ମୁଖ୍ୟ ଖବର
ଭୁବନେଶ୍ୱର : ଗାଁ ଛକ, ବଜାରରେ ଦିଶିଲେଣି ଅନେକ ନୂଆ, ପୁରୁଣା ମୁହଁ । ନୂଆବର୍ଷ ଶୁଭେଚ୍ଛା ବାହାନାରେ ବହୁ ସମାଜସେବୀ, ରାଜନୈତିକ କର୍ମୀ ନିଜ ଉପସ୍ଥିତି ଜାହିର କଲେଣି । ଏଥର କିଏ ହେବ ସରପଞ୍ଚ ଆଶାୟୀ, ଚର୍ଚ୍ଚା ବୁଲିଲାଣି । ପଞ୍ଚାୟତ ନିର୍ବାଚନର ଧାର୍ଯ୍ୟ ସମୟ ଆସନ୍ତା ବର୍ଷ ଜାନୁଆରୀ କିମ୍ବା ଫେବ୍ରୁଆରୀରେ ହେବ। ସାମାନ୍ୟ ଆଗୁଆ ହେଲେ ଚଳିତ ବର୍ଷ ଶେଷ ଆଡ଼କୁ ବି ହୋଇପାରେ ପଞ୍ଚାୟତ ଭୋଟ । ଏଥିପାଇଁ ଆଶାୟୀଙ୍କ ଗତିବିଧି ହଠାତ୍ ବଢ଼ିଯାଇଛି । କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଗାଁ ନାଟକ, ଅଷ୍ଟପ୍ରହରୀରୁ ନେଇ ବିଭିନ୍ନ କ୍ଳବ ମଞ୍ଚରେ ଅତିଥି ହେବାକୁ ଆଶାୟୀଙ୍କ ଭିତରେ ପ୍ରତିଯୋଗିତା ପ୍ରବଳ । ଗତ ନିର୍ବାଚନରେ ଯେଉଁ ଆସନ ସଂରକ୍ଷିତ ଥିଲା, ଏଥର ତାହା ବଦଳିବ ବୋଲି ଅନେକ ଆଶା ବାନ୍ଧିଛନ୍ତି । ଏହି ଆଶାରେ ସଂରକ୍ଷିତ ଥିବା ପଞ୍ଚାୟତରେ ଏବେ ସାଧାରଣବର୍ଗ ଆଶାୟୀ ବୁଲିଲେଣି ।
ଏପଟେ ତିନି ପ୍ରମୁଖ ଦଳ ବି ପଞ୍ଚାୟତ ପାଇଁ ଅଣ୍ଟା ଭିଡ଼ିଲେଣି । ଜିଲ୍ଲା, ବ୍ଲକରେ କମିଟି ପରେ କମିଟି ଗଠନ ଚାଲିଛି । ନିର୍ବାଚନମଣ୍ଡଳୀରୁ ନେଇ ବ୍ଲକ, ଜିଲ୍ଲା ପରିଷଦ ଜୋନ ପର୍ଯ୍ୟନ୍ତ ନେତାଙ୍କୁ ଡାକି ରଣନୀତି ପ୍ରସ୍ତୁତ ହେଉଛି । ସବୁ ଦଳ ଏବେଠାରୁ ଗାଁ ମୁହାଁ ହେଲେଣି । ପଞ୍ଚାୟତ ନିର୍ବାଚନକୁ ନେଇ ପ୍ରସ୍ତୁତିରେ ଢେର ଆଗୁଆ ରହିଛି ଶାସକ ଦଳ ବିଜେପି । ଦଳରେ ଜୋରଦାର ମିଶ୍ରଣ ପର୍ବ ଜାରି ରହିଛି । ପ୍ରତି ସପ୍ତାହରେ କିଛି ନା କିଛି ନେତା ଯୋଡ଼ି ହେଉଛନ୍ତି ପଦ୍ମ ଦଳରେ । ଦଳ ଏବେ ନିଷ୍ପତ୍ତି ନେଇଛି, କେବଳ ରାଜ୍ୟ କାର୍ଯ୍ୟାଳୟ ନୁହେଁ, ପ୍ରତି ପଞ୍ଚାୟତରେ ମିଶ୍ରଣ ପର୍ବ ହେବ । ବଡ଼ ନେତା ପଞ୍ଚାୟତକୁ ଯାଇ ମିଶ୍ରଣ ପର୍ବରେ ଉପସ୍ଥିତ ରହିବେ । ନିୟମିତ ବ୍ୟବଧାନରେ ସାଂଗଠନିକ ପଦାଧିକାରୀଙ୍କ ବୈଠକ ବସୁଛି । ନିକଟରେ ରାଜ୍ୟ ସଭାପତି ମନମୋହନ ସାମଲ ଦଳୀୟ ପଦାଧିକାରୀଙ୍କୁ ଆହ୍ୱାନ ଦେଇ କହିଛନ୍ତି, ପଞ୍ଚାୟତ ଭୋଟ୍ ପାଇଁ ସମୟ କମ, ଲାଗି ପଡ଼। ଜିଲ୍ଲା ପଦାଧିକାରୀ ବୈଠକରେ ବିଜେପି ପ୍ରତି ୱାର୍ଡ ଦଖଲ ପାଇଁ ରଣନୀତି ପ୍ରସ୍ତୁତ କରିଛି। ସମସ୍ତ ପଞ୍ଚାୟତସ୍ତରୀୟ ଜନପ୍ରତିନିଧିଙ୍କୁ କୁହାଯାଇଛି, ଅଧୁରା କାମ ସାରନ୍ତୁ । ବିଧାୟକମାନେ ବି ଲାଗି ପଡ଼ିଲେଣି ମଇଦାନରେ । ପଞ୍ଚାୟତ ଲଢ଼େଇରେ ବିରୋଧୀ ଦଳର ସବୁ ଅସ୍ତ୍ରକୁ ‘ସୁଭଦ୍ରା’ ଯୋଜନାରେ ମାତ୍ ଦେବାକୁ ବିଜେପି ଆଶା ବାନ୍ଧିଛି ।
ଡିସେମ୍ବର ୨୬ ପ୍ରତିଷ୍ଠା ଦିବସ ପରଠାରୁ ବିଜେଡି ବି ଦମ୍ ଲଗାଇ ଦେଇଛି। ନିଜେ ସଭାପତି ନବୀନ ପଟ୍ଟନାୟକ ଘନଘନ ବୈଠକ କରୁଛନ୍ତି। ଜାନୁଆରୀ ମାସ ଭିତରେ ପାଳି ପାଳି କରି ନବୀନ ୩୯ଜଣ ବିଧାୟକଙ୍କୁ ନବୀନ ନିବାସ ଡାକି ପଞ୍ଚାୟତ ମିଶନ ନେଇ ଆଲୋଚନା କରିସାରିଲେଣି । ବହୁ ବରିଷ୍ଠ ନେତା, ନିର୍ବାଚନମଣ୍ଡଳୀ ନେତା, ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସହ ନବୀନ ବୈଠକ କରିଛନ୍ତି । ସରକାର ବିରୋଧରେ ଆନ୍ଦୋଳନ ଆରମ୍ଭ କରିଛି ବିଜେଡି । ଚାଷୀ ପ୍ରସଙ୍ଗ, ଗାଡ଼ି ପ୍ରଦୂଷଣ ପ୍ରମାଣପତ୍ର ପ୍ରସଙ୍ଗ ନେଇ ଲୋକଙ୍କ ନିକଟତର ହେବାକୁ ଲାଗିଛି ଦଳ । ବିଭିନ୍ନ ଜିଲ୍ଲା ଓ ବ୍ଲକ ସ୍ତରରେ କମିଟିକୁ ନୂଆ ରୂପରେଖ ଦିଆଯାଉଛି । ଫେବ୍ରୁଆରୀ ୧୫ ସୁଦ୍ଧା ପଞ୍ଚାୟତ କମିଟି ଗଠନ ସରିବ । ପୂର୍ବରୁ ୱାର୍ଡ କମିଟି ଥିବାବେଳେ କେତେକ ସ୍ଥାନରେ ଏହାକୁ ନୂଆ ରୂପ ଦେବାକୁ ଦଳ ଲାଗିଛି । ଭତ୍ତା, ମଣ୍ଡି ପ୍ରସଙ୍ଗକୁ ଦଳ ଗାଁରେ ବଡ଼ ପ୍ରସଙ୍ଗ କରୁଛି ।
କଂଗ୍ରେସ ବି ବଳ ବଢ଼ାଇବାକୁ ଲାଗି ପଡ଼ିଛି । ପିସିସି ସଭାପତି ଭକ୍ତ ଚରଣ ଦାସ ନିଜ ଦମ୍ରେ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ପଶ୍ଚିମ ଓଡ଼ିଶାରେ ପଦଯାତ୍ରା କରି କଂଗ୍ରେସ ଭୋଟ ବ୍ୟାଙ୍କକୁ ପୁଣି ସଂଗଠିତ କରିବାକୁ ଦଳ ଉଦ୍ୟମ କରିଥିଲା । ଦଳ ଯୋଜନା କରିଛି, ପ୍ରତି ବୁଥରେ କମିଟି ଗଢ଼ିବା ସହ ଅନ୍ୟୁନ ୫ଜଣ ସକ୍ରିୟ ସଭ୍ୟଙ୍କୁ ନେଇ କାର୍ଯ୍ୟକ୍ରମ ଚଳାଇବ । ଏହାସହ ସରକାର ବିରୋଧରେ ନିୟମିତ ଆନ୍ଦୋଳନ କରିବା ସହ ଜାନକୀ ରଥକୁ ନେଇ ଦଳ ଭୋଟ ବଢ଼ାଇବାକୁ ଆଶା ରଖିଛି । ଏହାଛଡ଼ା ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଏବଂ ମହିଳା ଭୋଟ ଉପରେ କଂଗ୍ରେସ ଅଧିକ ଫୋକସ କରୁଛି ।
୨୦୨୨ ପଞ୍ଚାୟତ ନିର୍ବାଚନରେ ଏକତରଫା ବାଜିମାତ କରିଥିଲା ବିଜେଡି । ୮୫୨ରୁ ୭୬୬ ଜିଲ୍ଲା ପରିଷଦ ଜୋନ୍ ପାଇଥିଲା ବିଜେଡି । ବିଜେପି ୪୨, କଂଗ୍ରେସ ୩୭ଟି ଜୋନ୍ ଜିତିଥିଲା । ସେହିପରି ୩୧୪ରୁ ୨୭୮ ବ୍ଲକ ବିଜେଡି ଦଖଲ କରିଥିଲା । ୨୧ଟିରେ ବିଜେପି ଏବଂ ୧୩ଟି ବ୍ଲକରେ କଂଗ୍ରେସ ସମର୍ଥିତ ଏବଂ ୩ଟି ବ୍ଲକରେ ସିପିଆଇଏମ୍ ସମର୍ଥିତ ବ୍ଲକ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ସମସ୍ତ ୩୦ ଜିଲ୍ଲାରେ ଜିଲ୍ଲା ପରିଷଦ ସଭାପତି ଶଙ୍ଖ ଦଳର ଥିଲେ । ବର୍ତ୍ତମାନ ରାଜନୈତିକ ସ୍ଥିତି, ଚିତ୍ର ପୂରା ଭିନ୍ନ । ରାଜ୍ୟରେ ବିଜେପି ସରକାର । ‘ସୁଭଦ୍ରା’ ଭଳି ଯୋଜନାରେ ମୋହନ ସରକାରଙ୍କ ଲୋକପ୍ରିୟତା ବଢ଼ିଛି । ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ବିରାଟ ବିଜୟରେ ବିଜେପି ଆହୁରି ବଳୁଆ ହୋଇଛି । ବିଜେଡି ହାତରୁ ପ୍ରାୟ ୧୮ଟି ବ୍ଲକ ବିଜେପି ଛଡ଼ାଇ ନେଲାଣି । ଅନ୍ୟପଟେ ବିରୋଧୀ ଦଳକୁ ଘାରିଛି କନ୍ଦଳ ଚିନ୍ତା । ନେତାଙ୍କ ଅସନ୍ତୋଷ ବିଜେଡିକୁ ନୟାନ୍ତ କରିଥିବାବେଳେ କଂଗ୍ରେସରେ ଏଯାଏଁ ଏକତା ଆସିପାରୁନି । ତା’ ଭିତରେ ମହମ୍ମଦ ମୋକିମଙ୍କ ଭଳି ନେତା ନୂଆ ଆଞ୍ଚଳିକ ଦଳ ଗଢ଼ିବାକୁ ଅଣ୍ଟା ଭିଡ଼ିଲେଣି । ଏହି ପରବର୍ତ୍ତିତ ସ୍ଥିତିରେ ଆଗାମୀ ପଞ୍ଚାୟତ ନିର୍ବାଚନ ରୋଚକ ମୋଡ଼ ନେବା ସମ୍ଭାବନା ରହିଛି । ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ସବୁ ଦଳ ପାଇଁ ପଞ୍ଚାୟତ ନିର୍ବାଚନ ହେବ ଅଗ୍ନି ପରୀକ୍ଷା।
Comments ସମସ୍ତ ମତାମତ