ମୁଖ୍ୟ ଖବର
ଭୁବନେଶ୍ୱର:ଆଜି ଧନତେରାସ୍। ଧନତେରାସ ଅବସରରେ ସୁନା, ରୁପା ଓ ନୂଆ ବାସନକୁସନ କିଣିବାର ପରମ୍ପରା ରହିଥିବାରୁ ଗହଣା ଦୋକାନଠୁ ବଜାର ପର୍ୟ୍ୟନ୍ତ ସବୁଠି ଭିଡ଼। ଧାର୍ମିକ ବିଶ୍ୱାସ ଅନୁସାରେ, ଧନତେରାସ ଦିନ ମା' ଲକ୍ଷ୍ମୀ, ଭଗବାନ କୁବେର ଓ ଭଗବାନ ଧନ୍ୱନ୍ତରୀଙ୍କ ପୂଜା କରାଯାଏ। ଏହି ଦିନ ସୁନା ଓ ରୁପା କିଣିବା ଶୁଭ ବୋଲି ଅନେକଙ୍କ ବିଶ୍ୱାସ। ଭୁବନେଶ୍ୱରରେ ଧନତେରସକୁ ନେଇ ଗହଣା ବ୍ୟବସାୟୀଙ୍କ ମଧ୍ୟରେ ଉତ୍ସାହ ରହିଛି।
ନିକଟରେ ସୁନା ଓ ରୁପା ଦରରେ ହ୍ରାସ ହୋଇଥିବାରୁ ଗ୍ରାହକଙ୍କ ଆଗ୍ରହ ବଢ଼ିଥିବା ନେଇ ସ୍ଥାନୀୟ ବ୍ୟବସାୟୀମାନେ ଆଶା ପ୍ରକାଶ କରିଛନ୍ତି। ସୁନା ଓ ରୁପା କଏନ୍, ହାଲୁକା ଗହଣା ଓ ଘରୋଇ ସାମଗ୍ରୀ କିଣାକୁ ନେଇ ବଜାରରେ ରହିଛି ଉତ୍ସବର ମାହୋଲ। କେବଳ ସୁନା ଓ ରୁପା ନୁହେଁ, ନୂଆ ବାସନକୁସନ, ଝାଡ଼ୁ ଓ ଘରୋଇ ଉପକରଣ କିଣିବାକୁ ମଧ୍ୟ ଲୋକ ପସନ୍ଦ କରିଥାନ୍ତି।
କିଛି ସମୟ ଖସିବା ପରେ ଏବେ ସୁନା ଦର ପୁଣି ଉପରମୁହାଁ ହୋଇଛି । ଦର ଦୁଇ ସପ୍ତାହର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ରୁପା ମଧ୍ୟ ମହଙ୍ଗା ହୋଇଚାଲିଛି । ଏଭଳି ସମୟରେ ଧନତେରାସ ପାଳିବେ ଗ୍ରାହକ। ତେବେ ଦର ଚଢ଼ା ରହିଥିଲେ ବି ଧନ୍ତେରସ-୨୦୨୬ରେ ଚାହିଦା ୧୨% ବଢ଼ିବା ନେଇ ଅନୁମାନ କରିଛନ୍ତି ବ୍ୟବସାୟୀ ।
ଏ ବର୍ଷ ଜାନୁଆରୀରେ ୧୦ ଗ୍ରାମ ପିଛା ସୁନା ଦର ୧.୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା । ଏଯାବତ ଏଥିରେ ପ୍ରାୟ ୩୦% ହ୍ରାସ ଘଟିଛି । ଆଗକୁ ବିବାହ ଋତୁ ଥିବାବେଳେ ଲୋକେ ଧନ୍ତେରାସ ଓ ଦୀପାବଳି ଅଫର ଏବଂ ପୂର୍ବ ତୁଳନାରେ ସାମାନ୍ୟ କମ୍ ଦରରେ ସୁନା ଗହଣା କିଣିପାରନ୍ତି ବୋଲି ଆଶା ରଖିଛନ୍ତି ବ୍ୟବସାୟୀ । ଲୋକଙ୍କୁ ଟାଣିବାକୁ ସୋ’ରୁମ୍ଗୁଡ଼ିକ ଆଣିଛନ୍ତି ଲୋଭନୀୟ ଅଫର । ଗଢ଼ା ମଜୁରିରେ ରହିଛି ଆଖିଦୃଶିଆ ରିହାତି । ଟ୍ରେଣ୍ଡ୍ରେ ହାଲୁକା ଗହଣା । ଯଦିଓ ବିଭିନ୍ନ ପ୍ରକାର କାରଣ ଯୋଗୁ ସୁନା ଦର ଏବେ ବଢୁଛି ତଥାପି ଆଡ୍ଭାନ୍ସ ବୁକିଂ ଯୋଗୁ ସୁନା ବିକ୍ରି ଏହି ଧନ୍ତେରାସରେ ବଢ଼ିପାରେ ବୋଲି ଅନୁମାନ କରିଛି ଇଣ୍ଡିଆ ବୁଲିୟନ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ ।
Comments ସମସ୍ତ ମତାମତ