ସରଭାନନ୍ ଅସ୍ବୀକାର କରିଥିଲେ ।
ଟିଭିକେ ପାଖରେ ୧୦୮ ଆସନ ରହିଛି । ଥଲାପତି ବିଜୟ ଦୁଇଟି ଆସନରୁ ଜିତିଥିବାରୁ ତାଙ୍କୁ ଗୋଟିଏ ସିଟ୍ ଛାଡ଼ିବାକୁ ପଡ଼ିବ । ତେବେ ଟିଭିକେର ଏହି ସଂଖ୍ୟା ୧୦୭ ହୋଇଯିବି । ସେହିପରି ଡିଏମକେ ୫୯ଟି ଆସନ, ଏଆଇଏଡିଏମକେ ୪୭ଟି, କଂଗ୍ରେସ ୫ଟି, ପିଏମକେ ୪ଟି ଏବଂ ଭିସିକେ, ଆଇୟୁଏମଏଲ, ସିପିଆଇ ଏବଂ ସିପିଆଇ (ଏମ) ଦୁଇଟି ଲେଖାଏଁ ଆସନ ଜିତିଥିଲେ। ବିଜେପି, ଏଏମଏମକେ ଏବଂ ଡିଏମଡିକେ ଗୋଟିଏ ଲେଖାଏଁ ଆସନ ଜିତିଛନ୍ତି ।
Comments ସମସ୍ତ ମତାମତ