ମୁଖ୍ୟ ଖବର
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଶାସନରେ ବିଜେପି ଯୁବମୋର୍ଚ୍ଚାର ଆନ୍ଦୋଳନକାରୀ ଏବଂ ରାଷ୍ଟ୍ରୀୟ ବିଚାରଧାରା ବିରୋଧୀ ମନ୍ତବ୍ୟକୁ ପ୍ରତିବାଦ କରୁଥିବା ଛାତ୍ରନେତାଙ୍କୁ ଏକପାଖିଆ ଭାବେ ଜେଲ୍ରେ ପୂରାଇଲେ ରାଜ୍ୟରେ ଜେଲ୍ର ଅଭାବ ପଡ଼ିବ। ଆବଶ୍ୟକ ପଡ଼ିଲେ ଏହିଭଳି ଆନ୍ଦୋଳନକୁ ଘରଘରେ ପହଞ୍ଚାଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଲୋୟର ପିଏମ୍ଜିରେ ଆନ୍ଦୋଳନରତ ବିଜେପି ଯୁବମୋର୍ଚ୍ଚା କାର୍ୟ୍ୟକର୍ତ୍ତାଙ୍କୁ ପୁଲିସ ଗିରଫ କରିବା ପରେ ଓଡ଼ିଶା ଗସ୍ତରେ ଆସିଥିବା ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟ କାର୍ୟ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କାର୍ୟ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡ଼ିଶାର ଶାସନ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱର ୨୩ ବର୍ଷ ପୂର୍ତ୍ତି ହୋଇଛି। ମାତ୍ର ଏତେ ଲମ୍ବା ସମୟ ଶାସନ ବ୍ୟବସ୍ଥାରେ ରହିବା ପରେ ମଧ୍ୟ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ ହୋଇଛି। ରାଜନୀତିରେ କୌଣସିମତେ ହିଂସାର ସ୍ଥାନ ନାହିଁ। ବିଜେପି ଯୁବ ମୋର୍ଚ୍ଚାର କାର୍ୟ୍ୟକର୍ତ୍ତାମାନେ ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା ନେଇ ଆନ୍ଦୋଳନ କରୁଥିବାବେଳେ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଚିତ୍ର ପ୍ରକାଶ ପାଇଛି। ଏଥିରେ ସାଧା ପୋଷାକଧାରୀ କର୍ମୀ ଓ ପୁଲିସ ଅଧିକାରୀଙ୍କ କାର୍ୟ୍ୟକୁ ନେଇ ପ୍ରଶ୍ନ ଉଠିଛି।
ଅପରପକ୍ଷେ ଲୋକଙ୍କ ସମସ୍ୟାକୁ ନେଇ ଆନ୍ଦୋଳନ କଲେ ବିଜେପି କର୍ମକର୍ତ୍ତାଙ୍କୁ ଏକପାଖିଆ ଭାବେ ୩୦୭ ଧାରା ଲଗାଇ ଜେଲ୍କୁ ପଠାଯାଉଛି। କିଛି ଦିନ ପୂର୍ବେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦେଶର ସମ୍ବିଧାନକୁ ନେଇ ପ୍ରଶ୍ନ ଉଠାଉଥିବା ଲୋକଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ଏବିଭିପି କାର୍ୟ୍ୟକର୍ତ୍ତାଙ୍କୁ ଜେଲରେ ରଖାଯାଇଛି, ଯାହା ଦୁର୍ଭାଗ୍ୟଜନକ। ନବୀନ ପଟ୍ଟନାୟକଙ୍କ ଶାସନରେ ରାଷ୍ଟ୍ରବାଦୀ ବିଚାରଧାରାକୁ ଅଣଦେଖା ସହ ଧାରା ୩୦୭ ମାଧ୍ୟମରେ ନାଲି ଆଖି ଦେଖାଯାଉଛି, ଏହି ଆଭିମୁଖ୍ୟ ରହିଲେ ରାଜ୍ୟରେ ଜେଲ୍ ଅଭାବ ପଡ଼ିବ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଶାସନରେ ହେଉଥିବା ଏକପାଖିଆ କାମ ଇଷ୍ଟ ଇଣ୍ଡିଆ କମ୍ପାନି ମଧ୍ୟ କରିଥିଲା। ସମାଜର ବ୍ୟକ୍ତିବିଶେଷଙ୍କୁ ନେଇ ସମାଜର ଆକାଂକ୍ଷାକୁ ଇଂରେଜମାନେ ଦଳିବା ପାଇଁ ଚେଷ୍ଟା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଶାସନରେ ନିୟମକାନୁନକୁ ଧୂଳିସାତ୍ କରିବା ଭଳି ଅପଚେଷ୍ଟା ହେଉଛି। ମାତ୍ର ରାଜ୍ୟର ଆଇନଶୃଙ୍ଖଳାକୁ ନେଇ ଲୋକଙ୍କ ମନ ଭିତରେ ଉଠିଥିବା ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ପଡ଼ିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
Comments ସମସ୍ତ ମତାମତ