ମୁଖ୍ୟ ଖବର
ଜାକର୍ତ୍ତା: ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ଇଣ୍ଡୋନେସିଆରେ ଗୋଟିଏ ଦିନରେ ୩ ଥର ଭୂମିକମ୍ପ ଅନୁଭୂତ ହୋଇଛି। ଏହା ସହିତ ଭୂମିକମ୍ପ ପରେ ପରେ ୩୪୧ ଥର ଝଟକା ଅନୁଭୂତ ହୋଇଛି। ଏହା ସୂଚିତ କରୁଛି ଯେ, ଆଗାମି ଦିନରେ ପୁଣି ଭୂମିକମ୍ପ ହୋଇପାରେ। ଶନିବାର ସକାଳେ ଏକ ଶକ୍ତିଶାଳୀ ୭.୭ ତୀବ୍ରତାଯୁକ୍ତ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୫୭କୁ ବୃଦ୍ଧି ପାଇଛି। ଭୂମିକମ୍ପରେ ଛତିଶ ଜଣ ଗୁରୁତର ଆହତ ହୋଇଥିବା ବେଳେ ୭୭ ଜଣ ସାମାନ୍ୟ ଆହତ ହୋଇଛନ୍ତି ବୋଲି ଉପ ସ୍ୱାସ୍ଥ୍ୟ ମନ୍ତ୍ରୀ ବେଞ୍ଜାମିନ୍ ପାଉଲସ୍ ଅକ୍ଟାଭିଆନସ୍ ଏକ ଟେଲିଭିଜନ ବୈଠକରେ କହିଛନ୍ତି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଅନେକ କୋଠା ଭୁଶୁଡ଼ି ପଡ଼ିଛି। ପ୍ରଭାବିତ ଅଞ୍ଚଳରେ ମୃଦୁ ଭୂମିକମ୍ପ ନିରନ୍ତର ଅନୁଭୂତ ହେଉଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ଗୋଟିଏ ମିଟର ଉଚ୍ଚ ଢେଉ ଉଠୁଛି। ସୁନାମିର ଆଶଙ୍କା ଏପର୍ଯ୍ୟନ୍ତ ଟଳି ନାହିଁ। ବନ୍ଦର ସହର ମାଉମେରେ ଭୂମିକମ୍ପରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି, ୨୦ ଜଣଙ୍କର ମୃତ୍ୟୁ ହୋଇଛି, ଛଅ ଜଣ ଆହତ ହୋଇଛନ୍ତି ଏବଂ ଦୁଇ ଜଣ ଏବେ ବି ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ୧,୩୦୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଇଣ୍ଡୋନେସିଆର ଜାତୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସିର ମୁଖ୍ୟ ସୁହାର୍ୟନ୍ତୋ କହିଛନ୍ତି, ୩,୩୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ କ୍ଷତିଗ୍ରସ୍ତ କୋଠାଗୁଡ଼ିକର ଭଗ୍ନାବଶେଷ ତଳେ ଅନେକ ଲୋକ ଫସି ରହିଥିବା ସୂଚନା ମିଳିଛି। ଭୂସ୍ଖଳନ ଏବଂ କ୍ଷତିଗ୍ରସ୍ତ ରାସ୍ତା ଯୋଗୁଁ ଭୂମିକମ୍ପ ପ୍ରଭାବିତ ଅନେକ ଅଞ୍ଚଳରେ ଉଦ୍ଧାର ଦଳ ପହଞ୍ଚି ପାରିନାହାଁନ୍ତି। ହେଲିକପ୍ଟର ଯୋଗେ ଏପରି ଅଞ୍ଚଳକୁ ଦଳ ପଠାଇବା ପାଇଁ ପ୍ରୟାସ ଚାଲିଛି।
ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି କହିଛି ଯେ ଶନିବାର ସ୍ଥାନୀୟ ସମୟ ରାତି ୯ଟା ୫୫ରେ ଟୋମିନି ଉପସାଗରରେ ୬.୦ ତୀବ୍ରତାଯୁକ୍ତ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ର ଭୃପୃଷ୍ଠର ୬୮ କିଲୋମିଟର ତଳେ ଥିବା ଭୂମିକମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ କୁହାଯାଇଛି। ସିବିଏସ୍ ନ୍ୟୁଜ୍ ରିପୋର୍ଟ କରିଛି ଯେ ଶନିବାର ସ୍ଥାନୀୟ ସମୟ ଅପରାହ୍ନ ୫ଟା ୫୮ରେ ଇଣ୍ଡୋନେସିଆରେ ୬.୫ ତୀବ୍ରତାଯୁକ୍ତ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ପୂର୍ବ ନୁସା ତେଙ୍ଗାରା ପ୍ରଦେଶର ଏଣ୍ଡେ ସହରରୁ ପ୍ରାୟ ୬୮ କିଲୋମିଟର ଉତ୍ତର-ଉତ୍ତରପଶ୍ଚିମରେ ଅବସ୍ଥିତ ଥିଲା। ପ୍ରାରମ୍ଭିକ ଭୂମିକମ୍ପ ପରେ ଅନେକ ପରବର୍ତ୍ତୀ ଝଟକା ଅନୁଭୂତ ହୋଇଥିଲା।
Comments ସମସ୍ତ ମତାମତ