ମୁଖ୍ୟ ଖବର
ନୂଆଦିଲ୍ଲୀ: ପେଟ୍ରୋଲ୍ ଡିଜେଲ୍ ଉପରୁ କମିଲା ଏକ୍ସସାଇଜ୍ ଡ୍ୟୁଟି। ଯୁକ୍ତରାଷ୍ଟ୍ର–ଇସ୍ରାଏଲ୍ ଓ ଇରାନ୍ ମଧ୍ୟରେ ଯୁଦ୍ଧ ହେତୁ ଇନ୍ଧନ ଦର ବଢ଼ିବା ଆଶଙ୍କା ମଧ୍ୟରେ, ସରକାର ଆଜି ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଏକ୍ସାଇଜ୍ ଶୁଳ୍କ ପ୍ରତି ଲିଟର ୧୦ ଟଙ୍କା କମାଇଛନ୍ତି। ଯାହାଫଳରେ ପେଟ୍ରୋଲ୍ ଉପରେ ଶୁଳ୍କ ୧୩ ଟଙ୍କାରୁ କମି ୩ ଟଙ୍କା ହୋଇଛି । ଏବଂ ଡିଜେଲ୍ ଉପରେ ୧୦ ଟଙ୍କାରୁ କମି ଶୂନ୍ୟ କରାଯାଇଛି। ଅର୍ଥାତ୍ ଡିଜେଲ୍ ଉପରେ କୌଣସି ଏକ୍ସସାଇଜ୍ ଡ୍ୟୁଟି ଲାଗୁ ହେବ ନାହିଁ। ପୂର୍ବରୁ ଡିଜେଲ୍ ଉପରେ ଏକ୍ସସାଇଜ୍ ଡ୍ୟୁଟି ୧୦ ଟଙ୍କା ଥିଲା। ଯୁଦ୍ଧ ପରେ ଇରାନ୍ ଦ୍ୱାରା ହର୍ମୁଜ୍ ସମୁଦ୍ର ସଙ୍କୋଚ ଅବରୋଧ କରାଯାଇଥିବାରୁ ପରିସ୍ଥିତି ଅଧିକ ଗଭୀର ହୋଇଛି। ହର୍ମୁଜ୍ ବିଶ୍ୱର ଏକ ପ୍ରମୁଖ ଇନ୍ଧନ ପରିବହନ ମାର୍ଗ। ଯୁଦ୍ଧ ପୂର୍ବରୁ ପ୍ରାୟ ୨୦ ପ୍ରତିଶତ ଗ୍ଲୋବାଲ୍ କ୍ରୁଡ଼ ତୈଳ ଓ ଗ୍ୟାସ୍ ଆସୁଛି। ଦିନକୁ ୨୦ ରୁ ୨୫ ମିଲିଅନ୍ ବ୍ୟାରେଲ୍ ତୈଳ ଓ ପ୍ରାୟ ୧୦ ବିଲିଅନ୍ କ୍ୟୁବିକ୍ ଫୁଟ୍ ଗ୍ୟାସ୍ ଏହି ସଙ୍କୋଚ ମାଧ୍ୟମରେ ଯାଉଥିଲା।
ଭାରତ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଜରୁରୀ ମାର୍ଗ। ଦେଶର ମୋଟ କ୍ରୁଡ଼ ତୈଳ ଆମଦାନିର ପ୍ରାୟ ୪୦ ରୁ ୫୦ ପ୍ରତିଶତ ଅର୍ଥାତ୍ ୨.୨ ରୁ ୨.୮ ମିଲିଅନ୍ ବ୍ୟାରେଲ୍ ପ୍ରତିଦିନ ଏହି ମାର୍ଗ ଦେଇ ଆସେ । ଏହା ସହିତ ଭାରତ ପଶ୍ଚିମ ଏସିଆରୁ ବହୁ ପରିମାଣରେ ତରଳ ପ୍ରାକୃତିକ ଗ୍ୟାସ୍ ଆମଦାନୀ କରେ। ଯାହାର ପ୍ରାୟ ୧୬ ରୁ ୧୭ ପ୍ରତିଶତ କତାର ଓ ସଂଯୁକ୍ତ ଆରବ ଏମିରେଟସ୍ ଠାରୁ ଆସେ। ସେହିପରି ଭାରତ କତାର ଓ ଇରାନ୍ ଠାରୁ ଏହି ମାର୍ଗ ଦ୍ୱାରା ବହୁ ପରିମାଣରେ ଏଲପିଜି ମଧ୍ୟ ଆମଦାନୀ କରେ। ଯାହା ଦେଶର ୩୩ କୋଟିରୁ ଅଧିକ ପରିବାର ଉପକୃତ ହୁଅନ୍ତି। ସରକାରଙ୍କ କହିବା ଅନୁସାରେ, ଦେଶ ପାଖରେ ପ୍ରାୟ ୬୦ ଦିନର ତୈଳ ସ୍ଟକ୍ ଓ ୩୦ ଦିନର ଏଲପିଜି ସିଲିଣ୍ଡର ଯୋଗାଣ ଉପଲବ୍ଧ ଅଛି। ଅଭାବ ସମ୍ବନ୍ଧୀୟ ଖବରକୁ ସରକାର ଭ୍ରାନ୍ତ ସୂଚନା ବୋଲି କହିଛନ୍ତି। ଯାହା ଲୋକମାନଙ୍କ ମଧ୍ୟରେ ଅନାବଶ୍ୟକ ଭୟ ସୃଷ୍ଟି କରିପାରେ।
Comments ସମସ୍ତ ମତାମତ