Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଡ଼ିଶାରେ ମହିଳାଙ୍କ ନିମନ୍ତେ କୃଷି ଯନ୍ତ୍ରପାତି ବନାଯିବା ନେଇ ଏକ ନିର୍ଦ୍ଦେଶାବଳୀ ପ୍ରଣୟନ କରାଯାଇଛି- ଉପମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Feb 14, 2026    Views: 3284

    ଭୁବନେଶ୍ୱର: ଓଡ଼ିଶାର କୃଷି କ୍ଷେତ୍ରକୁ ଅଧିକ ସମାବେଶୀ ଓ ମହିଳା କୈନ୍ଦ୍ରିକ କରିବା ଦିଗରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଭୁବନେଶ୍ୱରଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଆନ୍ତର୍ଜାତୀୟ ଖାଦ୍ୟ ନୀତି ଅନୁସନ୍ଧାନ ସଂସ୍ଥାନ (IFPRI) ଏବଂ ଗେଟ୍ସ ଫାଉଣ୍ଡେସନର ମିଳିତ ସହଯୋଗରେ ‘ଜେଣ୍ଡର ରେସପନସିଭ୍ ସେଲ୍‌ର ସାଂଗଠନିକ ସୁଦୃଢ଼ୀକରଣ: ରୂପରେଖ ଓ କାର୍ଯ୍ୟପନ୍ଥା’ ଶୀର୍ଷକର ଏକ ପ୍ରାରମ୍ଭିକ କର୍ମଶାଳା ଅନୁଷ୍ଠିତ ହୋଇଛି।
    ସୂଚନାଯୋଗ୍ୟ ଯେ, ଗତ ୨୯ ନଭେମ୍ବର ୨୦୨୫ରେ କୃଷି ଭବନଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଦ୍ୱାରା ଏହି ସେଲ୍‌ର ଶୁଭାରମ୍ଭ କରାଯାଇଥିଲା, ଯାହା ରାଜ୍ୟରେ ମହିଳା ନେତୃତ୍ୱାଧୀନ କୃଷି ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତାର ଏକ ଜ୍ୱଳନ୍ତ ନିଦର୍ଶନ । ଏହି ସେଲ୍‌ (GRC) ମାଧ୍ୟମରେ କୃଷି ବିଧିବ୍ୟବସ୍ଥାରେ ଲିଙ୍ଗଗତ ସମାନତାକୁ କେବଳ ଏକ ଆନୁଷଙ୍ଗିକ ବିଷୟ ନକରି ଏହାକୁ ବିଭାଗର ମୂଳ କାର୍ଯ୍ୟଶୈଳୀରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି।
    ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଗତ ବର୍ଷ ଏହି ସେଲ୍‌ର ପ୍ରତିଷ୍ଠା ଓଡ଼ିଶାର କୃଷି ସଂସ୍କାର କ୍ଷେତ୍ରରେ ଏକ ଦୃଢ଼ ସଙ୍କେତ ଥିଲା। ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ମହିଳାଙ୍କ ନିମନ୍ତେ ଉଦ୍ଦିଷ୍ଟ କୃଷି ଯନ୍ତ୍ରପାତି ବନାଯିବା ନେଇ ଏକ ନିର୍ଦ୍ଦେଶାବଳୀ ପ୍ରଣୟନ କରାଯାଇଛି l ଆଜିର ଏହି କର୍ମଶାଳା ସେହି ପ୍ରତିବଦ୍ଧତାକୁ ବାସ୍ତବ ରୂପ ଦେବା ଏବଂ ଗବେଷଣାଲବ୍ଧ ଜ୍ଞାନକୁ କୃଷକଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନାରେ ପ୍ରୟୋଗ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
    ମହିଳା ଏବଂ ଶିଶୁ ବିକାଶ ବିଭାଗର କମିଶନର-ତଥା-ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲ, ଆନ୍ତଃବିଭାଗୀୟ ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ମହିଳା ସଶକ୍ତିକରଣକୁ କେବଳ ଏକାକୀ ଭାବେ ସଶକ୍ତ କରାଯାଇପାରିବ ନାହିଁ। ଲିଙ୍ଗଗତ ସମ୍ବେଦନଶୀଳ  କକ୍ଷ ମାଧ୍ୟମରେ କୃଷି, ମହିଳା ଏବଂ ଶିଶୁ ବିକାଶ ଏବଂ ତଥ୍ୟ ବ୍ୟବସ୍ଥାରେ ସମନ୍ୱୟ ପାଇଁ ସୁଯୋଗ ସୃଷ୍ଟି କରିବ, ଯାହାକି ମହିଳା ନେତୃତ୍ୱାଧୀନ ବିକାଶକୁ ତ୍ୱରାନ୍ୱିତ କରି ସଫଳ ରୂପାୟନ ଦିଗରେ ସାହାଯ୍ୟ କରିବ।
    କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ଏହାକୁ ଏକ ପ୍ରଶାସନିକ ସଂସ୍କାର ଭାବେ ଅଭିହିତ କରି କହିଛନ୍ତି ଯେ, ଆଜିର ଏହି କର୍ମଶାଳା GRCର ପରିକଳ୍ପନାକୁ କାର୍ଯ୍ୟକ୍ଷମ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏହାଦ୍ୱାରା କୃଷି ବିଧିବ୍ୟବସ୍ଥା ଅଧିକ ଉତ୍ତରଦାୟୀ ଓ ତଥ୍ୟ-ଭିତ୍ତିକ ହୋଇପାରିବ।
    ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି ଯେ, କୃଷିର ରୂପାନ୍ତରଣ ପାଇଁ ଶିକ୍ଷା ଓ ଗବେଷଣାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ GRC ନୀତି ପ୍ରଣୟନକାରୀ ଓ ଗବେଷକଙ୍କ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରିବ।
    IFPRI-ଦକ୍ଷିଣ ଏସିଆର ନିର୍ଦ୍ଦେଶକ ଡକ୍ଟର ଶାହିଦୁର ରସିଦ ଓଡ଼ିଶା ସରକାରଙ୍କ ଏହି ପ୍ରୟାସକୁ ପ୍ରଶଂସା କରି କହିଛନ୍ତି ଯେ, ଏହି ପଦକ୍ଷେପ କେବଳ ଲକ୍ଷ୍ୟ ମଧ୍ୟରେ ସୀମିତ ନରହି ଫଳାଫଳରେ ପ୍ରତିଫଳିତ ହେବା ସହ ଏହି ମଡେଲ ଆଗାମୀ ଦିନରେ ଅନ୍ୟ ରାଜ୍ୟ ଏବଂ ଦକ୍ଷିଣ ଏସିଆର ଦେଶଗୁଡ଼ିକ ପାଇଁ ଏକ ଦୃଷ୍ଟାନ୍ତ ସାଜିବ।
    ଏହି କର୍ମଶାଳାରେ ଦୁଇ ସଫଳ ମହିଳା "ମିଲେଟ ରାଣୀ" ଡଃ. ରାଇମତି ଘିଉରିଆ, ଯିଏ କି ମାଣ୍ଡିଆ ତଥା ବିଭିନ୍ନ ଶସ୍ୟର ପାରମ୍ପରିକ ଭୂପ୍ରଜାତିର ସଫଳ ସଂରକ୍ଷଣ, ସଂଗ୍ରକ୍ଷଣ ଏବଂ ଚାଷରେ ପାରଦର୍ଶିତା ଲାଭ କରିଛନ୍ତି  ଏବଂ  କୃଷି ଯନ୍ତ୍ରପାତିର ବ୍ୟବହାର , ପରିଚାଳନା ଏବଂ ମରାମତିରେ  ପାରଦର୍ଶିତା ଲାଭ କରିଥିବା ଶ୍ରୀମତୀ ରୀନା ବେହେରାଙ୍କୁ ସମ୍ମାନିତ କରାଯାଇଛି l
    ଆୟୋଜିତ କର୍ମଶାଳାରେ ଜଳବାୟୁ ପରିବର୍ତ୍ତନ, କୃଷି ଯାନ୍ତ୍ରୀକିକରଣରେ ମହିଳାଙ୍କ ଭାଗିଦାରୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ କୃଷକ ଉତ୍ପାଦକ ସଂଗଠନର ସଫଳ ମହିଳା ନେତ୍ରୀମାନେ ନିଜର ଅନୁଭୂତି ବାଣ୍ଟିଥିଲେ। ଏହି କର୍ମଶାଳା କୃଷି ବିଧିବ୍ୟବସ୍ଥାକୁ ଅଧିକ ପ୍ରଗତିଶୀଳ ଓ ସମାନତା-ଭିତ୍ତିକ କରିବା ପାଇଁ ଏକ ଦୃଢ଼ ମୂଳଦୁଆ ଭାବେ କାର୍ଯ୍ୟ କରିବ ।
    ଆଜିର ଏହି କର୍ମଶାଳାରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀ, ପୂର୍ବତନ କେନ୍ଦ୍ର ସଚିବ ଶ୍ରୀ ଟି ନନ୍ଦ କୁମାର, ବିଭାଗୀୟ ବରିଷ୍ଠ ଅଧିକାରୀ, ବୈଷୟିକ ଆଲୋଚନାରେ ଭାଗ ନେଇଥିବା ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଅନୁଷ୍ଠାନର ବୈଜ୍ଞାନିକ, ଛାତ୍ର, ଗବେଷକ, ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା ତଥା ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଯୋଗଦାନ କରିଥିଲେ l

    Maximum 500 characters

    ରାଜ୍ୟ ଖବର View all

    Find Us on Facebook