ମୁଖ୍ୟ ଖବର
ନୂଆଦିଲ୍ଲୀ : ଭାରତର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଦେଶର ରାଜଧାନୀ ଦିଲ୍ଲୀରେ ଏକ ଭବ୍ୟ ଜାତୀୟସ୍ତରୀୟ ସ୍ମୃତି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ଶହୀଦ ବାଜି ରାଉତଙ୍କ ଅସୀମ ସାହସ ଓ ବଳିଦାନକୁ ମନେ ପକାଇବା ସହ ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ପାଇଁ ପତ୍ର ମାଧ୍ୟମରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଛନ୍ତି ଶ୍ରୀ ପ୍ରଧାନ ।
ସେ ପତ୍ରରେ ଉଲ୍ଲେଖ କରିଛନ୍ତି, ୧୯୨୬ ମସିହା ଅକ୍ଟୋବର ୫ ତାରିଖରେ ଢେଙ୍କାନାଳର ନୀଳକଣ୍ଠପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ବାଜି ରାଉତ ମାତ୍ର ୧୨ବର୍ଷ ବୟସରେ ବ୍ରିଟିଶ ବାହିନୀକୁ ନଦୀ ପାର କରିବାକୁ ସାହସର ସହ ମନା କରି ଶହୀଦ ହୋଇଥିଲେ । ୧୯୩୮ ଅକ୍ଟୋବର ୧୧ ତାରିଖରେ ନୀଳକଣ୍ଠପୁର ଘାଟରେ ତାଙ୍କର ଏହି ମହାନ ବଳିଦାନ ଗଡ଼ଜାତ ଆନ୍ଦୋଳନକୁ ଏକ ନୂଆ ମୋଡ଼ ଦେବା ସହ ଜାତୀୟ ସ୍ୱାଧୀନତା ସଂଗ୍ରାମକୁ ମଧ୍ୟ ଶକ୍ତିଶାଳୀ କରିଥିଲା । ବାଜି ରାଉତ ଯେଉଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ, ତାହା ଦେଶପ୍ରେମ ଓ ନୈତିକ ଦୃଢ଼ତାର ଏକ ଅନନ୍ୟ ପ୍ରତୀକ । ଶହୀଦ ବାଜି ରାଉତ କେବଳ ଓଡ଼ିଶାର ଜଣେ ଆଞ୍ଚଳିକ ନାୟକ ନୁହନ୍ତି, ବରଂ ସେ ସମଗ୍ର ଭାରତ ପାଇଁ 'ଯୁବ ଦେଶପ୍ରେମ'ର ଏକ ଅମର ପ୍ରତୀକ ଏବଂ ଜାତୀୟ ଆଇକନ ।
ଭାରତର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ୫ ଅକ୍ଟୋବର ୨୦୨୫ରେ ପ୍ରବେଶ କରିଥିବାବେଳେ ୫ ଅକ୍ଟୋବର ୨୦୨୬ପର୍ଯ୍ୟନ୍ତ ବର୍ଷେ ବ୍ୟାପୀ ତାଙ୍କର ଶତବାର୍ଷିକୀ ଉତ୍ସବ ପାଳନ କରାଯିବ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟ ସ୍ତରରେ ଏହି ଶତବାର୍ଷିକୀକୁ ଶହୀଦ ବାଜି ରାଉତ ମେମୋରିଆଲ ଫାଉଣ୍ଡେସନର ମିଳିତ ସହଯୋଗରେ ଆନୁଷ୍ଠାନିକ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଐତିହାସିକ ଅବସରକୁ ସ୍ମରଣୀୟ କରିବା ପାଇଁ ଶ୍ରୀ ପ୍ରଧାନ "ଶହୀଦ ବାଜି ରାଉତଙ୍କ ଅମର ଗାଥା: ରାଷ୍ଟ୍ର ନିର୍ମାଣ ପାଇଁ ଯୁବଶକ୍ତିଙ୍କୁ ପ୍ରେରଣା" ଶୀର୍ଷକର ଏକ 'ଜାତୀୟ ଛାତ୍ର ଓ ଯୁବ ସମ୍ମିଳନୀ' ଆୟୋଜନ କରିବାକୁ ପୃଥକ ସଲଗ୍ନ ପତ୍ରରେ ପ୍ରସ୍ତାବ ଦେଇଛନ୍ତି ।
ସ୍କୁଲରୁ କଲେଜ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରେ ସେମିନାର, ସାକ୍ଷାତ୍ ଆଲୋଚନା, ପ୍ରଦର୍ଶନୀ, ବକ୍ତୃତା, ରଚନା ଲିଖନ, ସାଂସ୍କୃତିକ ପ୍ରଦର୍ଶନ ଏବଂ ଇତିହାସରେ ଅନାଲୋଚିତ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଆଧାରିତ ବିଭିନ୍ନ ପ୍ରତିଯୋଗିତା ସାମିଲ କରିବାକୁ ସେ କହିଛନ୍ତି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ଛାତ୍ର ଓ ଯୁବସମାଜଙ୍କ ମଧ୍ୟରେ ବାଜି ରାଉତଙ୍କ ଦେଶପ୍ରେମ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କ ମଧ୍ୟରେ ମାତୃଭୂମି ପ୍ରତି ଦାୟିତ୍ୱବୋଧ ଜାଗ୍ରତ କରିବା । ବର୍ତ୍ତମାନ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଜାତୀୟ ସ୍ତରରେ ଏହି କାର୍ଯ୍ୟକ୍ରମ ହେଲେ ଏହା ଦେଶର କୋଣ ଅନୁକୋଣରୁ ଯୁବକ ଓ ଛାତ୍ରମାନଙ୍କୁ ଏକାଠି କରିବାରେ ସହାୟକ ହେବ ।
Comments ସମସ୍ତ ମତାମତ