Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୧୩ଟି ଭାଷାରେ ପ୍ରକାଶିତ କୁଦୋପାଲି ପୁସ୍ତକ ବିଶ୍ୱ ଦରବାରରେ ଓଡ଼ିଶାର ବୀରତ୍ୱକୁ ନୂତନ ପରିଚୟ ଦେବ - ଧର୍ମେନ୍ଦ୍ର

    Share on :
    ajab-Image
    Date: Jan 11, 2026    Views: 2446

    ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭାରତ ମଣ୍ଡପମ୍‌ ଠାରେ 'ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା (ଏନଡିଡବ୍ଲୁବିଏଫ) ୨୦୨୬'ର ଉଦଘାଟନ କରିଛନ୍ତି ।  ଏହି ବର୍ଷର ମେଳାରେ ଓଡ଼ିଶାର ୧୮୫୭ ସଂଗ୍ରାମର ଅନାଲୋଚିତ ଅଧ୍ୟାୟ 'କୁଦୋପାଲି'କୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି । 

    ଏହି ଅବସରରେ କୁଦୋପାଲିର ସଂଘର୍ଷ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ଭିଡିଓ ପ୍ରଦର୍ଶିତ ହେବା ସହ " ‘ଦି ସାଗା ଅଫ୍ କୁଦୋପାଲି : ଦ ଅନସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭” ପୁସ୍ତକଟିକୁ ସ୍ପାନିସ ସମେତ ୧୦ଟି ଆଞ୍ଚଳିକ ଭାଷାରେ ଉନ୍ମୋଚନ କରାଯାଇଛି । ଶ୍ରୀ ପ୍ରଧାନ ଏବଂ ଅନ୍ୟ ଅତିଥିମାନେ ପୁସ୍ତକଟିକୁ ସ୍ପାନିସ୍, ବଙ୍ଗାଳି, ପଞ୍ଜାବୀ, ଅସମୀୟା, ମାଲାୟାଲମ, ଉର୍ଦ୍ଦୁ, ମରାଠୀ, ତାମିଲ, କନ୍ନଡ଼ ଏବଂ ତେଲୁଗୁ ଭଳି ମୋଟ ୧୦ଟି ଭାଷାରେ ଉନ୍ମୋଚନ କରିଥିଲେ । ପୂର୍ବରୁ ଓଡ଼ିଆ, ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଲୋକାର୍ପିତ ହୋଇସାରିଥିବା ଏହି ପୁସ୍ତକଟି ବର୍ତ୍ତମାନ ମୋଟ ୧୩ଟି ଭାଷାରେ ଉପଲବ୍ଧ । ବିଶେଷ ଭାବରେ ସ୍ପାନିସ ଭଳି ଆନ୍ତର୍ଜାତିକ ଭାଷାରେ ପୁସ୍ତକଟିର ଉନ୍ମୋଚନ ଓଡ଼ିଶାର ଇତିହାସକୁ ୟୁରୋପୀୟ ପାଠକଙ୍କ ପାଖରେ ପହଞ୍ଚାଇବାରେ ଏକ ବଡ଼ ସଫଳତା ।
    ଶ୍ରୀ ପ୍ରଧାନ କହିଛନ୍ତି ୧୮୫୭ ମସିହା ଡିସେମ୍ବର ମାସ ୩୦ ତାରିଖ ଦିନ କୁଦୋପାଲିର ରଣଭୂମିରେ ୫୩ ଜଣ ସଂଗ୍ରାମୀ ଶହୀଦ ହୋଇଥିଲେ । ପରେ ଆଉ ୪ ଜଣ ସଂଗ୍ରାମୀଙ୍କୁ ଫାଶୀ ଦିଆଯାଇଥିଲା । ଏହିପରି ୫୭ ଜଣ ସଂଗ୍ରାମୀ ଶହୀଦ ହୋଇଥିଲେ । ଆଜିର ପଦକ୍ଷେପ ମାଧ୍ୟମରେ କୁଦୋପାଲିର ଅନାଲୋଚିତ ଇତିହାସ ଏବଂ ବୀର ସଂଗ୍ରାମୀଙ୍କ ବଳିଦାନକୁ ସର୍ବଭାରତୀୟ ତଥା ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବା ପାଇଁ ଏକ ବଳିଷ୍ଠ ପ୍ରୟାସ କରାଯାଇଛି । ଏହି ପୁସ୍ତକ ଉନ୍ମୋଚନ ଭାରତର ସଂଗ୍ରାମୀ ଇତିହାସକୁ ବିଶ୍ୱ ଦରବାରରେ ଏକ ନୂତନ ପରିଚୟ ପ୍ରଦାନ କରିବ । ଏହି ପଦକ୍ଷେପ ଦ୍ୱାରା ନୂଆପିଢ଼ିର ପିଲାମାନେ ନିଜ ମାଟିର ବୀରତ୍ୱ ଓ ସଂଘର୍ଷ ବିଷୟରେ ଜାଣିବାକୁ ସୁଯୋଗ ପାଇବେ ବୋଲି ସେ କହିଛନ୍ତି । 
    ସମ୍ବଲପୁରର କୁଦୋପାଲି କେବଳ ଏକ ସ୍ଥାନ ନୁହେଁ, ବରଂ ଏହା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକ ଜାଜ୍ୱଲ୍ୟମାନ ପ୍ରତୀକ । ୧୮୫୭ର ସିପାହୀ ବିଦ୍ରୋହ ସମୟରେ ଓଡ଼ିଶାର ଏହି ମାଟି ବ୍ରିଟିଶ ଶାସନ ବିରୋଧରେ ଅପରାଜେୟ ସଂଗ୍ରାମର ସାକ୍ଷୀ ରହିଥିଲା, ଯାହା ଏବେ ବିଶ୍ୱ ଦରବାରରେ ନୂତନ ପରିଚୟ ପାଇବାକୁ ଯାଉଛି । ୧୮୫୭ ଜୁଲାଇ ୩୦ରେ ହଜାରିବାଗ ଜେଲରୁ ମୁକ୍ତ ହେବା ପରେ ବୀର ସୁରେନ୍ଦ୍ର ସାଏ ସମ୍ବଲପୁର ଫେରିଆସିଥିଲେ । ଜନତାଙ୍କ ଅକୁଣ୍ଠ ସମର୍ଥନରେ ସେ ବ୍ରିଟିଶ ବିରୋଧୀ 'ଉଲଗୁଲାନ' (ଗରିଲା ଯୁଦ୍ଧ)ର ରଣନୀତି ପ୍ରସ୍ତୁତ କରିଥିଲେ । ସମ୍ବଲପୁର ଠାରୁ ମାତ୍ର ୪ ମାଇଲ ଦୂରରେ ଥିବା କୁଦୋପାଲିକୁ ସଂଗ୍ରାମୀମାନେ ନିଜର ମୁଖ୍ୟ କେନ୍ଦ୍ର କରିଥିଲେ । ଏହାର ପାହାଡ଼ିଆ ଭୌଗୋଳିକ ଅବସ୍ଥିତି ଯୋଗୁଁ ସେଠାରୁ ଶତ୍ରୁର ଗତିବିଧି ଉପରେ ନଜର ରଖିବା ସହଜ ଥିଲା । ୧୭ ଡିସେମ୍ବର ୧୮୫୭ରେ ବ୍ରିଟିଶ ସେନାର ପ୍ରଥମ ଆକ୍ରମଣକୁ ସଂଗ୍ରାମୀମାନେ ପାହାଡ଼ ଉପରୁ ବିଶାଳ ପଥର ଗଡ଼ାଇ ପରାସ୍ତ କରିଥିଲେ । ଏହି ବିଜୟ ବ୍ରିଟିଶ ଶାସନକୁ ସମ୍ପୂର୍ଣ୍ଣ ଅଥର୍ବ କରିଦେଇଥିଲା । ବ୍ରିଟିଶ ସେନା ଷଡ଼ଯନ୍ତ୍ର କରି ପଛକୁ ଫେରିଯିବାର ଛଳନା କରିଥିଲେ । ସଂଗ୍ରାମୀମାନେ ପାହାଡ଼ ତଳକୁ ଓହ୍ଲାଇବା ମାତ୍ରେ ଅତର୍କିତ ଆକ୍ରମଣର ଶିକାର ହୋଇଥିଲେ । ଏହି ଯୁଦ୍ଧରେ ସୁରେନ୍ଦ୍ର ସାଏଙ୍କ ଚତୁର୍ଥ ଭ୍ରାତା ଛବିଳ ସାଏ ବୀରତ୍ୱର ସହ ଲଢ଼ି ଶହୀଦ ହୋଇଥିଲେ । କୁଦୋପାଲି ମାଟିରେ ସମୁଦାୟ ୫୭ ଜଣ ବୀରପୁତ୍ର ତଥା ୫୩ ଜଣ ଯୁଦ୍ଧରେ ଓ ୪ ଜଣ ଫାଶୀ ଦ୍ୱାରା ଶହୀଦ ହୋଇଥିଲେ । ଏହି ଘଟଣା ସଂଗ୍ରାମକୁ ଦୁର୍ବଳ କରିବା ପରିବର୍ତ୍ତେ ଆହୁରି ତୀବ୍ର କରିଥିଲା, ଯାହାର ପ୍ରତିଶୋଧ ପରବର୍ତ୍ତୀ ସମୟରେ ପାହାଡଶ୍ରୀଗିଡା ଯୁଦ୍ଧରେ ନିଆଯାଇଥିଲା ।
