ମୁଖ୍ୟ ଖବର
ଝାରସୁଗୁଡା : ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ଏଠାରେ ରେକର୍ଡ ସଂଖ୍ୟକ ଭୋଟରେ ବିଜେଡି ଜିତିଛି। ଦୀପାଳି ଦାସ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮ହଜାର ୭୨୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।
ବିଜୟ ପରେ ଝାରସୁଗୁଡାବାସୀଙ୍କ ଧନ୍ରବାଦ ଜଣାଇଛନ୍ତି ଦୀପାଳି ଦାସ । ସେ କହିଛନ୍ତି ଝାରସୁଗୁଡ଼ାରେ ବିକାଶ ପୁରୁଷ ନବୀନ ପଟ୍ଟନାୟକଙ୍କ ପାଦ ପଡ଼ିଛି । ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ , ବାପାଙ୍କୁ ସମସ୍ତେ କେତେ ଭଲ ପାଉଥିଲେ ତା’ ଉତ୍ତର ଆଜି ମିଳିଗଲା। ଝାରସୁଗୁଡାରେ ବିକାଶର ଦୀପାବଳି ଜଳିବା ପାଇଁ ଆଉ କେହି ଅଟକାଇ ପାରିବେ ନାହିଁ। ଝାରସୁଗୁଡାବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମୋ ଉପରେ ଭରସା କରିଛନ୍ତି। ବାପାଙ୍କ ପରି କାମ କରିକି ଦେଖେଇବାର ଅଛି ବୋଲି ମଧ୍ୟ କହିଛନ୍ତି ଦୀପାଳି ଦାସ। ଅନ୍ୟପଟେ ଦୀପାଳିଙ୍କ ଭାଇ ବିଶାଳ କହିଛନ୍ତି ଆଜି ବାପାଙ୍କ କଥା ମନେ ପଡ଼ିଯାଉଛି । ଝାରସୁଗୁଡ଼ାବାସୀ ଯେମିତି ବାପାଙ୍କୁ ଭଲ ପାଇବା ଦେଉଥିଲେ ଠିକ୍ ସେମିତି ଦୀପାଳିକୁ ବି ଭଲପାଇବା ଦେଇଛନ୍ତି । ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ।
ତେବେ ଦୀପାଳି ଦାସ ବାପା ନବ ଦାସଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି ।୨୦୧୯ରେ ନବ ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଜିତିଥିଲେ। ହେଲେ ଝିଅ ୪୮ହଜାର ୭୨୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସର୍ବଶେଷ ସୂଚନା ଅନୁଯାୟୀ, ଦୀପାଳିଙ୍କୁ ୧ ଲକ୍ଷ ୭ହଜାର ୧୯୮ ଖଣ୍ଡ ଭୋଟ ମିଳିଛି। ଏଣେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାଇଛନ୍ତି ୫୮, ୪୭୭ ଭୋଟ। ତେଣେ କଂଗ୍ରେସ ପ୍ରାର୍ଥୀ ୪, ୪୯୬ ଖଣ୍ଡ ଭୋଟ ପାଇଛନ୍ତି।
Comments ସମସ୍ତ ମତାମତ