ମୁଖ୍ୟ ଖବର
ବ୍ରହ୍ମପୁର: ଶହେ ବର୍ଷରେ ପଦାର୍ପଣ କରିବେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର ଡା. ଲକ୍ଷ୍ମୀ ବାଇ । ଶହେ ତମ ଜନ୍ମଦିନକୁ ସ୍ମରଣୀୟ କରିବାକୁ ଜୀବନବ୍ୟାପି ସଞ୍ଚିତ ପୁଞ୍ଜି ସ୍ୱାସ୍ଥ୍ୟ ସେବାର ବିକାଶରେ ବିନିଯୋଗ କରିବେ । ଶତବାର୍ଷିକୀ ପାଳନ ଅବସରରେ ସେ ଭୁବନେଶ୍ୱର ଏମ୍ସକୁ ୩ କୋଟି ୪୦ ଲକ୍ଷ ଟଙ୍କା ଦେବେ । ଏଥିପାଇଁ ହସ୍ପିଟାଲ୍ ସହ ତାଙ୍କର ସମସ୍ତ ଆଲୋଚନା ସରିବା ପରେ କାଗଜପତ୍ର ମଧ୍ୟ ପ୍ରସ୍ତୁତ ହୋଇସାରିଛି ।
ପ୍ରଫେସର ଲକ୍ଷ୍ମୀ ବାଇ କଟକ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଥମ ବ୍ୟାଚ୍ ଏମ୍ବିବିଏସ୍ ଛାତ୍ରୀ । ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରୁ ଅବସର ନେବା ପରେ ବ୍ରହ୍ମପୁର ଭାବାନଗରସ୍ଥିତ ଘରେ ରହୁଛନ୍ତି । ଆସନ୍ତା ୫ ତାରିଖରେ ସେ ଶତବାର୍ଷିକୀ ପାଳନରେ ଏହା ଘୋଷଣା କରିବେ । ଜୀବନବ୍ୟାପି ସଞ୍ଚିତ ଅର୍ଥକୁ ସ୍ୱାସ୍ଥ୍ୟସେବାରେ ଦାନ କରି ସେ ଅତ୍ୟନ୍ତ ଖୁସି । ମହିଳା କର୍କଟ ରୋଗ ଚିକିତ୍ସା ଓ ଯତ୍ନ କେନ୍ଦ୍ର କରିବାକୁ ଏହି ଟଙ୍କା ସେ ଭୁବନେଶ୍ୱର ଏମ୍ସକୁ ଦାନ କରିଥିବା କହିଛନ୍ତି । ତାଙ୍କର ଛାତ୍ରୀ ତଥା ଜଣାଶୁଣା ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ ପ୍ରଫେସର ପି. ଭାରତୀ ଓ ଡା. ଭାରତୀ ମିଶ୍ର ଏହି କାର୍ୟ୍ୟର ତଦାରଖ କରୁଛନ୍ତି ।
ସ୍ୱାସ୍ଥ୍ୟ ସେବା ପ୍ରତି ଗୁରୁଙ୍କ ବଦାନ୍ୟତା ଦେଖି ଉଭୟ ବେଶ ଖୁସି ହେବା ସହ ତାଙ୍କ ଆଦର୍ଶ ଅନେକଙ୍କୁ ଅନୁପ୍ରାଣିତ କରିବ ବୋଲି କହିଛନ୍ତି । ୧୯୨୬ ଡିସେମ୍ବର ୫ରେ ଡା. ଲକ୍ଷ୍ମୀ ବାଇଙ୍କ ଜନ୍ମ । ୧୯୪୫ରୁ ୧୯୫୦ ମଧ୍ୟରେ ସେ ଏସ୍ସିବି ମେଡିକାଲ କଲେଜରେ ଏମ୍ବିବିଏସ୍ ପଢ଼ିବା ପରେ ୧୯୫୮ରେ ମାଡ୍ରାସ୍ ମେଡିକାଲ କଲେଜ ଡିଜିଓ ଆଣ୍ଡ୍ ଏମ୍ଡି ଇନ୍ ‘ଓ ଏଣ୍ଡ୍ ଜି’ ପଢ଼ିଥିଲେ । ୧୯୫୦ରେ ସୁନ୍ଦରଗଡ଼ ଜିଲ୍ଲା ହସ୍ପିଟାଲରୁ ଚାକରି ଜୀବନ ଆରମ୍ଭ କରି ୧୯୮୬ରେ ଏମ୍କେସିଜିରୁ ଅବସର ନେଇଥିଲେ । ସ୍ୱାସ୍ଥ୍ୟସେବାରେ ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ସେ ଭାରତଜ୍ୟୋତି ଆୱାର୍ଡ, ଇଣ୍ଟରନ୍ୟାସ୍ନାଲ ଫ୍ରେଣ୍ଡସିପ୍ ସୋସାଇଟି ଆୱାର୍ଡ ଏବଂ ବେଷ୍ଟ୍ ସିଟିଜେନ୍ ଅଫ୍ ଇଣ୍ଡିଆ ଆୱାର୍ଡ ପାଇଛନ୍ତି।
Comments ସମସ୍ତ ମତାମତ