    ସମ୍ବଲପୁରର ଏହି ଐତିହାସିକ ସଂଗ୍ରାମର ମୁଖ୍ୟ ପୁରୋଧା ଥିଲେ ବୀର ସୁରେନ୍ଦ୍ର ସାଏ, ଯାହାଙ୍କ ନେତୃତ୍ୱରେ ସାରା ଅଞ୍ଚଳରେ ବ୍ରିଟିଶ ବିରୋଧୀ ଜନ ଆନ୍ଦୋଳନ ମୁଣ୍ଡ ଟେକିଥିଲା । କୁଦୋପାଲିର ରକ୍ତକ୍ଷୟୀ ଯୁଦ୍ଧରେ ସୁରେନ୍ଦ୍ର ସାଏଙ୍କ ଚତୁର୍ଥ ଭ୍ରାତା ଛବିଳ ସାଏ ବୀରତ୍ୱର ଚରମ ନିଦର୍ଶନ ଦେଖାଇ ଶହୀଦ ହୋଇଥିଲେ । ତାଙ୍କ ସହ ଏହି ଆନ୍ଦୋଳନକୁ ସଶକ୍ତ କରିବାରେ ସୁରେନ୍ଦ୍ରଙ୍କ ଅନ୍ୟତମ ଭ୍ରାତା ଉଦନ୍ତ ସାଏ ଏବଂ କାକା ବଳରାମ ସିଂହ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କୁଦୋପାଲି ମାଟିକୁ ନିଜ ରକ୍ତରେ ଭିଜାଇଥିବା ୫୭ ଜଣ ବୀର ସନ୍ତାନଙ୍କ ମଧ୍ୟରେ କୁଲାବିରା ଜମିଦାରଙ୍କ ପୁତ୍ର କୃଷ୍ଣଚନ୍ଦ୍ର ସିଂହ ନାଏକ, ସଂଗ୍ରାମୀ ସେନାପତି ଶ୍ରୀକୃଷ୍ଣ ବେହେରା ଏବଂ ପତ୍ରାପାଲିର ଗଉଁତିଆ ବଳଭଦ୍ର ଦାସ ବିର୍ତ୍ତିଆ ପ୍ରମୁଖ ସାମିଲ ଥିଲେ । ଏହି ବରପୁତ୍ରମାନଙ୍କ ମିଳିତ ତ୍ୟାଗ ଓ ବଳିଦାନ କୁଦୋପାଲିକୁ ଭାରତୀୟ ସ୍ୱାଧୀନତା ଇତିହାସରେ ଏକ ପବିତ୍ର ରକ୍ତତୀର୍ଥର ମାନ୍ୟତା ପ୍ରଦାନ କରିଛି । 
     ଦୀର୍ଘ ବର୍ଷ ଧରି ଏହି ଇତିହାସ କେବଳ ସ୍ଥାନୀୟ ଲୋକଗୀତରେ ସୀମିତ ଥିଲା । ବର୍ତ୍ତମାନ ଆଇ.ସି.ଏଚ.ଆର ଏବଂ ନ୍ୟାସନାଲ ବୁକ୍ ଟ୍ରଷ୍ଟର ପ୍ରୟାସରେ ଏହି ବିସ୍ମୃତ କାହାଣୀ 'ଦି ସାଗା ଅଫ୍ କୁଦୋପାଲି' ପୁସ୍ତକ ମାଧ୍ୟମରେ ୧୩ଟି ଭାଷାରେ ପ୍ରକାଶିତ ହୋଇ ବିଶ୍ୱବ୍ୟାପୀ ପରିଚୟ ପାଉଛି । କୁଦୋପାଲିରେ ଏକ ଭବ୍ୟ ଶହୀଦ ସ୍ମାରକ ନିର୍ମାଣର ଯୋଜନା କରାଯାଇଛି, ଯାହା ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ରାଷ୍ଟ୍ରର ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।
    ଉଲ୍ଲେଖନୀୟ, ଏହି ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାରେ କାତାରର ସଂସ୍କୃତି ମନ୍ତ୍ରୀ ମହାମହିମ ଏଆର ବିନ ହାମଦ ବିନ ଜାସିମ ବିନ ହାମଦ ଅଲ୍ ଥାନି, ଭାରତର କତାର ରାଷ୍ଟ୍ରଦୂତ ଏଚ.ଜେ ଅଲ ଜାବିର ଏବଂ ସ୍ପେନର ସଂସ୍କୃତି ମନ୍ତ୍ରଣାଳୟର ଡାରେକ୍ଟର ଜେନେରାଲ ଅଫ୍ ବୁକ୍ସ ସୁଶ୍ରୀ ମାରିଆ ଜୋସେ ଗାଲଭେଜ ପ୍ରମୁଖ ଉପସ୍ଥିତ ରହି ଭାରତର ଏହି ସଂଗ୍ରାମୀ ଗାଥାକୁ ସମ୍ମାନ ଜଣାଇଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook