ମୁଖ୍ୟ ଖବର
ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ଫଳାଫଳରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ରାଉଣ୍ଡ ପରେ ରାଉଣ୍ଡ ଗଣତି ଚାଲିଥାଏ । TVK ଓ DMK ଦଳର ଦୁଇ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବୀତା ହେଉଥାଏ । ଗୋଟିଏ ରାଉଣ୍ଡରେ TVK ଆଗକୁ ଚାଲିଯାଉଥିବା ବେଳେ ପରବର୍ତ୍ତୀ ରାଉଣ୍ଡରେ DMK ପ୍ରାର୍ଥୀ ଆଗକୁ ବଢ଼ୁଥାଆନ୍ତି । 30ଟି ରାଉଣ୍ଡ ଗଣତି ହେବାକୁ ଥାଏ । 29ତମ ରାଉଣ୍ଡରେ DMK ପ୍ରାର୍ଥୀ 30 ଖଣ୍ଡ ଭୋଟରେ ଆଗୁଆ ଥାଆନ୍ତି । ମାତ୍ର ଶେଷ ରାଉଣ୍ଡର ବାଜି ପଲଟି ଯାଇଥିଲା । ମାତ୍ର ଖଣ୍ଡିଏ ଭୋଟରେ DMK ପ୍ରାର୍ଥୀଙ୍କ ଠାରୁ ଆସନ ଛଡାଇ ନେଇଥିଲା TVK ।
ତାମିଲନାଡୁର ବିଧାନସଭା ନିର୍ବାଚନରେ DMK ସରକାରର ମନ୍ତ୍ରୀ କେ.ଆର ପେରିୟାକାରୁପ୍ପାନ, ଶିବଗଙ୍ଗା ଜିଲ୍ଲାର ତିରୁପ୍ପତ୍ତୁର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢୁଥିଲେ । ତାଙ୍କ ବିପକ୍ଷରେ ନୂଆ ଦଳ TVK ଶ୍ରୀନିବାସ ସେତୁପତିଙ୍କୁ ପ୍ରାର୍ଥୀ କରିଥିଲା । ଭୋଟ ଗଣତି ବେଳେ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଚାଲିଥିବା ଦେଖିବାକୁ ମିଳିଥିଲା ।
ତିରୁପ୍ପତ୍ତୁର ନିର୍ବାଚନମଣ୍ଡଳୀରେ, ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM) ଭୋଟ ଗଣନା ପ୍ରକ୍ରିୟାରେ ପେରିୟାକାରୁପ୍ପାନ ଏବଂ ସେତୁପତିଙ୍କ ମଧ୍ୟରେ ଏକ କଡ଼ା ମୁକାବିଲା ହୋଇଥିଲା । ଉଭୟ ଅତି କମ୍ ବ୍ୟବଧାନରେ ଆଗ ପଛ ହୋଇ ଚାଲିଥିଲେ । EVM ଗଣନା ଆଧାରରେ TVK ପ୍ରାର୍ଥୀ 200 ଭୋଟରେ ଆଗୁଆ ଥିବା ବେଳେ, ପୋଷ୍ଟାଲ୍ ବାଲଟ୍ ଗଣନା ସମୟରେ ମନ୍ତ୍ରୀ ପେରିୟାକାରୁପ୍ପାନ 200 ଭୋଟରେ ଆଗୁଆ ଥିଲେ । ଚୂଡ଼ାନ୍ତ ଗଣନାରୁ ଜଣାପଡିଛି ଯେ, TVK ପ୍ରାର୍ଥୀ ସେତୁପତି ମାତ୍ର ଗୋଟିଏ ଭୋଟରେ ମନ୍ତ୍ରୀ ପେରିୟାକାରୁପ୍ପାନଙ୍କୁ ପରାସ୍ତ କରିଛନ୍ତି ।
TVK ପ୍ରାର୍ଥୀ ଶ୍ରୀନିବାସ ସେତୁପତି 83,365 ଭୋଟ୍ ପାଇଥିବା ବେଳେ ପେରିୟାକାରୁପ୍ପାନ 83,364 ଭୋଟ ପାଇଛନ୍ତି । ଅନ୍ୟପକ୍ଷରେ, ବିଜେପି ପ୍ରାର୍ଥୀ କେ.ସି ତିରୁମାରନ 29,054 ଭୋଟ ସହିତ ତୃତୀୟ ସ୍ଥାନରେ ରହି ବିଜୟୀ ପ୍ରାର୍ଥୀଙ୍କ ଠାରୁ 54,000ରୁ ଅଧିକ ଭୋଟ ବ୍ୟବଧାର ହାରିଛନ୍ତି ।
ତାମିଲନାଡୁ ବିଧାନସଭା ନିର୍ବାଚନରେ, ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ନେତୃତ୍ୱରେ ଟିଭିକେ ଦଳ 234 ସଦସ୍ୟ ବିଶିଷ୍ଟ ବିଧାନସଭାରେ 108 ଆସନ ଜିତି ଏକକ ବୃହତ ଦଳ ଭାବରେ ଉଭା ହୋଇ ପରବର୍ତ୍ତୀ ସରକାର ଗଠନରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାକୁ ଯାଉଛି । ଦ୍ରାବିଡ ମୁନେତ୍ର କାଝଗମ (DMK) ଗୋଷ୍ଠୀ 59 ଆସନ ପାଇଛି, ଅଲ୍ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନେତ୍ର କାଝଗମ (AIADMK) ନେତୃତ୍ୱାଧୀନ ମେଣ୍ଟ 47 ଆସନ ଜିତିଛି । କଂଗ୍ରେସ ମାତ୍ର 5ଟି ଆସନ ପାଇଛି, ଏବଂ ପାଟ୍ଟଲି ମକ୍କଲ କାଚ୍ଚି 4ଟି ଆସନରେ ଜିତିଛି ।
Comments ସମସ୍ତ ମତାମତ