Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୨୦୦୦କୁ ବୃଦ୍ଧି ପାଇବ ଡାକ୍ତରୀ ସିଟ୍‌

    Share on :
    ajab-Image
    Date: Aug 6, 2026    Views: 3363

    ଭୁବନେଶ୍ୱର: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟତ୍ତର କରିବା ଏବଂ ଡାକ୍ତର ଅଭାବ ପୂରଣ କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ଡାକ୍ତରୀ ସିଟ୍‌ ସଂଖ୍ୟା ବୃଦ୍ଧିକୁ ଗୁରୁତ୍ୱ ଦେଉଛନ୍ତି। ଗତ ୨ ବର୍ଷରେ ୩୦୦ ସିଟ୍‌ ବୃଦ୍ଧି ପାଇଛି। ରାଜ୍ୟରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ସିଟ୍‌ ସଂଖ୍ୟା ୧୮୦୦ରେ ପହଞ୍ଚିଥିବାବେଳେ ଚଳିତବର୍ଷ ଏହି ସଂଖ୍ୟା ୨ହଜାରକୁ ବୃଦ୍ଧି କରିବା ଲାଗି ଆଶା କରାଯାଉଥିବା ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି।
    ସ୍ବାସ୍ଥ୍ୟମନ୍ତ୍ରୀ ଡ. ମହାଲିଙ୍ଗ କହିଛନ୍ତି, ଗତ ୨ ବର୍ଷରେ ଓଡ଼ିଶାକୁ ୩ଟି ମେଡିକାଲ କଲେଜରେ ୧୦୦ ଲେଖାଏ ସିଟ୍‌ରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁମତି ମିଳିଛି। ସେଥିମଧ୍ୟରେ ଜିଏମ୍‌ସିଏଚ୍‌-ଫୁଲବାଣୀ, ପିଏମ୍‌ପି ଏମ୍‌ସିଏଚ୍‌-ତାଳଚେର, ଅନୁଗୋଳ ଏବଂ ଏସ୍‌ଆର୍‌ଏମ୍‌ କଳାହାଣ୍ଡି ମେଡିକାଲ କଲେଜ ଓ ହସ୍ପିଟାଲ ରହିଛି। ପ୍ରତିବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫୦ରୁ ୨୦୦ ଏମ୍‌ବିବିଏସ୍‌ ସିଟ୍‌ ବୃଦ୍ଧି ପାଇଁ ଲକ୍ଷ୍ୟ ରହିଛି। ଏହି କ୍ରମରେ ୨୦୨୬-୨୭ ବର୍ଷରେ ବୁର୍ଲାସ୍ଥିତ ଭିମ୍‌ସାରକୁ ୫୦ ସିଟ୍‌ ଅଧିକ ମିଳିଥିବାବେଳେ ଜାତୀୟ ଭେଷଜ ପରିଷଦ(ଏନ୍‌ଏମ୍‌ସି)ର ପ୍ରକ୍ରିୟା ଭିତରେ ଅବଶିଷ୍ଟ ୧୫୦ ସିଟ୍‌ ରହିଛି। ସେଥିମଧ୍ୟରେ ଯାଜପୁର ମେଡିକାଲ କଲେଜ ପାଇଁ ଅତିରିକ୍ତ ୫୦ ସିଟ୍‌, ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜ-କୋରାପୁଟ ଏବଂ ପିଆର୍‌ଏମ୍‌ ମେଡିକାଲ କଲେଜ ବାରିପଦା ଲାଗି ୨୫ ଲେଖାଏ ସିଟ୍‌ ବଢ଼ିବାକୁ ଆଶା ରହିଛି। ଏହାବାଦ୍‌ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ମେଡିକାଲ କଲେଜ ହସ୍ପିଟାଲରେ ପ୍ରଥମକରି ୫୦ ସିଟ୍‌ରେ ନାମଲେଖା ପାଇଁ ଲକ୍ଷ୍ୟ ରହିଛି।
    ମହାଲିଙ୍ଗ ଆହୁରି କହିଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ କେବଳ ଯେ ଡାକ୍ତର ସୃଷ୍ଟିକୁ ଗୁରୁତ୍ୱ ଦିଆଯାଉଛି ତାହା ନୁହେଁ, ସୁପର ସ୍ପେଶାଲିଷ୍ଟ ଡାକ୍ତରଙ୍କ ଅଭାବକୁ ଦୃଷ୍ଟିରେ ରଖି ୧୫୨ଟି ନୂତନ ପଦବୀ ସୃଷ୍ଟି କରାଯାଇଛି। ଏହାବାଦ୍‌ ରାଜ୍ୟରେ ଖାଲିପଡ଼ିଥିବା ଡାକ୍ତର ପଦ ପୂରଣ ପାଇଁ ଗୁରୁତ୍ୱ ଦିଆଯାଉଛି। ଏହାକୁ ନେଇ ଓଡ଼ିଶା ଲୋକସେବା ଆୟୋଗକୁ ବିଭାଗ ପକ୍ଷରୁ ୫,୨୦୦ ପଦ ପୂରଣ ନିମନ୍ତେ ଇଣ୍ଡେଣ୍ଟ ଦିଆଯାଇଛି। ଇତିମଧ୍ୟରେ ୧୮୦୦ ଡାକ୍ତର ଆସିଛନ୍ତି। ଅବଶିଷ୍ଟ ଡାକ୍ତର ପଦ ପୂରଣ ପାଇଁ ପ୍ରକ୍ରିୟା ତ୍ୱରାନ୍ବିତ କରାଯାଉଛି।
    ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ୨୫୦ ଏମ୍‌ବିବିଏସ୍‌ ସିଟ୍‌ ରହିଥିବାବେଳେ ଭିମ୍‌ସାରରେ ୨୦୦, ଏମ୍‌କେସିଜିରେ ୨୫୦, କୋରାପୁଟସ୍ଥିତ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜ ଓ ହସ୍ପିଟାଲରେ ୧୨୫, ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲରେ ୧୨୫, ବିବି ମେଡିକାଲ କଲେଜ ଓ ହସ୍ପିଟାଲ ବଲାଙ୍ଗୀରରେ ୧୦୦, ଏଫ୍‌ଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲ ବାଲେଶ୍ୱରରେ ୧୦୦, ଏସ୍‌ଜେ ମେଡିକାଲ କଲେଜ ଓ ହସ୍ପିଟାଲ ପୁରୀରେ ୧୦୦ ସିଟ୍‌ ରହିଛି। ସେହିପରି ସୁନ୍ଦରଗଡ଼, କେନ୍ଦୁଝର, କଳାହାଣ୍ଡି, ଅନୁଗୋଳ ଓ କନ୍ଧମାଳସ୍ଥିତ ମେଡିକାଲ କଲେଜରେ ୧୦୦ ଲେଖାଏ ସିଟ୍‌ ରହିଥିବାବେଳେ ଯାଜପୁରସ୍ଥିତ ଏମ୍‌୍‌ଜେକେଏମ୍‌ ସିଏଚ୍‌ରେ ୫୦ ଏମ୍‌ବିବିଏସ୍‌ ସିଟ୍‌ ରହିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook