ମୁଖ୍ୟ ଖବର
କୋଲକାତା : ପଶ୍ଚିମବଙ୍ଗରେ ବୁଧବାର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ଭୋଟିଂ ଆରମ୍ଭ । ଦ୍ୱିତୀୟ ପର୍ଯ୍ୟାୟରେ କୋଲକାତା, ନର୍ଥ ୨୪ ପ୍ରଗଣା, ସାଉଥ ୨୪ ପ୍ରଗଣା, ହାୱଡ଼ା, ହୁଗୁଳି, ପୂର୍ବ ବର୍ଦ୍ଧମାନ, ନଦିଆ ଭଳି ୭ଟି ଜିଲ୍ଲାର ମୋଟ ୧୪୨ଟି ଆସନରେ ଲୋକେ ନିଜର ମତାଧିକାର ସାବ୍ୟସ୍ତ କରିବେ । ସେଥିଲାଗି ଏହି ସବୁ ଜିଲ୍ଲାରେ ୪୧ ହଜାର ପୋଲିଂ ଷ୍ଟେସନ୍ ସ୍ଥାପନ କରାଯାଇଛି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୧,୪୪୮ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨୦ ଜଣ ହେଉଛନ୍ତି ମହିଳା । ପ୍ରାୟ ୩.୨ କୋଟି ଭୋଟର ଏହି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଇତିମଧ୍ୟରେ ମତଦାନକୁ ସ୍ୱଚ୍ଛ, ନିରପେକ୍ଷ ତଥା ଶାନ୍ତି ଶୃଙ୍ଖଳାର ସହ କରାଇବା ଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ବିଭିନ୍ନ ସ୍ଥାନରେ ବ୍ୟାପକ ସଂଖ୍ୟାରେ କେନ୍ଦ୍ରୀୟ ବଳ ମୁତୟନ ହୋଇଛନ୍ତି । ପୋଲିଂ ଷ୍ଟେସନରେ ସିସିଟିଭି ସହ ୱେବକାଷ୍ଟିଂର ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆସନ ଭବାନୀପୁରରେ ଗତକାଲି ସିଆର୍ପିଏଫ ପକ୍ଷରୁ ଫ୍ଲାଗ୍ମାର୍ଚ୍ଚ କରାଯାଇଛି । ସେହି ଆସନରେ ମମତାଙ୍କ ବିରୋଧରେ ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଛି । ଏପ୍ରିଲ ୨୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ୧୫୨ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଥିଲା । ସେହି ସମୟରେ ଲୋକେ ରେକର୍ଡ ୯୩ ପ୍ରତିଶତ ମତଦାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ସେହିପରି ଅଧିକ ଭୋଟିଂର ଆଶା ରହିଛି । ମେ’୪ରେ ଆସାମ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀ ସହିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିବ ।
ସୂଚନାଥାଉକି, ରାଜ୍ୟରେ ବିଗତ ୧୫ ବର୍ଷ ହେଲା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ(ଟିଏମ୍ସି) କ୍ଷମତାସୀନ ରହିଛି । ଚଳିତଥର ଟିଏମ୍ସି କ୍ଷମତାକୁ ଫେରିବ ବୋଲି ଆଶା ରଖିଥିବା ବେଳେ ବିଜେପି ସରକାର ଗଢ଼ିବାକୁ ଲକ୍ଷ୍ୟ ରଖିଛି ।
Comments ସମସ୍ତ ମତାମତ