ମୁଖ୍ୟ ଖବର
ନୂଆଦିଲ୍ଲୀ,: ଯୁଦ୍ଧ ଯୋଗୁ ବିଶ୍ୱ ଅର୍ଥନୀତି ସଙ୍କଟ ସ୍ଥିତିରେ ରହିଛି । ପାତାଳମୁହାଁ ହୋଇଛି ଟଙ୍କା । ଆମଦାନି ବିଲ୍ ବଢ଼ାଉଛି ଚିନ୍ତା । ଡଲାର ତୁଳନାରେ ଟଙ୍କା ମୂଲ୍ୟ ସର୍ବନିମ୍ନ ସ୍ତର ୯୬.୫୩ ସ୍ତରରେ ରହିଛି । ଏହା ପୂର୍ବରୁ ସୋମବାର ଟଙ୍କା ୯୬.୨୯ ସ୍ତରରେ ବନ୍ଦ ହୋଇଥିଲା । ଗତ କିଛି ଦିନ ହେବ ଟଙ୍କା ମୂଲ୍ୟ ଲଗାତାର ହ୍ରାସ ହେଉଛି । ୨୦୨୬ ଆରମ୍ଭରୁ ଟଙ୍କା ଉପରେ ଚାପ ରହିଛି । ଡିସେମ୍ବର ୨୦୨୫ରେ ପ୍ରଥମ ଥର ଲାଗି ଟଙ୍କା ୯୦ ସ୍ତରକୁ ଖସିଥିଲା । ଏଭଳି ସ୍ଥିତିରେ ମୁଦ୍ରାସ୍ଫୀତି ଚାପ ବଢ଼ିବା ଆଶଙ୍କା ରହିଛି ।ବିଶେଷଜ୍ଞ କହିଛନ୍ତି ଯେ, ଯୁଦ୍ଧ ବନ୍ଦ ନ ହେବା ଏବଂ ଅଶୋଧିତ ତେଲ ଦର ଏଭଳି ବଢ଼ି ଚାଲିଲେ ଟଙ୍କା ୧୦୦ ସ୍ତର ଛୁଇପାରେ । ଟଙ୍କା ମୂଲ୍ୟ ଦୁର୍ବଳ ହେବା ପଛରେ ଆମେରିକା-ଇରାନ ଯୁଦ୍ଧ ସହ ଅନ୍ୟ କିଛି କାରଣ ଦାୟୀ ରହିଛି । ଆମେରିକା-ଇରାନ ଯୁଦ୍ଧ ଯୋଗୁ ପଶ୍ଚିମ ଏସିଆରେ ସଙ୍କଟ ସୃଷ୍ଟି ହୋଇଛି । ଏହି ଯୁଦ୍ଧକୁ ଟଙ୍କା ମୂଲ୍ୟ ହ୍ରାସର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି । ଯୁଦ୍ଧ ଜନୀତ ଅନିଶ୍ଚିତତା ଯୋଗୁ ବିଶ୍ୱ ବଜାରରେ ଡର ସ୍ଥିତି ରହିଛି । ଏଥିଯୋଗୁ ନିବେଶକମାନେ ଅଭିବୃଦ୍ଧିଶୀଳ ବଜାର ଗୁଡିକରୁ ନିବେଶ ଅର୍ଥ ପ୍ରତ୍ୟାହାର କରୁଛନ୍ତି ।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବର୍ତ୍ତମାନ ବ୍ୟାରେଲ ପିଛା ୧୧୦ ଡଲାର ନିକଟତର ହୋଇଛି । ଭାରତ ଏହାର ଆବଶ୍ୟକତାର ୮୫% ତେଲ ଆମଦାନି ଜରିଆରେ ପୂରଣ କରୁଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମହଙ୍ଗା ହେବା ଯୋଗୁ ଭାରତ ଉପରେ ଆମଦାନି ବିଲ୍ ଜନୀତ ଚାପ ବଢ଼ିଛି । ଅନ୍ୟପଟେ ଡଲାର ଚାହିଦା ମଧ୍ୟ ଉପର ମୁହାଁ ହୋଇଛି । ଉପସାଗରୀୟ ଦେଶ ଗୁଡିକରୁ ତେଲ ଯୋଗାଣ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଷ୍ଟ୍ରେଟ ଅଫ୍ ହୋର୍ମୁଜ ଉପରେ ଇରାନ କଟକଣା ଲଗାଇବା ପରେ ତେଲ ଯୋଗାଣ ଠପ୍ ହୋଇଯାଇଛି । ବିଶ୍ୱର ୨୦%ରୁ ତେଲ ଏବଂ ଗ୍ୟାସ ଏହି ରାସ୍ତା ଦେଇ ଆସିଥାଏ ।ବିଶ୍ୱ ବଜାରର ଅନିଶ୍ଚିତତା ଦେଖି ବିଦେଶୀ ପୋର୍ଟଫୋଲିଓ ନିବେଶକ ମାନେ ଭାରତୀୟ ବଜାରରୁ ଲଗାତାର ନିବେଶ ଅର୍ଥ ପ୍ରତ୍ୟାହାର କରୁଛନ୍ତି । ଫଳରେ ଡଲାର ଚାହିଦା ବୃଦ୍ଧି ହେବା ସହ ଟଙ୍କାକୁ ଏହା ଦୁର୍ବଳ କରୁଛି । ସୁରକ୍ଷିତ ନିବେଶ ଭାବେ ଆମେରିକା ଡଲାରର ଚାହିଦା ଉପର ମୁହାଁ । ମଜବୁତ ହୋଇଛି ଡଲାର ଇଣ୍ଡେକ୍ସ । ସେହିଭଳି ଆମେରିକାର ବଣ୍ଡ ଜନୀତ ଲାଭରେ ଉନ୍ନତି ଆସିଥିବାରୁ ନିବେଶକ ଡଲାରରେ ନିବେଶ କରିବାକୁ ଆଗଭର ହେଉଛନ୍ତି ।
Comments ସମସ୍ତ ମତାମତ