Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପୃଥ୍ୱୀରାଜ- ଦିଲ୍ଲୀପ ଭେଟଘାଟ

    Share on :
    ajab-Image
    Date: Jan 24, 2026    Views: 2362

    ଭୁବନେଶ୍ୱର: ରାଜ୍ୟରେ ରାଜ୍ୟସଭା ନିର୍ବାଚନକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଥିବାବେଳେ, ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଛନ୍ତି ଦିଲ୍ଲୀପ ରାୟ । ଆଉ ତାଙ୍କର ଏହି ଭେଟଘାଟ ପରେ ରାଜ୍ୟସଭା ନିର୍ବାଚନକୁ ନେଇ ଚର୍ଚ୍ଚା ବଢ଼ିଛି । କୁହାଯାଉଛି ଦୁଇ ନେତାଙ୍କ ଭିତରେ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଛି । ଆଉ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା ବି ହେଇଛି । ତେବେ ଏହି ଭେଟଘାଟକୁ ସୌଜନ୍ୟମୂଳକର ନାଁ ଦିଆଯାଇଥିଲେ ବି, ଏହି ମିଟିଂରେ ରାଜ୍ୟସଭା ନିର୍ବାଚନ ସଂକ୍ରାନ୍ତରେ ଦୁଇ ନେତାଙ୍କ ଭିତରେ କଥାବାର୍ତ୍ତା ହୋଇଥିବା କୁହାଯାଉଛି ।
    ବର୍ତ୍ତମାନର ରାଜନୈତିକ ସ୍ଥିତିରେ ଚତୁର୍ଥ ଆସନଟିରେ ବିଜେପିର ପ୍ରାର୍ଥୀ କିମ୍ବା ବିଜେପି ଦ୍ବାରା ମନୋନୀତ ସ୍ବାଧୀନ ପ୍ରାର୍ଥୀ ହିଁ ଜିତିବେ, ଏହା ସ୍ପଷ୍ଟ । କାରଣ ବିଜେଡି ଓ କଂଗ୍ରେସ ମିଳିତ ଭାବେ ପ୍ରାର୍ଥୀ ଦେବାର ସମ୍ଭାବନା କ୍ଷୀଣ। ଚାରି ସାଂସଦ ମୁନା ଖାନ୍, ନିରଞ୍ଜନ ବିଶି, ମମତା ମହାନ୍ତ ଓ ସୁଜିତ କୁମାରଙ୍କ କାର୍ୟ୍ୟକାଳ ଏପ୍ରିଲ୍‌ ୨ ତାରିଖରେ ଶେଷ ହେଉଛି। ତାହା ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ମାସରେ ନିର୍ବାଚନ ହେବ। ବର୍ତ୍ତମାନ ବିଧାନସଭାରେ ବିଜେପିର ୭୯ ବିଧାୟକ ଓ ୩ ସହଯୋଗୀ ସ୍ବାଧୀନ ବିଧାୟକ ଅଛନ୍ତି। ବିଜେଡିର ୪୮, କଂଗ୍ରେସର ୧୪ ଓ ସିପିଆଇ(ଏମ୍‌)ର ଜଣେ ବିଧାୟକ ଅଛନ୍ତି। ଏମାନଙ୍କ ବାଦ୍ ବିଜେଡିରୁ ନିଲମ୍ବିତ ଦୁଇ ବିଧାୟକ ଅଛନ୍ତି।

    ବର୍ତ୍ତମାନର ସଂଖ୍ୟା ଗଣିତକୁ ହିସାବକୁ ନେଲେ ଜଣେ ପ୍ରାର୍ଥୀ ଜିତିବା ପାଇଁ ୩୦ ବିଧାୟକଙ୍କ ପ୍ରଥମ ପସନ୍ଦ ଭୋଟ ଦରକାର। ସେହି ହିସାବରେ ବିଜେପିରୁ ଦୁଇ ପ୍ରାର୍ଥୀ ଜିତିଲା ପରେ ଆଉ ୨୨ ବିଧାୟକଙ୍କ ଭୋଟ ବଳକା ରହିବ। ସେମିତି ବିଜେଡିରୁ ଜଣେ ପ୍ରାର୍ଥୀ ଜିତିଲା ପରେ ଆଉ ୧୮ ବିଧାୟକଙ୍କ ଭୋଟ ବଳକା ରହୁଛି। ଚତୁର୍ଥ ପ୍ରାର୍ଥୀ ପାଇଁ କୌଣସି ଦଳ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ। ସଂଖ୍ୟା ଦୃଷ୍ଟିରୁ କଂଗ୍ରେସ ନିଜସ୍ବ ପ୍ରାର୍ଥୀ ଦେବା ସମ୍ଭବ ନୁହେଁ। ଯଦିଓ କଂଗ୍ରେସ ପ୍ରାର୍ଥୀ ଦେବ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ ସୂଚନା ଦେଇଛନ୍ତି, ତେବେ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କଂଗ୍ରେସ ପାଖରେ ଭୋଟ୍ ନାହିଁ। 

    ଚତୁର୍ଥ ପ୍ରାର୍ଥୀ ବି ବିଜେପିରୁ ଜିତିବ ବୋଲି ରାଜନୈତିକ ମହଲରେ ଅନୁମାନ କରାଯାଉଛି। କାରଣ ବିଜେପି ଅନ୍ୟ ଦଳ ସହ ଆଲୋଚନା ନକରି ଯଦି ନିଜେ ସିଧାସଳଖ ପ୍ରାର୍ଥୀ ଦେବ, ତେବେ ବିଜେଡି ପ୍ରାର୍ଥୀ ଦେଇ ନପାରେ। କଂଗ୍ରେସ ବି ପ୍ରାର୍ଥୀ ଦେବାର ସମ୍ଭାବନା କମ୍। ସେହି ପରିସ୍ଥିତିରେ ବିଜେପିର ଚତୁର୍ଥ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ। ଯଦି ବିଜେପି ଦଳୀୟ ପ୍ରାର୍ଥୀ ନ ଦେଇ କୌଣସି ସ୍ବାଧୀନ ପ୍ରାର୍ଥୀଙ୍କୁ ଚୟନ କରେ, ତେବେ ତାଙ୍କୁ ବିଜେଡି ସମର୍ଥନ ଦେବାର ସମ୍ଭାବନା ଅଧିକ। ଅବଶ୍ୟ ବିଜେଡି ଓ କଂଗ୍ରେସ ମିଳିତ ଭାବେ ପ୍ରାର୍ଥୀ ଦେଲେ ଚିତ୍ର ବଦଳିଯିବ। କିନ୍ତୁ ବର୍ତ୍ତମାନ କୌଣସି ପରିସ୍ଥିତିରେ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କୁ ଅସନ୍ତୁଷ୍ଟ କରିବା ସ୍ଥିତିରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନାହାନ୍ତି। ତେଣୁ ସେ କଂଗ୍ରେସ ସହ ହାତ ମିଳାଇବେ ନାହିଁ। ବରଂ ବିଜେପି ମନୋନୀତ ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିପାରନ୍ତି। ନବୀନଙ୍କ ଭରସା ନ ପାଇଲେ, କଂଗ୍ରେସ ବି ପ୍ରାର୍ଥୀ ଦେଇ ଅପଦସ୍ଥ ହେବାକୁ ଚାହିବ ନାହିଁ। 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook