Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମାତୃଶକ୍ତିର ସମର୍ଥନ ସତ୍ତ୍ୱେ ବିକାଶ ପଥରେ ବାଧା ସୃଷ୍ଟି କରୁଛନ୍ତି ବିରୋଧୀ : ଧର୍ମେନ୍ଦ୍ର

    Share on :
    ajab-Image
    Date: Apr 26, 2026    Views: 2336

    ଦେବଗଡ଼: ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ନେଇ ସମଗ୍ର ଭାରତବର୍ଷର ମାତୃଶକ୍ତିମାନେ ସମର୍ଥନ ଦେଉଥିବା ବେଳେ ବିରୋଧୀମାନେ ମହିଳାମାନଙ୍କ ପାଇଁ ଆସନ ବୃଦ୍ଧି ହେଉ ବୋଲି ଚାହୁଁନାହାନ୍ତି । ବିରୋଧୀମାନଙ୍କର ଏଭଳି ମନୋଭାବ ନାରୀ ଶକ୍ତିର ବିକାଶ ପଥରେ ବାଧା ସୃଷ୍ଟି କରୁଛି । ଦେବଗଡ଼ରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଦେବଗଡରେ ୨୮୦ କୋଟି ଟଙ୍କା ବ୍ୟୟ ଅଟକଳରେ ୧୨୪ଟି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି ।

    ଶ୍ରୀ ପ୍ରଧାନ କହିଛନ୍ତି, ଯେ ୧୩୦.୭୯ କୋଟି ଟଙ୍କା ମୂଲ୍ୟର ୬୩ଟି ପ୍ରକଳ୍ପ ଲୋକାର୍ପଣ ହୋଇଥିବା ବେଳେ ୧୪୭.୭୦ କୋଟି ଟଙ୍କା ମୂଲ୍ୟର ୬୧ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ପ୍ରାୟ ୩୧.୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କେନ୍ଦ୍ରୀୟ ବିଦ୍ୟାଳୟ, ଦେବଗଡ଼ର ସ୍ଥାୟୀ ଭବନ ଆଜି ଜିଲ୍ଲାବାସୀଙ୍କୁ ସମର୍ପିତ କରାଯାଇଛି । ୯.୨୨ ଏକର ପରିମିତ ଜମିରେ ନିର୍ମିତ ଏହି ବିଦ୍ୟାଳୟରେ ୪୫ଟି କୋଠରୀ ରହିଛି, ଯେଉଁଥିରେ ୨୪ଟି ସ୍ମାର୍ଟ କ୍ଲାସରୁମ୍, ୩ଟି ଅତ୍ୟାଧୁନିକ ବିଜ୍ଞାନାଗାର ଏବଂ ୨ଟି କମ୍ପ୍ୟୁଟର ଲ୍ୟାବ୍ ରହିଛି । ଏହି ବିଦ୍ୟାଳୟ ଦ୍ୱାରା ପ୍ରାୟ ୧୦୦୦ରୁ ଅଧିକ ଛାତ୍ରଛାତ୍ରୀ ଉଚ୍ଚକୋଟୀର ଗୁଣାତ୍ମକ ଶିକ୍ଷା ପାଇପାରିବେ । ଚଳିତ ଶିକ୍ଷା ବର୍ଷରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ 'ଡବଲ ସେକ୍ସନ' ଆରମ୍ଭ ହେବାକୁ ଯାଉଛି ଏବଂ ଆଗାମୀ ଦିନରେ ଏହା ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାର ଯୋଜନା ରହିଛି । ଏଥିସହ ଦେବଗଡ଼ ମହାବିଦ୍ୟାଳୟ ପରିସରରେ 'ସମ୍ନିଶ୍ରିତ ସହରାଞ୍ଚଳ ଛାତ୍ରାବାସ'ର ଉଦଘାଟନ ହୋଇଛି । ଏହାଦ୍ୱାରା ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଛାତ୍ରମାନେ ବିଶେଷ ଭାବରେ ଉପକୃତ ହେବେ । ଏହି ପ୍ରକଳ୍ପଗୁଡ଼ିକ ଆଗାମୀ ଦିନରେ ଦେବଗଡ଼ର ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି ।

    ଏହି ଅବସରରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଣୀତ ଐତିହାସିକ 'ନାରୀ ଶକ୍ତି ବନ୍ଦନ ଅଧିନିୟମ' ମହିଳା ସଂରକ୍ଷଣ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହାଦ୍ୱାରା ଲୋକସଭା ଓ ବିଧାନସଭାରେ ମାଆମାନଙ୍କ ପାଇଁ ସିଟ୍ ସଂଖ୍ୟା ବୃଦ୍ଧି ପାଇବ, ଯାହା ଓଡ଼ିଶାରେ ଅଧିକରୁ ଅଧିକ ମହିଳା ଜନପ୍ରତିନିଧି ସୃଷ୍ଟି କରିବା ସହ ସେମାନଙ୍କୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସଶକ୍ତ କରିବ । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ଅନେକ ବିରୋଧୀ ଦଳ ମହିଳାମାନଙ୍କ ପାଇଁ ସିଟ୍ ସଂଖ୍ୟା ବୃଦ୍ଧି ହେଉ ବୋଲି ଚାହୁଁନାହାନ୍ତି।

    ଆମ ସମସ୍ତଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି, ଭାରତ ସରକାରଙ୍କ ‘ସହକାରରୁ ସମୃଦ୍ଧି’ ଯୋଜନା ମାଧ୍ୟମରେ ଦେବଗଡ଼କୁ ଏକ ଅର୍ଥନୈତିକ ସମୃଦ୍ଧଶାଳୀ ଅଞ୍ଚଳ ଭାବେ ଗଢ଼ିତୋଳିବା ଏବଂ ଏଠାରେ ବସବାସ କରୁଥିବା ପ୍ରାୟ ଏକ ଲକ୍ଷ ପରିବାରର ଜୀବନଧାରଣର ମାନ ବୃଦ୍ଧି କରିବା । ଏହି ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ କୃଷି, ଉଦ୍ୟାନ କୃଷି, ପଶୁପାଳନ, ମତ୍ସ୍ୟ ଚାଷ ଓ ଜଙ୍ଗଲଜାତ ଦ୍ରବ୍ୟର ସଦୁପଯୋଗ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏହା ସହିତ ଜଳସେଚନ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ କ୍ଷେତ୍ରଗୁଡ଼ିକୁ ସର୍ବାଧିକ ପ୍ରାଥମିକତା ପ୍ରଦାନ କରାଯାଉଛି । ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା ଏବଂ ସେମାନଙ୍କ ବହୁମୂଲ୍ୟ ପରାମର୍ଶକୁ ଭିତ୍ତି କରି ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଲୋକଙ୍କ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର । ଦେବଗଡ଼ ଜିଲ୍ଲାର ପ୍ରଗତି ଓ ନାଗରିକମାନଙ୍କ କଲ୍ୟାଣ ପାଇଁ ସାମୂହିକ ପ୍ରୟାସ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ଯୋଜନାର ସୁବିଧା ହସ୍ତାନ୍ତରଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପଞ୍ଚାୟତିରାଜ, ଗ୍ରାମୀଣ ଉନ୍ନୟନ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଏବଂ ସ୍ଥାନୀୟ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook