ମୁଖ୍ୟ ଖବର
ଭୁବନେଶ୍ୱର: ଦୁଇ ଦିନ ମଧ୍ୟରେ ଗୋଟା ଅଣ୍ଡା ଦର ୬ଟଙ୍କାରୁ ୮ଟଙ୍କା ବଢ଼ିଯାଇଛି । ଆଗକୁ ଦର ଆହୁରି ବଢ଼ିବ । ଏବେ ବଜାରରେ ଗୋଟା ଅଣ୍ଡା ଦର ଆସି ୮ ହେଲାଣି । ବ୍ୟବସାୟୀଙ୍କ ଗୋଟିଏ ଯୁକ୍ତି, କୁକୁଡ଼ା ଦାନା ଦର ବଢ଼ୁଥିବାରୁ ଅଣ୍ଡା ଦର ବଢ଼ୁଛି । ଗ୍ରାହକଙ୍କ ଅଭିଯୋଗ, ଜାତୀୟ ଅଣ୍ଡା ସଂଯୋଜନା କମିଟି(ଏନ୍ଇସିସି) ଓଡ଼ିଶାରେ ଅଣ୍ଡା ଗୋଟା ୫.୮୫ ପଇସା ଧାର୍ଯ୍ୟ କରିଛି । କେବଳ ପରିବହନ ଖର୍ଚ୍ଚ ଯୋଗୁ ଆଉ ୨୫ ପଇସା ବଢ଼ିବ । ହେଲେ ଏହାକୁ ବେପାରୀ ମାନୁନାହାନ୍ତି ।ନିଖିଳ ଓଡ଼ିଶା ନନଭେଜ୍ ଟ୍ରେଡର୍ସ ଆସୋସିଏସନର ସୂଚନା ଅନୁସାରେ, ଏବେ ଗୋଟିଏ ଟ୍ରେ ଅଣ୍ଡାର ଦାମ୍ ୧୨୭୦ ଟଙ୍କା । ଗୋଟିଏ ଟ୍ରେରେ ୨୧୦ଟି ଅଣ୍ଡା ଥାଏ । ତେଣୁ ଗୋଟିଏ ଅଣ୍ଡା ଦାମ ୬ଟଙ୍କା ହେବ । ସେଥିରେ ପରିବହନ ଖର୍ଚ୍ଚ ମିଶିଲେ ଦର ୬ଟଙ୍କା ୫୦ପଇସା ମଧ୍ୟରେ ରହିବା କଥା । ହେଲେ ରାଜଧାନୀ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଅଣ୍ଡା ଦର ସାଢ଼େ ୭ ଟଙ୍କାରୁ ୮ଟଙ୍କା ପର୍ଯ୍ୟନ୍ତ ରହିଛି । ବିଶେଷଜ୍ଞଙ୍କ କହିବା କଥା, କୁକୁଡ଼ା ଖାଦ୍ୟର ଏକ ବଡ଼ ଅଂଶ ହେଉଛି ମକା । କିନ୍ତୁ ପେଟ୍ରୋଲରେ ଇଥାନଲ ମିଶ୍ରଣ ନୀତିକୁ ପ୍ରୋତ୍ସାହନ ଦେବା ପାଇଁ ବହୁ ପରିମାଣର ମକାକୁ ଇଥାନଲ ଉତ୍ପାଦନରେ ବ୍ୟବହାର କରାଯାଉଛି । ଫଳରେ କୁକୁଡ଼ା ଖାଦ୍ୟ ପାଇଁ ମକାର ଅଭାବ ଦେଖାଦେଇଛି ଏବଂ ମକାର ଦାମ ବଢ଼ିଯିବା ଯୋଗୁଁ କୁକୁଡ଼ା ପାଳନର ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି । କେଜି ପିଛା ମକା ୧୭ଟଙ୍କାରୁ ୨୬ ଟଙ୍କା ହୋଇଥିବା ବେଳେ ସୋୟା ମଞ୍ଜି ଦର ମଧ୍ୟ ୩୫ଟଙ୍କାରୁ ୬୮ଟଙ୍କା ହୋଇଯାଇଛି । ଏଭଳିସ୍ଥିତି ଲାଗି ରହିଲେ ଅଣ୍ଡା ଦର ଆହୁରି ବଢ଼ିବ ।
ଅଣ୍ଡା ଦର ବଢ଼ିବା ଯୋଗୁ ଏବେ ସ୍କୁଲ ଓ ଅଙ୍ଗନବାଡ଼ି କର୍ମୀଙ୍କ ଚିନ୍ତା ଘାରିଛି । ସରକାର ଅଙ୍ଗନବାଡ଼ିରେ ପଢ଼ୁଥିବା ପ୍ରତି ପିଲାଙ୍କ ଅଣ୍ଡା ପାଇଁ ୭ଟଙ୍କା ଦେଉଛନ୍ତି । ହେଲେ ଦର ଆହୁରି ୧ଟଙ୍କା ଅଧିକ ହେଲାଣି । ଗତମାସ ଅଣ୍ଡା ଦର ୯ଟଙ୍କା ହୋଇଥିବା ବେଳେ ଅଙ୍ଗନବାଡ଼ି କର୍ମୀମାନେ ସରକାରଙ୍କୁ ସମସ୍ୟାର ସମାଧାନ ପାଇଁ ନେହୁରା ହୋଇଥିଲେ । ସେହିପରି ପୃଷ୍ଟି ସହାୟତା ପାଇଁ ୧୧ରୁ ୧୪ବର୍ଷ ବୟସର କିଶୋରୀଙ୍କୁ ମାସକୁ ୧୬ଟି ଅଣ୍ଡା, ଅତିଶୟ ପୃଷ୍ଟିହୀନ ଶିଶୁ, ଗର୍ଭବତୀ, ପ୍ରସୂତି ମହିଳା, ୬ମାସରୁ ୩ବର୍ଷ ଯାଏ ସାଧାରଣ ଶିଶୁଙ୍କୁ ମାସକୁ ୧୨ଟି ଅଣ୍ଡା ମିଳୁଛି । ଯଦି ଦର ବଢ଼େ ଏସବୁ ପ୍ରଭାବିତ ହେବେ । ଓଡ଼ିଶାରେ ମୁଣ୍ଡପିଛା ବର୍ଷକୁ ଅଣ୍ଡାର ଉତ୍ପାଦନ ହେଉଛି ୮୦ଟି । ହେଲେ ଆବଶ୍ୟକତା ରହିଛି ୧୮୩ଟି । ସରକାରୀ ତଥ୍ୟ ଅନୁସାରେ, ରାଜ୍ୟରେ ଏବେ ଦୈନିକ ପ୍ରାୟ ୧ କୋଟି ୧୭ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । ହେଲେ ଦରକାର ୧ କୋଟି ୮୦ଲକ୍ଷ । ୨୦୨୯ ସୁଦ୍ଧା ବାର୍ଷିକ ୫୦୦ କୋଟି ଅଣ୍ଡା ରାଜ୍ୟରେ ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଛି ।
Comments ସମସ୍ତ ମତାମତ