ମୁଖ୍ୟ ଖବର
ଭୁବନେଶ୍ୱର: ମେଣ୍ଟ ଭାଗବଣ୍ଟା ଫେଲ୍ ମାରିବା ପରେ ଏବେ ବିଜେଡି ବିରୋଧରେ ରଣହୁଙ୍କାର ଦେଇଛି ବିଜେପି । ବିଜେପି ରାଜ୍ୟ ନିର୍ବାଚନ ପରିଚାଳନା କମିଟି ବୈଠକରେ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଚାର କରିବାକୁ ରଣନୀତି ଚୂଡାନ୍ତ ହୋଇଛି । ଏଥିପାଇଁ ଚାର୍ଜସିଟ ଚୂଡାନ୍ତ ହୋଇଛି । କ୍ଷେତ୍ରୀୟ ପ୍ରଭାରୀ, ନିର୍ବାଚନ ପ୍ରଭାରୀ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନେତାମାନେ ଦୃଢୋକ୍ତି କରିଛନ୍ତି ବିଜେପି ଓଡିଶାରେ ସରକାର ଗଢିବ । ସରକାରଙ୍କ ବିରୋଧରେ ପ୍ରସ୍ତୁତ ଚାର୍ଜସିଟକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେପି ।
କେନ୍ଦ୍ରୀୟ ଯୋଜନା ବାଟବଣାକୁ ପ୍ରସଙ୍ଗ କରିବ ବିଜେପି । ଏଥିପାଇଁ ମାରାଥନ ସଭା ହେବ । ନରେନ୍ଦ୍ର ମୋଦୀ, ଅମିତ ଶାହା ଓ ଜେପି ନଡ୍ଡାଙ୍କ ଭଳି ବିଜେପିର ଶୀର୍ଷ ନେତୃତ୍ୱ ରାଜ୍ୟରେ ୫୦ରୁ ଅଧିକ ସଭା କରିବେ ।
କେନ୍ଦ୍ର ଯୋଜନା ବାଟମାରଣା ନେଇ ଲୋକଙ୍କୁ ଅବଗତ କରିବ ବିଜେପି। ବେକାରୀ ସମସ୍ୟା ନେଇ ସରକାରଙ୍କୁ ଘେରିବ ଦଳ। ଦାଦନ ପ୍ରସଙ୍ଗ, ସ୍ୱାସ୍ଥ୍ୟ ଅବ୍ୟବସ୍ଥା ବି ପ୍ରସଙ୍ଗ ହେବ। ନିର୍ବାଚନୀ ସଭା ସହ ନାଟକ ମାଧ୍ୟମରେ ଲୋକଙ୍କ ପାଖକୁ ଯିବ ବିଜେପି।
ନିର୍ବାଚନ ତାରିଖ ଘୋଷଣା ହୋଇଥିଲେ ବି ଏଯାଏଁ ସଂପୂର୍ଣ୍ଣ ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି ବିଜେପି ଓ ବିଜେଡି । ପ୍ରାର୍ଥୀଙ୍କୁ ନେଇ ଛକାପଞ୍ଝା ଚାଲିଛି । ଏହାରି ଭିତରେ ଚାର୍ଜସିଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ଘେରିବାକୁ ରଣନୀତି କରିଛି ବିଜେପି । ଆଉ ବିଜେଡି ଏହାର କି ଜବାବ ଦେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି ।
Comments ସମସ୍ତ ମତାମତ