ମୁଖ୍ୟ ଖବର
ଭାରତ, ଇଣ୍ଡୋନେସିଆ ଏବଂ ମିଆଁମାରର ଅନେକ ସହରରେ ଗତ ବିଳମ୍ୱିତ ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଭୂକମ୍ପ ହୋଇଥିବା ନିଶ୍ଚିତ କରି କହିଛି ଯେ, ଇଣ୍ଡୋନେସିଆରେ ଆଜି ସକାଳ ୫:୦୭ ସମୟରେ ଭୂକମ୍ପ ଆସିଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରେକର୍ଡ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠର ୧୦ କିଲୋମିଟର ଗଭୀରତାରେ ଥିଲା। ଏହା ପୂର୍ୱରୁ ବିଳମ୍ୱିତ ରାତି ୧୧:୪୨ ସମୟରେ ମିଆଁମାରରେ ଭୂକମ୍ପ ଆସିଥିଲା, ଯାହାର ଝଟକାର ତୀବ୍ରତା ୪.୬ ଥିଲା। ଭାରତର ତ୍ରିପୁରା ଏବଂ ମଧ୍ୟପ୍ରଦେଶ ରାଜ୍ୟରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ତ୍ରିପୁରାର ଧଲାଇରେ ରାତି ୧୨:୫୭ ସମୟରେ ୩.୮ ତୀବ୍ରତାର ଭୂକମ୍ପ ଆସିଥିଲା, ଯାହାର କେନ୍ଦ୍ରସ୍ଥଳ ୩୦ କିଲୋମିଟର ଗଭୀରତାରେ ଥିଲା। ଅନ୍ୟପଟେ ମଧ୍ୟପ୍ରଦେଶର ନରସିଂହପୁରରେ ରାତି ୧:୧୬ ସମୟରେ ୨.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ଭାରତ, ଇଣ୍ଡୋନେସିଆ ଏବଂ ମିଆଁମାରରେ ଭୂକମ୍ପ ଯୋଗୁଁ କୌଣସି ଧନଜୀବନ ହାନି ହୋଇନାହିଁ। କେହି ଆହତ ହେବା କିମ୍ୱା କାହାର ମୃତ୍ୟୁ ହେବାର ଖବର ନାହିଁ। କୌଣସି ସମ୍ପତ୍ତି ନଷ୍ଟ ହୋଇଥିବା ରିପୋର୍ଟ ମଧ୍ୟ ଆସିନାହିଁ, କିନ୍ତୁ ଭୂକମ୍ପର ଝଟକା ଯୋଗୁଁ ଇଣ୍ଡୋନେସିଆର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଝଟକା ଏତେ ଜୋରରେ ଥିଲା ଯେ ଲୋକେ ଘରୁ ବାହାରକୁ ଚାଲିଆସିଥିଲେ ଏବଂ ଅନେକ ଘଣ୍ଟା ଧରି ରାସ୍ତାରେ ହିଁ ରହିଥିଲେ। ଇଣ୍ଡୋନେସିଆ ସରକାର ରିଲିଫ ଓ ଉଦ୍ଧାରକାରୀ ଦଳକୁ ମୁତୟନ କରିଛନ୍ତି, ଯେଉଁମାନେ ଭୂକମ୍ପ ପ୍ରଭାବିତ ଅଞ୍ଚଳ ଉପରେ ନଜର ରଖିଛନ୍ତି। ଏଥିସହ ସରକାର ଲୋକଙ୍କୁ ଆତଙ୍କିତ ନ ହେବାକୁ ଏବଂ ଜରୁରୀ ପରିସ୍ଥିତିରେ ହେଲ୍ପଲାଇନ ନମ୍ୱରରେ ଯୋଗାଯୋଗ କରିବାକୁ ନିବେଦନ କରିଛନ୍ତି।
Comments ସମସ୍ତ ମତାମତ