ମୁଖ୍ୟ ଖବର
ନୂଆଦିଲ୍ଲୀ: ଏଣିକି ସ୍ୱଳ୍ପ ବା ମଧ୍ୟମ ବର୍ଣ୍ଣାନ୍ଧ ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ । ଏଥିପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ ର ଫର୍ମ-୧ ଓ ଫର୍ମ-୧ ‘ଏ’ରେ ସଂଶୋଧନ କରାଯାଇଛି । ଏହି ଫର୍ମରେ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ଯେଉଁ ନାଗରିକମାନେ ସ୍ୱଳ୍ପ ବାଧ୍ୟମ ବର୍ଣ୍ଣାନ୍ଧ (ରଙ୍ଗ ଚିହ୍ନିବାରେ ସମସ୍ୟାର ସମ୍ମୁଖୀନ) ସେମାନେ ଏହି ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ ।
ଜିଏସଆର ୪୦୧ (ଇ) ୨୦୨୦ ରେ ପ୍ରକାଶିତ ଏହି ବିଜ୍ଞପ୍ତିଟି ଏକ ସାମାଜିକ ଓ ସୁବିଧା ପ୍ରଦାନକାରୀ ନିୟମ । ମନ୍ତ୍ରାଳୟ ପକ୍ଷରୁ ଦିବ୍ୟାଙ୍ଗ ନାଗରିକଙ୍କୁ ସହାୟତା କରିବା ଲକ୍ଷ୍ୟ ନେଇ ଠିକ୍ ଭାବରେ ବର୍ଣ୍ଣ ବା ରଙ୍ଗ ଚିହ୍ନିପାରୁ ନଥିବା ବ୍ୟକ୍ତି ବିଶେଷଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦେବା କ୍ଷେତ୍ରରେ ଯେଉଁ କଟକଣା ରହିଛି ତାହାକୁ ଉଠାଇ ଦେବାକୁ ପୂର୍ବରୁ ପରାମର୍ଶ ଜାରି କରାଯାଇଥିଲା ଏବଂ ଏବେ ତାହା କାର୍ଯ୍ୟକାରୀ ହୋଇଛି । ମନ୍ତ୍ରାଳୟ ଏହି ମର୍ମରେ ପୂର୍ବରୁ ବର୍ଣ୍ଣାନ୍ଧ ନାଗରିକମାନଙ୍କଠାରୁ ଅନେକ ଆବେଦନ ପତ୍ର ପାଇଥିଲା । ଡ୍ରାଇଭିଂ ଲାଇସେନ୍ସ ପାଇଁ ଉଦ୍ଧିଷ୍ଟ ଶାରୀରିକ ଯୋଗ୍ୟତା ଫର୍ମ ୧ ଓ ମେଡିକାଲ ସାର୍ଟିଫିକେଟ ଫର୍ମ-୧ ‘ଏ’ ରେ ଥିବା ନିୟମ ବର୍ଣ୍ଣାନ୍ଧମାନଙ୍କୁ ଲାଇସେନ୍ସ ଦେବା କ୍ଷେତ୍ରରେ ପ୍ରତିବନ୍ଧକ ସାଜିଥିବାରୁ ତାହାକୁ ଉଠାଇ ଦେବାକୁ ଏହି ଆବେଦନପତ୍ରରେ ଅନୁରୋଧ କରାଯାଇଥିଲା । ସ୍ୱଳ୍ପ ଓ ବର୍ଣ୍ଣାନ୍ଧମାନଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦେବାକୁ ସ୍ୱାସ୍ଥ୍ୟଗତ ବିଶେଷଜ୍ଞ ପ୍ରତିଷ୍ଠାନ (ଏମଇଆଇ) ସୁପାରିସ କରିଥିଲା । ବିଶ୍ୱର ଅନ୍ୟାନ୍ୟ ଦେଶରେ ସ୍ୱଳ୍ପ ଓ ମଧ୍ୟମ ବର୍ଣ୍ଣାନ୍ଧମାନଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦେବାର ବ୍ୟବସ୍ଥା ରହିଛି ।
Comments ସମସ୍ତ ମତାମତ