ମୁଖ୍ୟ ଖବର
ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ ଧର୍ମର ଜୟ ହୋଇଛି । ଏହି ବିଜୟ ଦ୍ୱାରା ମାତୃଶକ୍ତି ଏବଂ ଯୁବଶକ୍ତିର ବିଜୟ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଧାମନଗର ଉପନିର୍ବାଚନରେ ବିଜୟୀ ହୋଇଥିବା ନିଜ ଦଳୀୟ ପ୍ରାର୍ଥୀ ସୂର୍ୟ୍ୟବଂଶୀ ସୂରଜଙ୍କୁ ଶୁଭେଚ୍ଛା ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଉପନିର୍ବାଚନରେ ଧର୍ମର ଜୟ ତଥା ଧାମନଗରର ବିଜୟ ହୋଇଛି । ଗଣତନ୍ତ୍ରର ବିଜୟ ହୋଇଛି । ଏହି ବିଜୟ, ଧାମନଗରର ମାତୃଶକ୍ତି, ଯୁବଶକ୍ତିର ବିଜୟ । ସ୍ୱର୍ଗୀୟ ବିଷ୍ଣୁ ଭାଇଙ୍କ ପ୍ରତି ଅଞ୍ଚଳବାସୀଙ୍କର ଥିବା ଭଲ ପାଇବା, ସ୍ନେହ ଓ ଶ୍ରଦ୍ଧାର ବିଜୟ । ଓଡ଼ିଆ ସ୍ୱାଭିମାନର ବିଜୟ ।
ଜନସାଧାରଣଙ୍କ ଭଲ ପାଇବା ଓ ଆମ କାର୍ୟ୍ୟକର୍ତ୍ତାଙ୍କ ପରିଶ୍ରମ ସାର୍ଥକ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତିଫଳନ ହୋଇଛି ।
ସେ କହିଛନ୍ତି ଧାମନଗର ମାଟି ହେଉଛି ରାଜା ମୁକୁନ୍ଦ ଦେବଙ୍କର ବୀରତ୍ୱ ଗାଥାର ସ୍ମୃତିକୁ ସାଉଁଟି ରଖିଥିବା ମାଟି । ଏହି ଅଞ୍ଚଳର ସ୍ୱାଭିମାନୀ ଧାମନଗରବାସୀମାନେ ସର୍ବଦା ଯୋଗ୍ୟ ପ୍ରତିନିଧିଙ୍କୁ ନିର୍ବାଚିତ କରିଥା’ନ୍ତି । ସୂର୍ୟ୍ୟବଂଶୀ ସୂରଜଙ୍କ ପରି ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ନେଇ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି ।
Comments ସମସ୍ତ ମତାମତ