ମୁଖ୍ୟ ଖବର
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ତାମିଲନାଡୁ, କେରଳମ୍, ଆସାମ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ କିଏ ଗଢୁଛି ସରକାର ? କିଛି ଘଣ୍ଟା ପରେ ସ୍ପଷ୍ଟ ହୋଇଯିବ ଜନମତ । ଭୋଟ ଗଣତି ଜାରି ରହିଥିବା ବେଳେ ଆସିବାରେ ଲାଗିଛି ଟ୍ରେଣ୍ଡ । ପ୍ରାରମ୍ଭିକ ଟ୍ରେଣ୍ଡ କହୁଛି କେଉଁଠି ମୁଖ୍ୟମନ୍ତ୍ରୀ ଆଗରେ ରହିଛନ୍ତି ତ ଆଉ କେଉଁଠି ପଛରେ ପଡିଛନ୍ତି । ପଶ୍ଚିମବଙ୍ଗର ଭବାନୀପୁର ଆସନରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଏହାରି ଭିତରେ ତାମିଲନାଡୁରେ ପଛରେ ପଡି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ଆସାମରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଆଗୁଆ ରହିଥିବା ବେଳେ ପୁଡୁଚେରୀରେ ରଙ୍ଗାସ୍ବାମୀ ଆଗରେ ରହିଛନ୍ତି ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ:
ପଶ୍ଚିମବଙ୍ଗରେ 293 ଆସନ ପାଇଁ ଜାରି ରହିଛି ଭୋଟ ଗଣତି, ସକାଳ 10ଟା ସୁଦ୍ଧା ବିଜେପି 170ଟିରେ ଆଗରେ ରହିଛି । କଂଗ୍ରେସ ଖାତା ଖୋଲିନଥିବା ଦେଖିବାକୁ ମିଳିଛି । ମମତାଙ୍କ ଅନେକ ମନ୍ତ୍ରୀ ପଛରେ ପଡିଥିବା ଟ୍ରେଣ୍ଡ କହୁଛି । ତେବେ ଏକଜିଟ୍ ପୋଲ୍ ଏକଜାଟ୍ ହେବ ନା ପୁଣି କ୍ଷମତା ଦଖଲ କରିବେ ମମତା ତାହା ଉପରେ ସାରା ଦେଶର ନଜର ।
କେରଳମ୍ ବିଧାନସଭା ନିର୍ବାଚନ:
କେରଳମ୍ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସଭିଙ୍କ ନଜର ରହିଛି । କେରଳମ୍ ମୁଖ୍ୟମନ୍ତ୍ରୀ ତଥା ଏଲଡିଏଫ ମୁଖ୍ୟ ପିନାରାଇ ବିଜୟନ ଧର୍ମଡମ ଆସନରୁ ଲଢୁଛନ୍ତି । ଟ୍ରେଣ୍ଡ କହୁଛି ଏଠାରେ ପଛରେ ପଡିଛନ୍ତି ମୁଖ୍ୟମନ୍ତ୍ରୀ ପିନାରାଇ । ୟୁଡିଏଫ ପ୍ରାର୍ଥୀ ବି.ପି ଅବଦୁଲ ରସିଦ ଆଗରେ ଅଛନ୍ତି । ତେବେ କେରଳରେ ଏଲଡିଏଫ 46 ଓ ୟୁଡିଏଫ 88 ସିଟ୍ରେ ଆଗୁଆ ରହିଛନ୍ତି ।
ତାମିଲନାଡୁ ବିଧାନସଭା ନିର୍ବାଚନ:
ରୋଚକ ରହିଛି ତାମିଲନାଡୁ ବିଧାନସଭା ନିର୍ବାଚନ । ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ଦଳ ଭଲ ପ୍ରଦର୍ଶନ କରୁଥିବା ପ୍ରାରମ୍ଭିକ ଟ୍ରେଣ୍ଡ କହୁଛି । ପଛରେ ପଡିଛନ୍ତି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ତାମିଲନାଡୁ ବିଧାନସଭା ନିର୍ବାଚନରେ TVK 84 ସିଟ୍ରେ ଆଗରେ ରହିଛି । ସେହିପରି AIADMK 74 ସିଟ୍ରେ ଆଗରେ ରହିଛି । ସେହିପରି DMK 56 ସିଟ୍ରେ ରହିଛି । ସେହିପରି ପୁଡୁଚେରୀରେ ଏନଡିଏ ମେଣ୍ଟ ସରକାର 30 ସିଟ୍ରୁ 16 ସିଟରେ ଆଗରେ ରହିଛି ।
ଆସାମ ବିଧାନସଭା ନିର୍ବାଚନ:
ଆସାମ ନିର୍ବାଚନ ଫଳାଫଳ ଟ୍ରେଣ୍ଡ ଉପରେ ଯଦି ନଜର ପକାଇବା ଏଠାରେ କମାଲ କରୁଛି ବିଜେପି । ଆସାମରେ ବିଜେପି 92, କଂଗ୍ରେସ 25, AIUDF 1 ସିଟ୍ରେ ରହିଛି । ଆସାମରେ ବିଜେପି 2016ଠୁ କ୍ଷମତାରେ ରହିଆସିଛି । ସର୍ବାନନ୍ଦ ସୋନୱାଲଙ୍କ ପରେ 2021ରେ ହିମନ୍ତ ବିଶ୍ବଶର୍ମା ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏଥର ହିମନ୍ତଙ୍କ ଚେହେରାରେ ନିର୍ବାଚନ ଲଢୁଛି ବିଜେପି ।
Comments ସମସ୍ତ ମତାମତ