Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୧୧ ହଜାର କୋଟି ଖର୍ଚ୍ଚ କରିନି ଗଣଶିକ୍ଷା ବିଭାଗ

    Share on :
    ajab-Image
    Date: Dec 10, 2025    Views: 2954

    ଭୁବନେଶ୍ୱର : ସ୍କୁଲ ଓ ଗଣଶିକ୍ଷା ବିଭାଗ ପାଇଁ ବଜେଟରେ ୨୦୧୮ରୁ ୨୦୨୩ ମସିହା ଯାଏ ମୋଟ ୯୨ ହଜାର ୪୮୩ କୋଟି ଟଙ୍କାର ଅର୍ଥବରାଦ ହୋଇଥିଲା । କିନ୍ତୁ ଏହି ୫ ବର୍ଷରେ ବିଭାଗ ପ୍ରାୟ ୮୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି । ଆହୁରି ୧୧ ହଜାର ୧୩୮ କୋଟି ଟଙ୍କା ଖର୍ଚ୍ଚ ହୋଇପାରିନି । ଖର୍ଚ୍ଚ କରିବାରେ ଫେଲ୍ ମାରିବାରୁ ଏହି ଅର୍ଥକୁ ବିଭାଗ ସରକାରଙ୍କୁ ଫେରାଇ ଦେଇଛି (ସରେଣ୍ଡର କରିଛି) । ଅନେକ ସ୍ଥାନରେ ଛାତ୍ରଛାତ୍ରୀମାନେ ଅସୁରକ୍ଷିତ କୋଠା ତଳେ ପଢୁଥିଲେ ବି ଭିତ୍ତିଭୂମି ନିର୍ମାଣ ପାଇଁ ଆସିଥିବା ୧୨୧୪ କୋଟି ଟଙ୍କାକୁ ବିଭାଗ ଫେରାଇ ଦେଇଛି । ସିଏଜି ରିପୋର୍ଟରୁ ବିଚଳିତ କଲା ଭଳି ଏଭଳି ତଥ୍ୟ ବାହାରିଛି ।

    ୨୦୧୮-୧୯ ଆର୍ଥିକ ବର୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ ଭିତରେ ଗଣଶିକ୍ଷା ବିଭାଗ ପାଇଁ ବଜେଟରେ ମୋଟ ୯୨ ହଜାର ୪୮୩ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା । କିନ୍ତୁ ୨୦୧୮-୧୯ରେ ଭିତ୍ତିଭୂମି ନିର୍ମାଣ ପାଇଁ ଆସିଥିବା ୫୧ କୋଟି ଟଙ୍କାକୁ ବିଭାଗ ଖର୍ଚ୍ଚ କରିନପାରି ଫେରାଇଛି । ୨୦୧୯- ୨୦ରେ ୧୧୪ କୋଟି, ୨୦୨୦-୨୧ରେ ୩୨୯ କୋଟି, ୨୦୨୧-୨୨ରେ ୭୧୫ କୋଟି ଓ ୨୦୨୨-୨୩ରେ ୪ କୋଟି ଟଙ୍କା ଖର୍ଚ୍ଚ କରିବାରେ ଫେଲ୍ ମାରିଛି ବିଭାଗ । ଏହି ଟଙ୍କାକୁ ସରକାରଙ୍କ ପାଖରେ ସରେଣ୍ଡର୍ କରିଦେଇଛି । ମୋଟ ବଜେଟ୍ ବ୍ୟୟବରାଦର ପ୍ରାୟ ୧୨% ଅର୍ଥକୁ ବିଭାଗ ଫେରାଇ ଦେଇଛି । ଗୋଟେ ପଟେ ଗଣଶିକ୍ଷା ବିଭାଗ ଭିତ୍ତିଭୂମି ନିର୍ମାଣ ବାବଦ ଟଙ୍କା ଫେରାଉ ଥିବାବେଳେ ସେପଟେ ଛାତ୍ରଛାତ୍ରୀ ଅସୁରକ୍ଷିତ କୋଠାରେ ପାଠ ପଢୁଛନ୍ତି ।
    ସିଏଜି କରିଥିବା ନିର୍ମାଣ ଅଡିଟରୁ ଜଣାପଡ଼ିଛି ଯେ, ଅନେକ ସ୍କୁଲରେ ପିଲା ଦଦରା ଛାତ ତଳେ ବସି ପାଠ ପଢୁଛନ୍ତି । ସିଏଜି ଅଡିଟ୍ ସମୟରେ ୬୪ଟି ସ୍କୁଲକୁ ନମୁନା ଭାବେ ନେଇଥିଲେ । ୩୫ ସ୍କୁଲରେ ସିସିଟିଭି ଲାଗିନି । ୪୭ ସ୍କୁଲର ପିଲାଙ୍କୁ ବିପର୍ୟ୍ୟୟ ମୁକାବିଲା ନେଇ ପ୍ରଶିକ୍ଷଣ ଦିଆଯାଇନି । ୮ଟି ସ୍କୁଲରେ ଅଗ୍ନି ନିର୍ବାପକ ଯନ୍ତ୍ର ନାହିଁ । ନୂଆପଡ଼ା କୋମନା ବ୍ଲକ୍ ଭରୁଆମୁଣ୍ଡା ସ୍କୁଲରେ ପିଲାମାନେ ଫଟା ସିଲିଂ ଛାତ ତଳେ ବସି ପାଠ ପଢୁଛନ୍ତି । ସେହିଭଳି ସରକାରୀ ଓ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲ ସେଫ୍ଟି ପ୍ଲାନ୍ ଓ ସ୍କୁଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ପ୍ଲାନ୍ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଅଧିକାଂଶ ସ୍କୁଲରେ ଏହାକୁ ପାଳନ କରାଯାଉନି । ସେହିଭଳି ସମଗ୍ର ଶିକ୍ଷା କାର୍ୟ୍ୟାନ୍ୱୟନ ଢାଞ୍ଚା (ଏସଏସଆଇଏଫ୍)ର ଅନୁପାଳନକୁ ଅଣଦେଖା କରାଯାଇଛି । ୨୦୧୮-୨୦୨୦ ଆର୍ଥିକ ବର୍ଷ ପାଇଁ ସ୍କୁଲଗୁଡ଼ିକ ପାଇଁ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ ହୋଇନଥିଲା । ୨୦୧୮-୨୩ ଆର୍ଥିକ ବର୍ଷରେ ନମୁନା ଭାବେ ନିଆଯାଇଥିବା ୮୫ଟି ସ୍କୁଲ ଭିତରୁ ୭ଟି ସ୍କୁଲରେ ସ୍କୁଲ ପରିଚାଳନା କମିଟି(ଏସଏମସି) ଓ ସ୍କୁଲ ପରିଚାଳନା ଓ ଉନ୍ନୟନ କମିଟି(ଏସଏମଡିସି) ଗଠନ ହୋଇନଥିଲା ବୋଲି ସିଏଜି ଉଲ୍ଲେଖ କରିଛନ୍ତି ।
    ଜାତୀୟ ଶିକ୍ଷା ନୀତି (ଏନଇପି) ଗାଇଡଲାଇନ ଅନୁସାରେ ସବୁ ରାଜ୍ୟ ଶିକ୍ଷା କ୍ଷେତ୍ରରେ ଅତିକମରେ ଜିଡିପିର ୬% ଅର୍ଥ ଖର୍ଚ୍ଚ କରିବେ । କିନ୍ତୁ ରାଜ୍ୟରେ ଏହାର ବ୍ୟତିକ୍ରମ ଟ୍ରେଣ୍ଡ୍ ଦେଖିବାକୁ ମିଳୁଛି । ୨୦୧୮-୧୯ରେ ଶିକ୍ଷା କ୍ଷେତ୍ରରେ ଜିଏସ୍ଡିପିର ୩.୫୦% ଅର୍ଥ ଖର୍ଚ୍ଚ ହୋଇଥିଲା । ୨୦୨୨- ୨୩ରେ ଏହି ହାର କ୍ରମଶଃ ଖସି ୩.୨୭%ରେ ପହଞ୍ଚିଛି । ରାଜ୍ୟ ବଜେଟରେ ଶିକ୍ଷା ବାବଦରେ ହେଉଥିବା ଖର୍ଚ୍ଚର ପରିମାଣ ବଢୁଥିଲେ ମଧ୍ୟ ଜିଏସ୍ଡିପି ତୁଳନାରେ ଖର୍ଚ୍ଚ ହାର କମୁଥିବା ସିଏଜି ରିପୋର୍ଟରୁ ଜଣାପଡ଼ିଛି । ପୁଣି ରାଜ୍ୟ ବଜେଟରେ ଶିକ୍ଷା ବାବଦରେ ପ୍ରତିବର୍ଷ ଖର୍ଚ୍ଚ ହେଉଥିବା ଅର୍ଥର ପରିମାଣ ବଢୁଛି ସତ, କିନ୍ତୁ ମୋଟ ବଜେଟ୍ରେ ଶିକ୍ଷା ପାଇଁ ହେଉଥିବା ଖର୍ଚ୍ଚ ହାର ଖସୁଛି । ୨୦୧୮-୧୯ରେ ରାଜ୍ୟ ବଜେଟ୍ର ଆକାର ଥିଲା ୧ଲକ୍ଷ ୩୫ ହଜାର ୫୧୩ କୋଟି । ଏଥିରୁ ଶିକ୍ଷା ପାଇଁ ୧୫ ହଜାର ୭୩୭ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ସେବେ ବଜେଟରେ ଶିକ୍ଷା କ୍ଷେତ୍ରକୁ ହେଉଥିବା ଖର୍ଚ୍ଚ ହାର ଥିଲା ୧୧.୬୧% । ୨୦୧୯-୨୦ରେ ଏହା ୧୧.୧୭% ଓ ୨୦୨୦-୨୧ରେ ୧୦.୬୯%କୁ ଖସିଥିଲା । ୨୦୨୨-୨୩ରେ ମୋଟ୍ ବଜେଟେୁ ଶିକ୍ଷା କ୍ଷେତ୍ରରେ ହେଉଥିବା ଖର୍ଚ୍ଚ ହାର ୯.୬୪% କୁ ଖସି ଯାଇଥିଲା ବୋଲି ସିଏଜି ଦର୍ଶାଇଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook