Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନିଟ-ୟୁଜି ୨୦୨୬ ପରୀକ୍ଷା: ସ୍ୱଚ୍ଛ ଓ ସୁରକ୍ଷିତ ପରିଚାଳନା ପାଇଁ ଡିଜିପିଙ୍କ ସମୀକ୍ଷା ବୈଠକ

    Share on :
    ajab-Image
    Date: Jun 17, 2026    Views: 3480

    ଆସନ୍ତା ଜୁନ ୨୧ ତାରିଖରେ  ନିଟ୍ ୟୁଜି - ୨୦୨୬ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରସ୍ଥିତ ଡିଜିପିଙ୍କ  କ୍ୟାମ୍ପ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପରୀକ୍ଷାକୁ  ସମ୍ପୂର୍ଣ୍ଣ ସ୍ୱଚ୍ଛ, ଅବାଧ ଏବଂ ସୁରକ୍ଷିତ ଭାବରେ ପରିଚାଳନା  କରିବା ପାଇଁ ଡିଜିପି ସମସ୍ତ ଜିଲ୍ଲା ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  

    ଚଳିତ ବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାର ୧୩୨ଟି ପରୀକ୍ଷା କେନ୍ଦ୍ରରେ ନିଟ୍-ୟୁଜି ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ ରଖିବା ସହିତ ସମଗ୍ର ପ୍ରକ୍ରିୟାକୁ ସୁରୁଖୁରୁରେ ସମାପ୍ତ କରିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଡିଜିପି ସମସ୍ତ ଜିଲ୍ଲା ଏସପି ଏବଂ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

    ବୈଠକରେ ପରୀକ୍ଷା କେନ୍ଦ୍ରଗୁଡ଼ିକର ସୁରକ୍ଷା, ସିସିଟିଭି ନିରୀକ୍ଷଣ, ପ୍ରଶ୍ନପତ୍ର ସଂରକ୍ଷିତ ଥିବା ବ୍ୟାଙ୍କ ଲକରର ନିରାପତ୍ତା, ପରୀକ୍ଷା କେନ୍ଦ୍ର ପରିସର ଭିତରେ ଓ ବାହାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା, ଟ୍ରାଫିକ ପରିଚାଳନା ଏବଂ ଆପାତକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।

    ଏହାବ୍ୟତୀତ ସୋସିଆଲ ମିଡିଆ ମନିଟରିଂକୁ ଅଧିକ ସକ୍ରିୟ, ସାଇବର ସେଲ୍‌କୁ ସତର୍କ, ଭ୍ରାନ୍ତ ତଥ୍ୟ ଓ ଗୁଜବ ପ୍ରଚାର ଉପରେ କଡ଼ା ନଜର ରଖିବା ସହିତ ସମସ୍ତ ସୁରକ୍ଷା ବ୍ୟବସ୍ଥାର ପୂର୍ବ ପରୀକ୍ଷଣ ଓ ଯାଞ୍ଚ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।

    ପରୀକ୍ଷା ଶେଷ ହେବା ପରେ ଓଏମଆର ସିଟ୍‌ଗୁଡ଼ିକୁ ପରୀକ୍ଷା କେନ୍ଦ୍ରରୁ ସଂଗ୍ରହ କରି ନିର୍ଦ୍ଦିଷ୍ଟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପ୍ରଚଳିତ ନିର୍ଦ୍ଦେଶାବଳୀର କଡ଼ାକଡ଼ି ପାଳନ କରିବାକୁ ଡିଜିପି ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ କହିଥିଲେ।

    ପରୀକ୍ଷା ସମ୍ବନ୍ଧୀୟ କୌଣସି ପ୍ରକାରର ଅନିୟମିତତା, ଅସାଧୁ କାର୍ଯ୍ୟକଳାପ କିମ୍ବା ସୁରକ୍ଷା ତ୍ରୁଟିକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଏଥିପାଇଁ ପୋଲିସ ପ୍ରଶାସନ ସଦା ସର୍ବଦା ସତର୍କ, ସଜାଗ ଓ ପ୍ରସ୍ତୁତ ରହିବାକୁ ସେ ସମସ୍ତ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

    ଏହି ସମୀକ୍ଷା ବୈଠକରେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ ବ୍ରାଞ୍ଚ) ଶ୍ରୀ ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର ଏବଂ ଆଇଜି (କେନ୍ଦ୍ରାଞ୍ଚଳ) ଡ଼. ସତ୍ୟଜିତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଆଭାସୀ ମାଧ୍ୟମରେ ସମସ୍ତ ରେଞ୍ଜ ଆଇଜିପି/ଡିଆଇଜିପି ଓ ଜିଲ୍ଲା ଏସପିମାନେ ବୈଠକରେ ଯୋଗଦେଇଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook