ମୁଖ୍ୟ ଖବର
ଭୁବନେଶ୍ୱର : ଜିଦ୍ ରେ ଅଟଳ ଡାକ୍ତର। ରାଜ୍ୟରେ ସ୍ଵାସ୍ଥ୍ୟସେବା ବ୍ୟାଘାତ। ବାଧ୍ୟ ହୋଇ ମଙ୍ଗଳବାର ଏସ୍ମା ଲାଗୁ କଲେ ରାଜ୍ୟ ସରକାର। ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ୍(ଓମ୍ସା) ବିଭିନ୍ନ ଦାବି ନେଇ ଆନ୍ଦୋଳନ ଜିଦ୍ରେ ଅଟଳ ରହିବା ଫଳରେ ସରକାର ଏସ୍ମା ଲାଗୁ କରିଛନ୍ତି । ଗୃହ ବିଭାଗ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛି । ଆସନ୍ତା ୬ ମାସ ଯାଏଁ ଡାକ୍ତରମାନେ ଆନ୍ଦୋଳନ ସହିତ ଧର୍ମଘଟ କରିପାରିବେ ନାହିଁ । ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।
ସରକାରୀ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଡାକ୍ତର, ନର୍ସିଂ ଅଧିକାରୀ, ଫାର୍ମାସୀ ଅଧିକାରୀ, ପାରାମେଡିକାଲ ଷ୍ଟାଫ୍, ଟେକ୍ନିସିଆନ ଏବଂ ସମସ୍ତ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଉପରେ ଏହି କଟକଣା ଲାଗୁ କରାଯାଇଛି । ଦୁଇ ଦିନ ଧରି ରାଜ୍ୟର ଜିଲ୍ଲା ମୁଖ୍ୟ ହସ୍ପିଟାଲଠାରୁ ଆରମ୍ଭ କରି ସଦର ମହକୁମା ସ୍ୱାସ୍ଥ୍ୟ କେନ୍ଦ୍ରରେ ଦିନ ୯ଟାଠାରୁ ୧୧ ପର୍ୟ୍ୟନ୍ତ ଦୁଇ ଘଣ୍ଟା କାଳ ଡାକ୍ତରମାନେ ଓପିଡି ବନ୍ଦ କରି ଆନ୍ଦୋଳନ କରୁଛନ୍ତି । ଏଥିଯୋଗୁ ରୋଗୀ ଓପିଡି ସମ୍ମୁଖରେ ହୋ ହାଲ୍ଲା କରିବା ସହିତ ହଇରାଣ ହେଉଥିଲେ । ଚିକିତ୍ସା ନପାଇ ରୋଗୀ ଫେରୁଥିବା ଦେଖିବାକୁ ମିଳିଥିଲା । ତେଣୁ ଆଶୁ ବିଭାଗ ଆଗରେ ରୋଗୀଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି ।
ରାଜ୍ୟ ସରକାର ଏକାଧିକବାର ଓମ୍ସା ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ । ସଂଘର କେତେକ ଦାବି ପୂରଣ ନେଇ ସରକାର ରାଜି ହୋଇଥିଲେ । ଏପରିକି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଡାକ୍ତରଙ୍କୁ ଆଲୋଚନାକୁ ଆସିବା ଲାଗି ଆହ୍ୱାନ କରିଥିଲେ । ହେଲେ ସମସ୍ତ ଦାବି ପୂରଣ ନେଇ ଓମ୍ସା ଜିଦ୍ରେ ଅଟଳ ରହିଥିଲା । ଆନ୍ଦୋଳନ ଜାରି ରଖିଥିଲା । ଶେଷରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବାକୁ ନିରବଚ୍ଛିନ୍ନ କରିବା ଲାଗି ରାଜ୍ୟ ସରକାର ଏସ୍ମା ଲାଗୁ କରିବା ଭଳି ପଦକ୍ଷେପ ନେଇଛନ୍ତି ।
Comments ସମସ୍ତ ମତାମତ